ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାତ୍ଯା ମୋନ୍ଥା ପାଇଁ ସମୁଦ୍ର ଅଶାନ୍ତ ହେଉଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସତର୍କ ଓ ସଚେତନ ପାଇଁ ସମୁଦ୍ରସ୍ନାନ ନକରିବା ଡାକବାଜି ଯନ୍ତ୍ର ଦ୍ବାରା ଘୋଷଣା ମଧ୍ଯ କରୁଛି । ସମୁଦ୍ରରେ ପର୍ଯ୍ୟଟକ ମାନେ ସ୍ନାନ ନକରିବା ପାଇଁ ଲାଇଫ ଗାର୍ଡ ମୁତୟନ ହୋଇଛନ୍ତି । ମଙ୍ଗଳବାର ସକାଳେ କିଛି ବଙ୍ଗୀୟ ପର୍ଯ୍ୟଟକ ସମୁଦ୍ର ସ୍ନାନ ପାଇଁ ଉଦ୍ଯମ କରିଥିଲେ। ଲାଇଫ ଗାର୍ଡ ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ମନା କରିଥିଲେ ।

ଏଥିରେ ଉତ୍ଯକ୍ତ ହୋଇ ପର୍ଯ୍ୟଟକ ମାନେ ଲାଇଫ ଗାର୍ଡକୁ ଆକ୍ରମଣ କରିଥିଲେ । ସମୁଦ୍ରକୂଳ ସେକ୍ଟର ୪ ନମ୍ବର ଜୋନରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଚପଲରେ ଲାଇଫଗାର୍ଡଙ୍କୁ ଜୈନିକ ମହିଳା ପର୍ଯ୍ୟଟକ ମାଡ ମାରୁଥିବା ଦୃଶ୍ଯ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ସମୁଦ୍ରସ୍ନାନ ପାଇଁ କଟକଣା ଲଗାଯାଇଛି ।

ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ପ୍ରଶାସନ ପକ୍ଷରୁ ତିନି ଦିନ ପାଇଁ ସମୁଦ୍ରସ୍ନାନ ଉପରେ ଲଗାଯାଇଛି କଟକଣା । ଜିରୋ ଡ୍ରାଉନିଙ୍ଗକୁ ଦୃଷ୍ଟିରେ ରଖି ୨୭, ୨୮, ୨୯ ତିନି ଦିନ ଧରି ଏହି କଟକଣା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଅମାନିଆ ପର୍ଯ୍ୟଟକ ବିରୋଧରେ ଲାଇଫଗାର୍ଡ ମାନେ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।














