ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସଂକ୍ରାନ୍ତି ରବିବାରରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ ପାଇଁ ଭକ୍ତମାନଙ୍କର ବହୁଳ ସମାଗମ ଦେଖାଯାଇଥିଲା। ତୀବ୍ର ଗରମ ଓ ଭିଡ଼କୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ସୁବିଧା ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସିଂହଦ୍ୱାର ଥାନା ପୋଲିସ ପକ୍ଷରୁ ଏକ ସେବାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ସିଂହଦ୍ୱାର ଥାନା ଅଧିକାରୀ ଶ୍ୱେତପଦ୍ମା ଦାଶଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଗ୍ରାଣ୍ଡ ସେଣ୍ଟର ସମ୍ମୁଖରେ ଭକ୍ତମାନଙ୍କୁ ଥଣ୍ଡା ପାଣି ବୋତଲ ଓ ଦହି ପାଣି ବଣ୍ଟନ କରିଥିଲେ । ଦୀର୍ଘ ସମୟ ଧରି ଲାଇନରେ ରହୁଥିବା ଭକ୍ତମାନଙ୍କ ପାଇଁ ଏହି ବ୍ୟବସ୍ଥା ବହୁତ ସହାୟକ ହୋଇଥିଲା l ଭକ୍ତମାନଙ୍କୁ ଗରମରୁ ଅଲ୍ପ ସ୍ୱସ୍ତି ମିଳିଥିଲା ।

ସିଂହଦ୍ୱାର ପୋଲିସ ଟିମ୍ ଭକ୍ତମାନଙ୍କୁ ପାଣି ଓ ଦହି ପାଣି ପ୍ରଦାନ କରି ସେମାନଙ୍କ ଆଧ୍ୟାତ୍ମିକ ଯାତ୍ରାକୁ ଆରାମଦାୟକ ଓ ସୁରକ୍ଷିତ କରିବାରେ ସହଯୋଗ କରିଥିଲେ । ପୋଲିସର ଏହି ମାନବିକ ସେବା ଦେଖି ଭକ୍ତମାନେ ଖୁସି ବ୍ୟକ୍ତ କରିଥିଲେ । ପୁରୀ ପୋଲିସ ପକ୍ଷରୁ ସଦା ଭକ୍ତମାନଙ୍କ ସୁରକ୍ଷା, ସୁବିଧା ଓ ସ୍ୱାସ୍ଥ୍ୟ କୁ ପ୍ରାଥମିକତା ଦିଆଯାଉଛି ।

ଆଗାମୀ ଦିନରେ ମଧ୍ୟ ଏପରି ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପୋଲିସ ପକ୍ଷରୁ ଜଣାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସିଂହଦ୍ୱାର ଥାନାର ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ମଧ୍ୟ ସକ୍ରିୟ ଭାବେ ସହଭାଗୀ ହୋଇ ଭକ୍ତମାନଙ୍କୁ ସହଯୋଗ କରିଥିଲେ ।














