ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପ୍ରଧାନ ମନ୍ତ୍ରୀ ବିଦ୍ୟାଳୟ ଉଦୟ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା (ପି ଏମ ଶ୍ରୀ) ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବର ଉଦଯାପନୀ ଦିବସରେ ଆଜି ଅପରାହ୍ନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ପ୍ରଧାନ ଶିକ୍ଷକ ଅର୍ଣବ କୁମାର ବେହୁରାଙ୍କ ଅଧ୍ୟକ୍ଷତାରେ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ସରକାର କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ।

ମନ୍ତ୍ରୀ ବହୁ ମହାପୁରୁଷଙ୍କୁ ଉକ୍ତିକୁ ଉଦ୍ଧାର କରି ସଫଳତା ଲାଭ କରିବାକୁ ହେଲେ ଅବିରତ ପ୍ରୟାସ ଜାରି ରଖିବାକୁ ହେବ ବୋଲି କହିଥିଲେ। ପିଏମ୍ ପୋଷଣ ଓ ମଧୋ ସିଂହ ହାତଖର୍ଚ୍ଚ ଯୋଜନା ଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନେ ବହୁ ଭାବରେ ଉପକୃତ ହେଉଛନ୍ତି। ଶିକ୍ଷା ଯୋଗୁଁ ସେ ନିଜେ ଜୀବନରେ ସଫଳତା ପାଇଥିବା ବର୍ଣ୍ଣନା କରି ଥିଲେ। ମୁଖ୍ୟ ବକ୍ତା ଜିଲ୍ଲା ଶିକ୍ଷା ଅଧିକାରୀ ସୋନମିକା ରାୟ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହୋଇ ଏକାଗ୍ର ଭାବରେ ନିଜର ଦକ୍ଷତା ବୃଦ୍ଧି ପାଇଁ ପ୍ରୟାସ କରିବା ଆବଶ୍ୟକ।

ସ୍ଵତନ୍ତ୍ର ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ୍ ଅରବିନ୍ଦ ଢ଼ାଲି,ସମାଜସେବୀ ସାରଦା ପ୍ରସାଦ ଶତପଥୀ କହିଥିଲେ ଯେ ସମାଜକୁ ସଜାଡ଼ିବା ପାଇଁ ପିଲାମାନେ ଏବେଠାରୁ ପ୍ରସ୍ତୁତ ହୋଇ କାର୍ଯ୍ୟ କରନ୍ତୁ। ସମ୍ମାନିତ ଅତିଥି ଭାବେ ବାଲିପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ୍ ପ୍ରଭାତ କୁମାର ରଥ, ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା ଓ ପରିଚାଳନା ପରିଷଦ ସଭାପତି ଚନ୍ଦ୍ରଶେଖର ବେହେରା ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର କୃତ୍ତି ଛାତ୍ର ଛାତ୍ରୀମାନଙ୍କୁ ଶ୍ରୀ ମନ୍ତ୍ରୀ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।















