ରାମଚଣ୍ଡୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପବିତ୍ର ଶାମ୍ବ ଦଶମୀରେ କୋଣାର୍କ ଅବଧୂତ ମଠ ହୋଇ ଉଠିଥିଲା ଉତ୍ସବ ମୁଖର । ପୌଷ ଶୁକ୍ଳ ଦଶମୀ ତିଥିରେ ଅନନ୍ତ ଅବଧୂତ ମଠରୁ ସୂର୍ଯ୍ୟ ନାରାୟଣ ଚନ୍ଦ୍ରଭାଗା ତୀର୍ଥକ୍ଷେତ୍ରକୁ ୨୭ଦିନ ଯାତ୍ରାରେ ଯାଇଥାନ୍ତି । ଯାହାକି ସୂର୍ଯ୍ୟ ରଥ ଭାବେ ଆବାହନ କାଳରୁ ଅନୁଷ୍ଟିତ ହୋଇଆସୁଅଛି । ଏକ ଆଧ୍ୟାତ୍ମିକ ପରିବେଶରେ ଘଣ୍ଟ, ଘଣ୍ଟା,ଶଙ୍ଖ, ହୁଳହୁଳି ଓ ହରିବୋଲ ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ମଠ ପରିସର ।

ଉଦୟ କାଳୀନ ସୂର୍ଯ୍ୟ ନାରାୟଣଙ୍କୁ ପ୍ରଥମେ କାକରା, ଖେଚୁଡି, ପୋଡପିଠା ଭୋଗ ସହ ପୂଜାର୍ଚ୍ଚନା କରାଯାଇ ମଠରୁ ସୂର୍ଯ୍ୟଦେବଙ୍କୁ ରଥାରୂଢ଼ କରାଯାଇଥିଲା । ତତ ସହିତ ରୀତିନୀତି ମୁତାବକ ରଥରେ ଅନନ୍ତ ଅବଧୂତ ମଠ ମହନ୍ତ ଆଦିତ୍ୟ ଚରଣ ଦାଶ ଛେରା ପହଁରା କରିଥିଲେ ।

ଛେରା ପହଁରା ସରିବା ପରେ ଦିବା ୧୧ଟାରେ ରଥଟଣା ଆରମ୍ଭ ହୋଇଥିଲା । ଶ୍ରଦ୍ଧାଳୁମାନେ ଭକ୍ତିର ସହିତ ରଥକୁ ଚନ୍ଦ୍ରଭାଗା ଅଭିମୁଖେ ଟାଣି ନେଇଥିଲେ । ଚନ୍ଦ୍ରଭାଗା ତୀର୍ଥରେ ୨୭ଦିନ ଧରି ୨୭ ନକ୍ଷତ୍ରରେ ପୂଜାପାଠ କରାଯିବ ସହ ପ୍ରତ୍ୟେକ ଦିନ ବିଧି ମୁତାବକ ପୂଜାର୍ଚ୍ଚନା କରାଯିବ ।


















