No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଦୃଶ୍ୟଶ୍ରାବ ଗୃହ ଠାରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଉପଶାସନ ସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରାଙ୍କ ପୁସ୍ତକ “ଓଡ଼ିଶାର ଲୋକଶ୍ରୁତି ଓ କିମ୍ବଦନ୍ତୀରେ ବାଙ୍କୀର ଦେବାଦେବୀ” ଲୋକାର୍ପଣ ଉତ୍ସବ ଭୁବନେଶ୍ୱର ଅମୃତ ସ୍ପିରିଚୁଆଲ ଏକାଡେମୀ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ସଭାପତିତ୍ୱ କରି ବାଙ୍କୀମାଟିର ସୁଯୋଗ୍ୟ ସନ୍ତାନ ତଥା ଏହି ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଡକ୍ଟର ବେହେରା ଜଣେ କୃତବିଦ୍ୟ ସନ୍ତାନ ବୋଲି କହିଥିଲେ । ତାଙ୍କ ଦ୍ୱାରା ରଚିତ ଏହି ପୁସ୍ତକ ଓଡ଼ିଶା ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିବ ବୋଲି ପ୍ରାଧ୍ୟାପକ ପଣ୍ଡା କହିଥିଲେ ।

ଲୋକାର୍ପଣ ଉତ୍ସବରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରି ବାଙ୍କୀ ମାଟିର କୃତବିଦ୍ୟ ସନ୍ତାନମାନଙ୍କ ମଧ୍ୟରେ ଡକ୍ଟର ବେହେରା ଅନ୍ୟତମ ବୋଲି କହିଥିଲେ । ଏହି ମାଟିରେ ଜନ୍ମ ନେଇ ପଣ୍ଡିତ ଗୋବିନ୍ଦ ରଥ, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଓ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ କୃତିତ୍ୱ ଉପରେ ଡକ୍ଟର ପ୍ରଧାନ ଉଲ୍ଲେଖ କରିଥିଲେ । ମୁଖ୍ୟଅତିଥି ଭାବେ ଗବେଷକ ପ୍ରଫେସର ଡକ୍ଟର ଅସୀତ୍ ମହାନ୍ତି ଯୋଗଦାନ କରି ଏହି ମାଟିର ସୁଯୋଗ୍ୟ ସନ୍ତାନ ପଣ୍ଡିତ ଗୋବିନ୍ଦ ରଥ ତାଙ୍କ ଦାଣ୍ଡି ରାମାୟଣ ପୁସ୍ତକରେ ଓଡ଼ିଶାର ଆଦ୍ୟ ଭାବେ ରସଗୋଲାକୁ ବର୍ଣ୍ଣନା କରିଥିବାରୁ ଆଜି ରସଗୋଲା ଜିଆଇ ମାନ୍ୟତା ପାଇଛି ବୋଲି ଉଲ୍ଲେଖ କରିଥିଲେ ।
ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଓ ସାହିତ୍ୟିକ ସୁରେଶ୍ୱର ବେହେରା ଯୋଗଦାନ କରି ବାଙ୍କୀ ମାଟିର ଇଷ୍ଟଦେବୀ ମା’ଚର୍ଚ୍ଚିକାଙ୍କ କୃପାରୁ ବହୁକୃତ ବିଦ୍ୟ ସନ୍ତାନ ଜନ୍ମ ନେଇ ସାରା ଓଡ଼ିଶା ତଥା ଭାରତରେ ସୁନାମ ଅର୍ଜନ କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ । ବାଙ୍କୀ ମହୋତ୍ସବ ସ୍ମରଣିକା କମିଟିର ସଂପାଦକ କବି କୌଶିକ ନାୟକ ଏହି ପୁସ୍ତକର ସମୀକ୍ଷା କରିଥିଲେ । ଏହି ଅବସରରେ ପୁସ୍ତକର ରଚୟିତା ଡକ୍ଟର ବେହେରାଙ୍କ ପିତା ମାୟାଧର ବେହେରା ଉପସ୍ଥିତ ଥିଲେ ।
ସଭା ପ୍ରାରମ୍ଭରେ ଓଡ଼ିଆ ସ୍ନାତକତ୍ତୋର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଶଣ କରିଥିବା ବେଳେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ସରସ୍ୱତୀ ଦେଉରୀ ସଂଚାଳନା କରିଥିଲେ । ଅମୃତ ସ୍ପିରିଚ୍ୟୁଆଲ୍ ଏକାଡେମୀ ପ୍ରକାଶନ ସଂସ୍ଥା ଆନୁକୁଲ୍ୟରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ଓ ଏହି ପ୍ରକାଶନ ସଂସ୍ଥାର ପ୍ରକାଶକ ଡକ୍ଟର ଶ୍ରଦ୍ଧାଞ୍ଜଳି କାନୁନ୍ଗୋ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି, କବି ରବିନାରୟଣ ମଙ୍ଗରାଜ, ପରିଚାଳନା କମିଟି ସଦସ୍ୟ ସମରେନ୍ଦ୍ର ମହାପାତ୍ର, ସନାତନ ବେହେରା, ସନ୍ତୋଷ କୁମାର ରଣା, ଭାଗିରଥି ବିଶ୍ୱାଳ, ଇଂ.ସତ୍ୟବ୍ରତ ରଥ, ଅକ୍ଷୟ କୁମାର ସାମଲ, ନରୋତ୍ତମ ବେହେରା, କବି ବପ୍ଳବ, କବିକେଶରୀ ନବକିଶୋର ମହାରଣା, ଅଧ୍ୟାପକ ନିରୋଧ ମନ୍ତ୍ରୀ, ଡକ୍ଟର ବୈରାଗୀ ପଟ୍ଟନାୟକଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା, କବି ଓ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ ।

No Result
View All Result