No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଏପ୍ରିଲ ୧୧,୧୨ପୁରୀରେ ଅଲ ଇଣ୍ଡିଆ ଥିଏଟର କାଉନସିଲ ରାଷ୍ଟ୍ରୀୟ ଅଧିବେଶନ । ଯୋଗଦେବେ ଦେଶର ବିଭିନ୍ନ ରାଜ୍ୟର ନାଟ୍ୟ ବ୍ୟକ୍ତିତ୍ୱ । ପୁରୀ-କଳାର ବିକାଶ ଓ କଳାକାରଙ୍କ ସମସ୍ୟା ପାଇଁ ଅହରହ ସଂଗ୍ରାମ କରୁଥିବା ଦେଶର ବୃହତ କଳାକାର ସଂଗଠନ ଅଲ ଇଣ୍ଡିଆ ଥିଏଟର କାଉନସିଲର ପଞ୍ଚମ ରାଷ୍ଟ୍ରୀୟ ଅଧିବେଶନ ଏବଂ ସାଂସ୍କୃତିକ ମହୋତ୍ସବ ଚଳିତ ଏପ୍ରିଲ ୧୧,୧୨ ଦୁଇଦିନ ଧରି ଶ୍ରୀକ୍ଷେତ୍ର ଧାମ ପୁରୀର ହୋଟେଲ ସୂର୍ଯ୍ୟା ବିଚ ଇନ ଠାରେ ଅନୁଷ୍ଠିତ ହେଉଅଛି ।

କଳାକାରଙ୍କ ଏହି ରାଷ୍ଟ୍ରୀୟ ସମ୍ମିଳନୀରେ ଭାରତର ବିଭିନ୍ନ ରାଜ୍ୟରୁ ଶତାଧିକ କଳାକାର ପୁରୀ ଆସୁଥିବା ନେଇ ଗୁରୁବାର ପୁରୀ ସୂର୍ଯ୍ୟା ବିଚ ଇନ ହୋଟେଲ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଲ ଇଣ୍ଡିଆ ଥିଏଟର କାଉନସିଲର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜଗୋପାଳ ପାଢ଼ୀ ସୂଚନା ଦେଇଛନ୍ତି । ଉପସ୍ଥିତ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଶ୍ରୀ ପାଢ଼ୀ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଅଧିବେଶନରେ ସଂସ୍ଥାର ସାଧାରଣ ନିର୍ବାଚନ,ପ୍ରତି ରାଜ୍ୟ ସଂଗଠନର କାର୍ଯ୍ୟ ଓ ସ୍ଥିତି ସମୀକ୍ଷା,ସଂଗଠନ ବିସ୍ତାର ସହିତ କଳାକାରଙ୍କ ରହିଥିବା ବହୁବିଧ ସମସ୍ୟା ଉପରେ ଆଲୋଚନା ହେବ ବୋଲି କହିଥିଲେ ।
ଆଗନ୍ତୁକ ଅତିଥି କଳାକାର ତଥା ପ୍ରତିଷ୍ଠିତ ନାଟ୍ୟ ପ୍ରତିଭା ମାନେ କାର୍ଯ୍ୟକ୍ରମର ପ୍ରଥମ ଦିନ ସଂଗଠନର ଧ୍ବଜା ଉତ୍ତୋଳନ କରି ସାଙ୍ଗଠନିକ ଆଲୋଚନା କରିବା ସହ ନୂତନ କମିଟି ଗଠନ ଓ ଶପଥ ଗ୍ରହଣ କରିବା ନେଇ ସ୍ଥିର ହୋଇଥିବା ବେଳେ ଦ୍ଵିତୀୟ ଦିନ ପୁରୀ ବେଳାଭୂମି ଓ ସ୍ୱର୍ଗଦ୍ୱାର ଭ୍ରମଣ ସହିତ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ପ୍ରଦାନ କରିଛନ୍ତି । ଅଧିବେଶନର ଦ୍ଵିତୀୟ ଦିନ ସନ୍ଧ୍ୟାରେ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହେବ ,ଯୋଉଥିରେ ବହୁ ସ୍ୱତନ୍ତ୍ର ଅତିଥୀଙ୍କ ଉପସ୍ଥିତି ରହିବ ।
ବିଭିନ୍ନ ବିଭାଗର ପ୍ରତିଭାଧାରୀଙ୍କୁ ରାଷ୍ଟ୍ରୀୟ କଳା ସମ୍ମାନ ଓ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ ସହ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାରଙ୍କୁ ସମ୍ମାନ କରାଯିବ । ସାଂସ୍କୃତିକ ସନ୍ଧ୍ୟାରେ ଡା.ତିରୁପତି ସାହୁଙ୍କ ରଚିତ,ଅଭିନୀତ ଓ ନିର୍ଦ୍ଦେଶିତ ନାଟକ”ରାମ ବନବାସ” ପରିବେଷଣ ହେବା ସହିତ ଓଡିଶୀ,କଥକ ଓ ଅନ୍ୟ ପାରମ୍ପରିକ ନୃତ୍ୟ ପରିବେଷଣ ହେବ । ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ଅଧିବେଶନରେ ପ୍ରତି ଜିଲ୍ଲାରେ କଳାକାରଙ୍କ ନାଟ୍ୟ ଅଭ୍ୟାସ ଓ ନାଟକ ମଂଚନ ନିମନ୍ତେ ଭଲ ମଞ୍ଚ, ମଞ୍ଚକୁ ରିହାତି ଦରରେ କଳାକାରଙ୍କୁ ଯୋଗାଇବା,
କୋଭିଡ ପୂର୍ବରୁ କଳାକାରଙ୍କୁ ମିଳୁଥିବା ରେଳ ରିହାତୀକୁ ପୁନଃ ଚାଲୁ କରିବା ,କଳାକାରଙ୍କୁ ସରକାରୀ ସହାୟତା ପ୍ରଦାନ ଆଦି ଅନେକ ଗମ୍ଭୀର ବିଷୟ ଉପରେ ଅଧିବେଶନରେ ବିସ୍ତୃତ ଆଲୋଚନା ହେବ ବୋଲି ଶ୍ରୀ ରାଜଗୋପାଳ ପାଢ଼ୀ ସୂଚନା ଦେଇଥିଲେ ।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ସଂଗଠନର ଉପସଭାପତି ବବିତା ସ୍ୱାଇଁ,କୋଷାଧ୍ୟକ୍ଷ ସିଏଚ.ଦେବଦାସ, ସଦସ୍ୟ ଅନିଳ କୁମାର ପାତ୍ର,କୈଳାସ ଚନ୍ଦ୍ର ପାଣିଗ୍ରାହୀ,ଲିଲା ମହାନ୍ତି , ପୁରୀର ବରିଷ୍ଠ ନାଟ୍ୟ ସଂଗଠକ ବିକ୍ରମ କୁମାର ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।

No Result
View All Result