No Result
View All Result
ସତ୍ୟବାଦୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜକିଶୋର ସେନାପତି – ଆଜି ପବିତ୍ର ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଶତଭିଷା ନକ୍ଷତ୍ର ମହାବାରୁଣୀ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳପୁର ଗ୍ରାମସ୍ଥିତ ଭାର୍ଗବୀ ନଦୀର ଭୃଗୁ ଘାଟରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ମହାବାରୁଣୀ ପୁଣ୍ୟତୋୟା ଭାର୍ଗବୀରେ ବୁଡ଼ ପକାଇଲେ ମହୋଦଧ ସ୍ନାନର ପୁଣ୍ୟ ମିଳିଥାଏ । ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏଠାରେ ଶ୍ରଦ୍ଧାଳୁଙ୍କ ସମାବେଶ ଲାଗିଥିଲା । ପୌରାଣିକ ମତବାଦ ଅନୁସାରେ ତ୍ରେତୟା ଯୁଗରେ ବନବାସ ସମୟରେ ପ୍ରଭୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଓ ମାତା ସୀତା ଏଠାରେ ଭୃଗୁ ମୁନିଙ୍କ ଆଶ୍ରମ ରେ ଅବସ୍ଥାନ କରିଥିଲେ ।
ଭାର୍ଗବୀ ନଦୀରେ ସ୍ନାନ କରିବା ପରେ ଦେବଦେବ ମହାଦେବଙ୍କୁ ପୂଜା କରିବାଇଁ ବାଲିରେ ପ୍ରତିଷ୍ଠା କରିଥିବା ଶିବଲିଙ୍ଗ ଏବେ ବାଲୁଙ୍କେଶ୍ୱର ଠାକୁର ନାମରେ ପୂଜା ପାଉଛନ୍ତି । ଠାକୁରଙ୍କ ଅପାର ମହିମା ନେଇ ଭକ୍ତମାନଙ୍କ ମଧ୍ୟରେ ଅଗାଧ ବିଶ୍ୱାସ ରହିଛି । ବରାଳ ଗ୍ରାମର ବାଲୁଙ୍କେଶ୍ବର ବଡ଼ଭାଇ ଏବଂ ବଳପୁର ଗ୍ରାମର ବାଲୁଙ୍କେଶ୍ୱର ସାନଭାଇଙ୍କୁ ନେଇ ଭୃଗୁ ଘାଟରେ ଅନୁଷ୍ଠିତ ହେଉଥିବା ସାଗର ସ୍ନାନ ଯାତ୍ରା ଭାଇଚାରାର ଅନନ୍ୟ ପରମ୍ପରା ସୃଷ୍ଟି କରିଛି । ଗୁରୁବାର ମଧ୍ୟାହ୍ନରେ ସାନଭାଇ ବଳପୁର ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ ବଡ଼ଭାଇ ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ଵର ଦେବଙ୍କୁ ସାଗରସ୍ନାନ ଯାତ୍ରାକୁ ନିମନ୍ତ୍ରଣ କରିବାକୁ ବରାଳ ମନ୍ଦିରରେରେ ରୀତିନୀତି ଅନୁଯାୟୀ ପହଞ୍ଚିଥିଲେ।
ମନ୍ଦିରରେ ଦୁଇଭାଇଙ୍କୁ ମୁକ୍ତିମଣ୍ଡପ ପନ୍ତୀଭୋଗ କରାଯାଇଥିଲା। ବୀରକାହାଳି, ମହୁରି, ବାଜା, ଘଣ୍ଟ ମର୍ଦ୍ଦଳ, ସଂକୀର୍ତନ ଏବଂ ହରିବୋଲ ହୁଳହୁନି ଧୂନି ଦେଇ ଦୁଇଟି ସୁସଜ୍ଜିତ ବିମାନରେ ଠାକୁର ଭାର୍ଗବୀ ନଦୀତଟସ୍ଥ ଭୃଗୁଘାଟକୁ ପଟୁଆରରେ ବିଜେ କରିଥିଲେ । ସେଠାରେ ଚାରିଘରିଆ ସେବାୟତମାନେ ପବିତ୍ରତାର ସହ ନଦୀରୁ ଜଳ ସଂଗ୍ରହ କରିଥିଲେ। ଅଭିମନ୍ତ୍ରିତ ଜଳରେ ଠାକୁରମାନଙ୍କ ବାରୁଣୀ ସ୍ନାନନୀତି ସମାପନ କରିଥିଲେ । ସେଠାରେ ପ୍ରତୀକ୍ଷା କରିଥିବା ହଜାର ହଜାର ମାନସିକଧାରୀ ଶ୍ରଦ୍ଧାଳୁ ନଦୀରେ ବୁଡ଼ ପକାଇବା, କେଶ ଦାନ କରିବା ଦେଖାଯାଇଥିଲା । ନିଃସନ୍ତାନ ମହିଳମାନେ ସନ୍ତାନ ପ୍ରାପ୍ତି ଆଶାରେ ଭୃଗୁ ଘାଟରେ ବୁଡ଼ ପକାଇଥିଲେ।
ଏହି ସମୟରେ ଉକ୍ତ ଘାଟର ଜଳରାଶି ମହୋଦଧି ଜଳଭଳି ପବିତ୍ର ହୋଇଥାଏ । ଏହି ଅବସରରେ ବ୍ରତୋପନୟନରେ ଓ ବିବାହ ରେ ବ୍ୟବହୃତ ମୁକୁଟ, ସନ୍ତରା ମସିଣା ଆଦି ନଦୀ ଗର୍ଭରେ ବିସର୍ଜନ କରାଯାଇଥିଲା। ବିଭିନ୍ନ ଗ୍ରାମକୋଠ ଏବଂ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦଳଦଳ ହୋଇ ନଦୀକୂଳରେ ଭୋଗ ପ୍ରସ୍ତୁତକରି ଠାକୁରଙ୍କୁ ନୈବେଦ୍ୟ ପ୍ରଦାନ କରିବା ନଦୀ ଘାଟରେ ପ୍ରସାଦ ସେବନ କରିଥିଲେ । ସେହିପରି ନଦୀର ଅପର ପାର୍ଶ୍ୱର ଘାଟରେ ଅନୁରୂପ ଭାବେ ସୁଆଣ୍ଡୋ ଗ୍ରାମର ଲୋକେଶ୍ବର ଦେବ ଓ ବିଦ୍ୟାଧରପୁରର ଭାବ କୁଣ୍ଡଳେଶ୍ଵର ଦେଵ ଘାଟକୁ ବିଜେ କରିଥିଲେ। ଗ୍ରାମୀଣ ବଜାରରୁ ସମବେତ ଲୋକ ବିଭିନ୍ନ ଘରକରଣା କିଣିବା ଦେଖାଯାଇଥିଲା।
ସଂସ୍କୃତିକ କାର୍ଯ୍ୟକ୍ରମ ଭଜନ ପରିବେଷଣ କରାଯାଇଥିଲା।ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ମଣ୍ଡପ ଉପରେ ଠାକୁରଙ୍କ ଦର୍ଶନ କରିଥିଲେ।। ସତ୍ୟବାଦୀ ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ବରେ ସନ୍ତୋଷ କୁମାର ପାଣିଗ୍ରାହୀ , ସତ୍ୟବାଦୀ ଥାନା ଆଇଆଇସି ସୌମ୍ୟରଞ୍ଜନ ମହାଳିକ ପୋଲିସ ଫୋର୍ସ ସହିତ ଭିଡ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳାରେ ମେଳା ପରିଚାଳନା କରିଥିଲେ।ସେହିପରି ସାକ୍ଷୀଗୋପାଳ ଦମକଳ କେନ୍ଦ୍ର ଅଧିକାରୀ ଓ ଆଗ୍ନିକ ମାନଙ୍କ ସହିତ ସୁରକ୍ଷିତ ସ୍ନାନ ପ୍ରତି ନଜର ରଖିଥିଲେ।
ଏହା ସହିତ ପନୀୟ ଜଳ ,ସ୍ୱାସ୍ଥ୍ୟ ଶିବିର ଏବଂ ବିଭିନ୍ନ ସଂଗଠନର ସେବା ଶିବିର ଆୟୋଜନ କରଯାଇଥିଲା । ଯାତ୍ରା ପରିଚାଳନା ନିମନ୍ତେ ବରାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ପଣ୍ଡା , ବଳପୁର ମନ୍ଦିର ଟ୍ରଷ୍ଟି ନିରଞ୍ଜନ ମହାପାତ୍ର ଙ୍କ ଦେଶ କମିଟି ସଦସ୍ୟ ଓ ସେବାୟତ ମାନଙ୍କର ତତ୍ପରତା ପ୍ରକାଶ ପାଇଥିଲା। ଅନୁରୁପ ଭାବରେ ଦୁଗଲ ଗ୍ରାମ ଓ ଗଙ୍ଗା ନାରାୟଣପୁର ଠାକୁରଙ୍କ ସାଗର ସ୍ନାନ ଯାତ୍ରା ଉପଲକ୍ଷେ ଭାର୍ଗବୀ ନଦୀରେ ଚାପଖେଳ ବେଶ ଆକର୍ଷଣୀୟ ହୋଇଥିଲା।



No Result
View All Result