No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) ଗୋପ :- ଗୋପ ବ୍ଲକ୍ ଅନ୍ତର୍ଗତ ଓରେଇ ଗ୍ରାମର ପଥର ଶିଳ୍ପୀ ତଥା ବିଶୁ ମହାରଣାଙ୍କ ଦାୟଦ ଦାବୀ କରୁଥିବା ଶ୍ରୀ କୃଷ୍ଣ ମହାରଣାଙ୍କ ପରିବାର ଦୀର୍ଘଦିନ ଧରି ଦୁର୍ଦ୍ଦଶାରେ ଜୀବନଯାପନ କରୁଥିଲେ । ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଏହି ପରିବାର ଭଙ୍ଗା ଘର, ଆର୍ଥିକ ସମସ୍ୟା ଓ ଜୀବିକାର ଅଭାବରେ ଅତ୍ୟନ୍ତ କଷ୍ଟରେ ଥିଲେ । ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା, ଓଡ଼ିଶାର ରାଜ୍ୟ ପୂର୍ବତନ ସମ୍ପାଦକ ତଥା ଜିଲ୍ଲା ଧାନ ସଂଗ୍ରହ କମିଟି ଚାଷୀ ପ୍ରତିନିଧି ଶ୍ରୀ ପ୍ରଶାନ୍ତ ସ୍ୱାଇଁ (ଲୁଲୁ) ଉଚ୍ଚ ପଦାଧିକାରୀଙ୍କ ନଜରକୁ ବିଷୟଟି ଆଣିଥିଲେ। ତାଙ୍କ ସକ୍ରିୟ ହସ୍ତକ୍ଷେପ ପରେ ପ୍ରଶାସନ ଦ୍ରୁତ ପଦକ୍ଷେପ ଗ୍ରହଣ କରିଥିଲା ।

ଫଳସ୍ୱରୂପ, ବର୍ତ୍ତମାନ କୃଷ୍ଣ ମହାରଣାଙ୍କ ସମେତ ତାଙ୍କ ସ୍ତ୍ରୀଙ୍କ ନାମ ରାଜ୍ୟ ଏସପିଡିପି ଯୋଜନାରେ ପଞ୍ଜୀକୃତ ହୋଇଛି । ଏହା ଫଳରେ ସେମାନେ ଏଣିକି ରାଜ୍ୟ ହସ୍ତଶିଳ୍ପ ବିଭାଗର ବିଭିନ୍ନ ସୁବିଧା, ଆର୍ଥିକ ସହାୟତା, ପ୍ରଶିକ୍ଷଣ ଓ ଜୀବିକା ଉନ୍ନତି ଯୋଜନାର ଲାଭ ନେଇପାରିବେ । ସ୍ଥାନୀୟ ଲୋକମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଥିବାବେଳେ, ଏହାକୁ ଗରିବ ଓ ଅସହାୟ ଶିଳ୍ପୀ ପରିବାର ପାଇଁ ଏକ ବଡ଼ ନ୍ୟାୟ ଓ ସଫଳତା ବୋଲି କହିଛନ୍ତି ।

ଉଲ୍ଲେଖନୀୟ, ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା କାରିଗରମାନଙ୍କ ସମଗ୍ର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ସେଗୁଡ଼ିକ ମଧ୍ୟରେ ଶିଳ୍ପୀ ଉନ୍ନତି ଯୋଜନା ବ୍ୟାଙ୍କ ଋଣ ସହ ମାର୍ଜିନ ମନି ସହାୟତା,ଆନୁଷ୍ଠାନିକ ତାଲିମ ଦ୍ଵାରା ନୂତନ କାରିଗରମାନଙ୍କୁ ଦକ୍ଷତା ବିକାଶ, ଗୁରୁ-ଶିଷ୍ୟ ପରମ୍ପରା ତାଲିମ: ପାରମ୍ପରିକ କଳାର ସୁରକ୍ଷା, ଏମସିଏମ ତାଲିମ କାର୍ଯ୍ୟକ୍ରମ ଦ୍ଵାରା ଗାଁ ସ୍ତରରେ ଜୀବିକା ମୂଳକ ପ୍ରଶିକ୍ଷଣ,କାର୍ଯ୍ୟକ୍ଷେତ୍ର-କମ୍-ଗୃହ ସହାୟତା ଦ୍ଵାରା ଘର ଓ କାମଘର ନିର୍ମାଣ ପାଇଁ ଆର୍ଥିକ ସହଯୋଗ,

ମାର୍କେଟିଂ ସହାୟତା ଦ୍ଵାରା ‘ଉତ୍କଳିକା’ ଓ ବିଭିନ୍ନ ମେଳା ମାଧ୍ୟମରେ ବଜାର ସୁଯୋଗ, ଡିଜାଇନ୍ ବିକାଶ କାର୍ଯ୍ୟକ୍ରମ ଦ୍ବାରା ନୂତନ ଡିଜାଇନ୍ ଓ ଉତ୍ପାଦ ବିକାଶ, ଏସଆଇଡିଏସି ଯୋଜନା ଦ୍ବାରା ଶିଳ୍ପ କ୍ଷେତ୍ରର ସମଗ୍ର ଉନ୍ନତି ପାଇଁ ପ୍ରତିଷ୍ଠାନ । ଏହି ସମସ୍ତ ଯୋଜନାର ସୁବିଧା ପାଇବା ପାଇଁ ପଞ୍ଜୀକରଣ ଅତ୍ୟାବଶ୍ୟକ, ଯାହା ଏବେ କୃଷ୍ଣ ମହାରଣାଙ୍କ ପରିବାର ପାଇଁ ସଫଳ ହୋଇଛି । ଏହି ଘଟଣା ପୁଣିଥରେ ପ୍ରମାଣ କରିଦେଇଛି ଯେ, ସମୟୋପଯୋଗୀ ହସ୍ତକ୍ଷେପ ଓ ପ୍ରଶାସନିକ ସଚେତନତା ଥିଲେ ଗରିବ ଲୋକମାନେ ସରକାରୀ ଯୋଜନାର ନ୍ୟାୟ ସଂଗତ ଲାଭ ପାଇ ପାରନ୍ତି ।

No Result
View All Result