No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକସ୍ଥିତ ତୁଳସୀପୁର ପୋଲିସ କଲୋନୀଠାରେ ଓଡିଶା ବରିଷ୍ଠ ପୋଲିସ ଅଧିକାରୀ ମହିଳା କ୍ଳବର ୨୫ ତମ ବାର୍ଷିକ ଉତ୍ସବ ତଥା ରଜତ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କ୍ଲବ ଦୀର୍ଘ ୨୫ ବର୍ଷ ଧରି ସେବା, ସମ୍ପର୍କ ଓ ସାମାଜିକ ଦାୟିତ୍ଵବୋଧର ଉଦାହରଣ ସୃଷ୍ଟି କରିବା ସହ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଥିଲେ।
ଆଗାମୀ ଦିନରେ ପୋଲିସ ପରିବାର କଲ୍ୟାଣ କେନ୍ଦ୍ରକୁ କଟକ- ଭୁବନେଶ୍ୱର ମଧ୍ୟରେ ସୀମିତ ନ ରଖି ସମସ୍ତ ଜିଲ୍ଲା ଓ ବାଟାଲିୟନରେ କାର୍ଯ୍ୟକ୍ଷମ କରାଯିବା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ନିଜ ଅଭିଭାଷଣରେ ଡିଜିପି କହିଥିଲେ। ଏହା ସହ ପୋଲିସ କଲୋନୀରେ ବସବାସ କରୁଥିବା ପିଲାଙ୍କର ଦକ୍ଷତା ବିକାଶ ନିମନ୍ତେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ। ଏହାସହ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ଉପରେ ଡିଜିପି ଗୁରୁତ୍ଵାରୋପ କରିଥିଲେ।
ଏହାସହ ତୁଳସୀପୁର ପରିବାର କଲ୍ୟାଣ କେନ୍ଦ୍ରର ସାମୁହିକ ବିକାଶ, ନବୀକରଣ ଭଳି ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସିନିୟର ଅଫିସର୍ସ ଲେଡିଜ କ୍ଲବ ବିଗତ ଦିନ ମାନଙ୍କରେ ଅନେକ ଜନମଙ୍ଗଳ କାର୍ଯ୍ୟକ୍ରମ କରି ଖୁବ୍ ସୁନାମ ଅର୍ଜନ କରିଛି। ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଅଧିକ ତ୍ଵରାନ୍ବିତ କରାଯିବା ଉପରେ ଡିଜିପି ଶ୍ରୀ ଖୁରାନିଆ ପରାମର୍ଶ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଶ୍ରୀ ବିନୟତୋଷ ମିଶ୍ର, ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ଯୋଗ ଦେଇ ପୋଲିସ ପରିବାର କଲ୍ୟାଣ କେନ୍ଦ୍ରର ସମାଜ ପ୍ରତି ଥିବା ମହନୀୟ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ । ନାଚ, ଗୀତ, ଚିତ୍ରାଙ୍କନ ଭଳି ପ୍ରତିଯୋଗିତା ଆୟୋଜନ କରି ଛୋଟ ପିଲାଙ୍କ ଆତ୍ମବିଶ୍ଵାସ ବୃଦ୍ଧି କରାଇବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ବୋଲି ସେ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ), ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇଥିଲେ ।
ପ୍ରାରମ୍ଭରେ ପରିବାର କଲ୍ୟାଣ କେନ୍ଦ୍ର କ୍ଳବର ସଭାପତି ଶ୍ରୀମତୀ ରୁଚିରା ଖୁରାନିଆ ପୋଲିସ ପରିବାର କଲ୍ୟାଣ କେନ୍ଦ୍ରର ଆଭିମୁଖ୍ୟ ଏବଂ ଆଗାମୀ ଦିନର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଓଡିଶା ବରିଷ୍ଠ ପୋଲିସ ଅଧିକାରୀ ମହିଳା କ୍ଳବର ସମ୍ପାଦକ ସୋନାଲୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ତୁଳସୀପୁର ପରିବାର କଲ୍ୟାଣ କେନ୍ଦ୍ରର ସମ୍ପାଦକ ଶ୍ରୀମତୀ ସବିତା ପରିଡା ବାର୍ଷିକ ବିବରଣୀ ପାଠ କରିଥିଲେ ।
ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତାକର୍ଷକ ସଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଳବର ସମସ୍ତ ସଦସ୍ୟା, ବରିଷ୍ଠ ପୋଲିସ ଅଧିକାରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।

No Result
View All Result