ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡିଆ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଓଡିଆ ଭାଷା ବିରୋଧୀ ମନ୍ତବ୍ୟକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଶିକ୍ଷକ ଓ ଛାତ୍ର ଅଶାନ୍ତି ଦେଖା ଦେଇଛି। ଗତ ୧୧ ତାରିଖ ଦିନ ବିଶ୍ୱବିଦ୍ୟାଳୟରେ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ପାଳନ ଅବସରରେ ଆୟୋଜିତ ଆଲୋଚନା ସଭାରେ ସଂସ୍କୃତ ହେଉଛି ଓଡିଆ ଭାଷାର ଜନନୀ ବୋଲି କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ କହିବା ପରେ ଏହି ଅଶାନ୍ତି ବୃଦ୍ଧିପାଇଛି ।

କେନ୍ଦ୍ର ସରକାର ୨୦୧୪ ମସିହାରେ ଓଡିଆ ଭାଷାକୁ ଭାରତର ଶାସ୍ତ୍ରୀୟ ବା ପ୍ରାଚୀନ ଭାଷା ଭାବରେ ଘୋଷଣା କରିଛନ୍ତି। ସଂସ୍କୃତ ଓ ଓଡିଆ ଭାଷା ଉଭୟ ପ୍ରାଚୀନ ଭାଷା ଭାବରେ କେନ୍ଦ୍ର ସରକାରଙ୍କଦ୍ୱାରା ସ୍ୱିକୃତି ଲାଭ କରିଥିବାବେଳେ ୨୦୦୫ ମସିହାରେ ପ୍ରାଚୀନ ଭାଷା ମାନ୍ୟତା ପାଇଥିବା ସଂସ୍କୃତ ଭାଷା ୧୨ ଅକ୍ଟୋବର ୨୦୦୪ରେ କେନ୍ଦ୍ର ସରକାରଙ୍କଦ୍ୱାରା ନିର୍ଦ୍ଧାରିତମାନଦଣ୍ଡ ଅନୁସାରେ ଏକ ହଜାର ବର୍ଷର ହୋଇଥିବା ବେଳେ ୨୦୧୪ ମସିହାରେ ପ୍ରାଚୀନ ଭାଷା ମାନ୍ୟତା ପାଇଥିବା ଓଡିଆ ଭାଷା ୨ ନଭେମ୍ବର ୨୦୦୫ରେ କେନ୍ଦ୍ର ସରକାରଙ୍କଦ୍ୱାରା ନିର୍ଦ୍ଧାରିତମାନଦଣ୍ଡ ଅନୁସାରେ ଦୁଇ ହଜାର ବର୍ଷର ପ୍ରାଚୀନ ଭାଷା ଅଟେ ।

୨ୟ ଶତାବ୍ଦୀର ଶିଳାଲେଖରେ ସଂସ୍କୃତ ଭାଷା ଓ ଷଷ୍ଠ ଶତାବ୍ଦୀର ଶିଳାଲେଖରେ ସଂସ୍କୃତର ଦେବନାଗରୀ ଲିପି ପ୍ରମାଣ ମିଳୁଥିବାବେଳେ ଖ୍ରୀପୂ ୩ୟ ଶତାବ୍ଦୀ ଶିଳାଲେଖରେ ଓଡିଆ ଭାଷା ତଥା ୧୦ହଜାର ବର୍ଷ ତଳର ନୂଆପଡାର ଯୋଗୀମଠ ଗୁମ୍ପାଚିତ୍ରରେ ପ୍ରାଚୀନ ଓଡିଆ ଲିପିର ପ୍ରମାଣ ମିଳିଛି॥ ସେହିପରି ଓଡିଆ ଭାଷାର ପ୍ରାଚୀନ ଲିଖିତ ସାହିତ୍ୟ ଖ୍ରୀପୂ ୧ମ ଶତାବ୍ଦୀର ହାତୀଗୁମ୍ଫା ଶିଳାଲେଖ ହୋଇଥିବାବେଳେ ସଂସ୍କୃତ ଭାଷାର ପ୍ରାଚୀନ ସାହିତ୍ୟ ୪ର୍ଥ ଶତାବ୍ଦୀର ଏହ୍ଲାବାଦ ଶିଳାଲେଖରେ ଦେଖିବାକୁ ମିଳେ। ଏସବୁ ଦୃଷ୍ଟିରୁ ସଂସ୍କୃତଠାରୁ ଓଡିଆ ଭାଷା ଅତି କମରେ ଏକ ହଜାର ବର୍ଷ ପ୍ରାଚୀନ ବୋଲି ଭାରତ ସରକାର ଘୋଷଣା କରିଥିବାରୁ ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି ପିଲାମାନଙ୍କୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି।

ଏଠାରେ ଉଲ୍ଲେଖନୀୟ ଯେ, ଓଡିଆ ଭାଷାର ପ୍ରାଚୀନତାକୁ ସ୍ମରଣୀୟ କରିବାପାଇଁ ରାଜ୍ୟ ସରକାର ପ୍ରତିବର୍ଷ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ପାଳନ କରି ଆସୁଥିବାବେଳେ ଓଡିଆ ଭାଷାର ପ୍ରାଚୀନତା, ସ୍ୱୟଂପ୍ରଭୂତ୍ୱ ଉପରେ ବ୍ୟାପକ ଗବେଷଣାକାର୍ଯ୍ୟ କରିବା ସହିତ ଓଡିଆ ଭାଷାକୁ ଜ୍ଞାନ ଓ ବିକାଶର ଭାଷା ଭାବରେ ବିଶ୍ୱ ଦରବାରରେ ପରିଚିତ କରିବାପାଇଁ ଓଡିଆ ଜାତୀୟତାର ମହାମାନ୍ତ୍ରିକ ପଞ୍ଚସଖାଙ୍କ କର୍ମପୀଠ ସତ୍ୟବାଦୀଠାରେ ଗବେଷଣାଭିତ୍ତିକ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରିଥିଲେ।

ପରିତାପର ବିଷୟ, ଦୁଇ ବର୍ଷିଆ ଅନଭିଜ୍ଞ ସଂସ୍କୃତ ପ୍ରଫେସରକୁ ଅସ୍ଥାୟୀ କୁଳପତି ଭାବରେ ନିଯୁକ୍ତ କରାଯାଇଥିବାରୁ ସେ ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ନେବାଠାରୁ ଏହି ବିଶ୍ୱବିଦ୍ୟାଳୟର ଶୈଖିକ ପରିବେଶକୁ ନଷ୍ଟ କରି ସଂସ୍କୃତ ଭାଷାକୁ ଓଡିଆ ବିଦ୍ୟାର୍ଥୀଙ୍କଠାରେ ଲଦି ଦେଇ ଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟକଳାପ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଷୟରେ କୌଣସି ଜ୍ଞାନ ନ ଥିବା ପ୍ରମାଣିତ ହେବା ସହିତ ସେ କେବଳ ଓଡିଆ ଭାଷା ବିରୋଧୀ ନୁହେଁ, ବରଂ ଓଡିଆ ଜାତି ବିରୋଧୀ ବୋଲି ବୋଲି ଆଜି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଗଣ ଉପସ୍ଥିତ ରହି କୁଳପତି ଓଡିଆଜାତିଠାରେ କ୍ଷମା ମାଗନ୍ତୁ ଓ ରାଜ୍ୟ ସରକାର ତୁରନ୍ତ କୁଳପତିଙ୍କୁ ବହିଷ୍କାର କରି ଓଡିଆ ଭାଷା ସାହିତ୍ୟ ବିଭାଗର ପ୍ରଫେସରଙ୍କୁ କୁଳପତି ଭାବରେ ତୁରନ୍ତ ନିଯୁକ୍ତ କରନ୍ତୁ ବୋଲି ଦାବି କରିଛନ୍ତି ।














