ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟରସ୍ ୱେଲଫେୟାର ଆସୋସିଏସନ୍ (ଏଓସିଡବ୍ଲ୍ୟୁଏ) ଏବଂ ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟରସ୍ ଆସୋସିଏସନ୍ (ଏଓସିଏ) ମିଳିତ ଭାବେ ୩ ଜାନୁଆରୀ ୨୦୨୬ରେ ପୂର୍ତ୍ତ ବିଭାଗର ମେମୋ ନମ୍ବର ୧୭୩/ଡବ୍ଲ୍ୟୁକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଏହି ନିୟମ ଅନୁଯାୟୀ, ସରକାରୀ କାର୍ଯ୍ୟ ଟେଣ୍ଡର ପ୍ରକ୍ରିୟାରେ ଦୀର୍ଘ ଦିନରୁ ପ୍ରଚଳିତ ” ୧୪.୯୯% କମ୍ ବିଡିଂ” ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି ।

ଭିତ୍ତିଭୂମିର ଗୁଣବତ୍ତା, ସ୍ୱଚ୍ଛତା ଏବଂ ଠିକାଦାରୀ କ୍ଷେତ୍ରର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତିର ପୁନଃବିଚାର କରିବାକୁ ଉଭୟ ଆସୋସିଏସନ ଓଡ଼ିଶା ସରକାରଙ୍କ ମାନ୍ୟବର ପୂର୍ତ୍ତ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଓସିଡବ୍ଲ୍ୟୁଏର ସଭାପତି ଜଗଦୀଶ ପାତ୍ର କହିଛନ୍ତି ଯେ, ଆକଳନଠାରୁ ୧୪.୯୯% କମ୍ ବିଡିଂ ସୀମାକୁ ପ୍ରଥମେ ୦୮ ନଭେମ୍ବର ୨୦୧୩ ରିଖରେ ୱାର୍କସ୍ ଡିପାର୍ଟମେଣ୍ଟ ମେମୋ ନମ୍ବର ୧୨୩୬୬/ଡବ୍ଲୁ ମାଧ୍ୟମରେ ଓପିଡବ୍ଲ୍ୟୁଡି କୋଡ୍, ଭଲ୍ୟୁମ୍ -୧, ପରିଶିଷ୍ଟ-୦୯ ର ଧାରା ୩୬ ରେ ସଂଶୋଧନ ଭାବରେ ପ୍ରବର୍ତ୍ତିତ ହୋଇଥିଲା ।
ପରବର୍ତ୍ତୀ ସମୟରେ, ଲଟେରୀ ସିଷ୍ଟମ୍ ପରି ତ୍ରୁଟିକୁ ସମାଧାନ କରିବା ଏବଂ ଅତିରିକ୍ତ କାର୍ଯ୍ୟଦକ୍ଷତା ସୁରକ୍ଷା (ଏପିଏସ୍) ବ୍ୟବସ୍ଥା ମାଧ୍ୟମରେ ଅଣ୍ଡର-କୋଟିଂକୁ ନିୟନ୍ତ୍ରଣ କରିବା ପାଇଁ ଏହି ନିୟନ୍ତ୍ରଣ କରିବା ପାଇଁ ଆଠଟି କ୍ରମାଗତ ବିଜ୍ଞପ୍ତି ଜରିଆରେ ଏହି ପ୍ରକ୍ରିୟାକୁ ଅଧିକ ସୁଦୃଢ଼ ଓ ପରିମାର୍ଜିତ କରାଯାଇଥିଲା । ଆସୋସିଏସନ୍ ସମୂହର ମତ ଅନୁଯାୟୀ, ପୂର୍ବରୁ ପ୍ରଚଳିତ ବ୍ୟବସ୍ଥା ଅହେତୁକ ଭାବେ କମ୍ ଦରରେ ବିଡିଂ କରିବା ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କବଚ ଭାବେ କାର୍ଯ୍ୟ କରୁଥିଲା ଏବଂ କାର୍ଯ୍ୟର ଗୁଣବତ୍ତା ବଜାୟ ରଖିବାରେ ସହାୟକ ହେଉଥିଲା ।
ଏହି ବ୍ୟବସ୍ଥା ଅଧୀନରେ: –
ଆକଳନଠାରୁ ୪.୯୯% ପର୍ଯ୍ୟନ୍ତ ବିଡ୍କୁ କୌଣସି ଏପିଏସ୍ ନଥିବା ଏକ ‘ସୁରକ୍ଷିତ ଜୋନ୍’ ଭାବରେ ବିବେଚନା କରାଯାଇଥିଲା ।
ଆକଳନଠାରୁ ୯.୯୯ % ପର୍ଯ୍ୟନ୍ତ ବିଡ୍ ଆନୁମାନିକ ମୂଲ୍ୟ ଏବଂ ଉଦ୍ଧୃତ ମୂଲ୍ୟ ମଧ୍ୟରେ ପାର୍ଥକ୍ୟର ୫୦% ସହିତ ସମାନ ଏପିଏସ୍ କୁ ଆକର୍ଷିତ କରିଥିଲା।
୯.୯୯ % ରୁ ଅଧିକ ଏବଂ ଆକଳନଠାରୁ ୧୪.୯୯% ପର୍ଯ୍ୟନ୍ତ ବିଡ୍ ପାର୍ଥକ୍ୟର ୧୫୦% ସହିତ ସମାନ ଏପିଏସ୍ ଆବଶ୍ୟକ କରେ ।
ଏଓସିଏର ସଭାପତି ଅନିଲ ମହାଲିକ କହିଥିଲେ ଯେ, ଏହି ସୀମାର ଏକ ଯୁକ୍ତିଯୁକ୍ତ ସଂଶୋଧନ ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯାଇଛି। ଶିଳ୍ପ କ୍ଷେତ୍ରରେ ଠିକାଦାରଙ୍କ ହାରାହାରି ଲାଭାଂଶ ପ୍ରାୟ ୭.୫% ରହୁଥିବା ବେଳେ, ଏହି ଦରକୁ ‘ସେଡ୍ୟୁଲ୍ ଅଫ୍ ରେଟ୍ସ’ ସହ ସମାନ ରଖିବାକୁ କିମ୍ବା ଆକଳନଠାରୁ ସର୍ବାଧିକ ୪.୯୯% କମ୍ ମଧ୍ୟରେ ସୀମିତ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ଦ୍ୱାରା ପ୍ରକଳ୍ପ କାର୍ଯ୍ୟରେ ବାଧା ସୃଷ୍ଟି ନକରି କାର୍ଯ୍ୟର ଗୁଣବତ୍ତା ଏବଂ ନିରପେକ୍ଷ ପ୍ରତିଯୋଗିତା ବଜାୟ ରଖାଯାଇପାରିବ ବୋଲି ନିରପେକ୍ଷ ଯୁକ୍ତି ଦର୍ଶାଇଛି ।
୦୩ ଜାନୁଆରୀ ୨୦୨୬ ର ନୂତନ ମେମୋ ପ୍ରତିଷ୍ଠିତ ଏପିଏସ୍ ଢାଞ୍ଚାକୁ ସମ୍ପୂର୍ଣ୍ଣ ରଦ୍ଦ କରିଦେଇଛି ଏବଂ ଏହା ପରିବର୍ତ୍ତେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମ୍ଓଆରଟିଏଚ)ର ୩୦ ଏପ୍ରିଲ ୨୦୨୫ର ନିର୍ଦ୍ଦେଶନାମାକୁ ମୌଖିକ ଭାବରେ ଗ୍ରହଣ କରିଛି । ଆସୋସିଏସନ ପକ୍ଷରୁ ଦର୍ଶାଯାଇଛି ଯେ, ଏମ୍ଓଆରଟିଏଚ ଟେଣ୍ଡରରେ ସାଧାରଣତଃ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଅନ୍ତର୍ଭୁକ୍ତ ହୋଇଥିବାବେଳେ ରାଜ୍ୟ ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି)ର କାର୍ଯ୍ୟ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅଳ୍ପ ମଧ୍ୟ ହୋଇପାରେ ।
ରାଜ୍ୟସ୍ତରୀୟ କାର୍ଯ୍ୟରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ନିୟମାବଳୀକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ଅବ୍ୟବହାରିକ ଏବଂ ଏହା ଅସ୍ୱାଭାବିକ ଭାବେ କମ୍ ବିଡିଂକୁ ପ୍ରୋତ୍ସାହିତ କରିବ, ଯାହା ଫଳରେ କାର୍ଯ୍ୟର ମାନ ହ୍ରାସ ପାଇବା ସହ ପ୍ରକଳ୍ପଗୁଡ଼ିକ ଅଧାରେ ଅଟକି ଯିବାର ଆଶଙ୍କା ରହିଛି ବୋଲି ଆସୋସିଏସନ ଚେତାବନୀ ଦେଇଛନ୍ତି ।
ଏହା ସହିତ ଆସୋସିଏସନ ପକ୍ଷରୁ ଦର୍ଶାଯାଇଛି ଯେ, ଯେତେବେଳେ ଅନୁସୂଚିତ ଜାତି/ଜନଜାତି ବିଡର୍ମାନେ ‘ବି’ କ୍ଲାସ୍ ପର୍ଯ୍ୟନ୍ତ ମିଳୁଥିବା ୧୦ ପ୍ରତିଶତ ଅଗ୍ରାଧିକାର ସୁବିଧା ପାଇ ଏଲ୍-୧ ବିଡର୍ଙ୍କ ସହ ସମାନ ସ୍ଥିତିକୁ ଆସନ୍ତି, ସେତେବେଳେ ଟେଣ୍ଡର ଚୂଡ଼ାନ୍ତ କରିବା ପାଇଁ କୌଣସି ସ୍ପଷ୍ଟ ନିର୍ଦ୍ଦେଶାବଳୀ ନାହିଁ। ସୂଚନାଯୋଗ୍ୟ ଯେ, ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଠିକାଦାର ଏହି ‘ବି’କ୍ଲାସ୍ ଶ୍ରେଣୀଭୁକ୍ତ।
ଏହି ସ୍ପଷ୍ଟତାର ଅଭାବ ଯୋଗୁଁ ଟେଣ୍ଡର ଆମନ୍ତ୍ରଣ କରୁଥିବା କର୍ତ୍ତୃପକ୍ଷ ଅସଙ୍ଗତ ଏବଂ ମନମୁଖୀ ନିଷ୍ପତ୍ତି ନେବାର ଆଶଙ୍କା ରହିଛି ବୋଲି ଆସୋସିଏସନ ଚେତାବନୀ ଦେଇଛି।’ଏହି ସର୍କୁଲାରର ଧାରା (vi) କୁ ନେଇ ଅଧିକ ଉଦ୍ବେଗ ପ୍ରକାଶ ପାଇଛି, ଯେଉଁଥିରେ ବୈଷୟିକ କମିଟିକୁ ଅତ୍ୟଧିକ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି।
ଆସୋସିଏସନ ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ, ‘ସେଡ୍ୟୁଲ୍ ଅଫ୍ ରେଟ୍ସ’ ପ୍ରକାଶ କରିବା ଏବଂ ବିସ୍ତୃତ ଆକଳନ ପ୍ରସ୍ତୁତ କରିବା ପରେ, ସରକାର କିପରି କହିପାରିବେ ଯେ ଅସ୍ଵାଭାବିକ କମ୍ ବିଡ୍ ଚିହ୍ନଟ କରିବା ପାଇଁ ଆକଳନ ମୂଲ୍ୟଠାରୁ ଏକ ମାନକ ପ୍ରତିଶତ ସ୍ଥିର କରିବା ସମ୍ଭବ ନୁହେଁ? ଏଭଳି ଅସ୍ପଷ୍ଟତା ସ୍ୱେଚ୍ଛାଚାରିତା ଏବଂ ଦୁର୍ନୀତି ପାଇଁ ସୁଯୋଗ ସୃଷ୍ଟି କରୁଛି ବୋଲି ସଂଘ ଦୃଢ଼ୋକ୍ତି ପ୍ରକାଶ କରିଛି ।
ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି, ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟରସ୍ ୱେଲଫେୟାର ଆସୋସିଏସନ୍ ଏବଂ ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟରସ୍ ଆସୋସିଏସନ୍ ପକ୍ଷରୁ ଏପିଏସ ଗଠନ ପାଇଁ ନିମ୍ନଲିଖିତ ବିକଳ୍ପ ପ୍ରସ୍ତାବ ଦିଆଯାଇଛି :
ଆନୁମାନିକ ମୂଲ୍ୟଠାରୁ ୨.୦୦%ପର୍ଯ୍ୟନ୍ତ: ଆନୁମାନିକ ମୂଲ୍ୟ ଏବଂ ଉଦ୍ଧୃତ ମୂଲ୍ୟ ମଧ୍ୟରେ ପାର୍ଥକ୍ୟର ୧୦୦% ସହିତ ସମାନ ଏପିଏସ୍
ଆନୁମାନିକ ମୂଲ୍ୟ ଠାରୁ ୪.୯୯% ପର୍ଯ୍ୟନ୍ତ : ଆନୁମାନିକ ମୂଲ୍ୟ ଏବଂ ଉଦ୍ଧୃତ ମୂଲ୍ୟ ମଧ୍ୟରେ ପାର୍ଥକ୍ୟର ୨୦୦% ସହିତ ସମାନ ଏପିଏସ୍
ବର୍ତ୍ତମାନର ସର୍କୁଲାର୍ ବା ବିଜ୍ଞପ୍ତିର ପୁନଃବିଚାର ପାଇଁ ଆସୋସିଏସନ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ମାନ୍ୟବର ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ସାର୍ବଜନୀନ କାର୍ଯ୍ୟର ଗୁଣବତ୍ତା ବଜାୟ ରଖିବା, ସ୍ୱଚ୍ଛ ପ୍ରତିଯୋଗିତା ନିଶ୍ଚିତ କରିବା ଏବଂ ଠିକାଦାର ସମାଜର ସ୍ଥିତି ରକ୍ଷା ସହ ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ପ୍ରତିଯୋଗିତା କରିବା ପାଇଁ ସକ୍ଷମ କରିବା ନିମନ୍ତେ ଏକ ସନ୍ତୁଳିତ ଏବଂ ସ୍ୱଚ୍ଛ ନୀତିର ଅପରିହାର୍ଯ୍ୟତା ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଛି।
ଏହି ସମସ୍ୟା ଉପସ୍ଥାପନ କରିବା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଓସିଡବ୍ଲ୍ୟୁଏର ସଭାପତି ଜଗଦୀଶ ପାତ୍ର, ଏଓସିଏର ସଭାପତି ଅନିଲ ମହାଲିକ,ଏଓସିଏର ସାଧାରଣ ସମ୍ପାଦକ ଦିଲୀପ ଜେନା, ଏଓସିଡବ୍ଲ୍ୟୁଏର ସାଧାରଣ ସମ୍ପାଦକ ବିଭୂତି ଜେନାଙ୍କ ସମେତ ଆସୋସିଏସନର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।













