ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ବୁରୁପଡ଼ା ଗ୍ରାମ କାଳୀ ମନ୍ଦିର ସାହିରେ ଗତ କିଛି ଦିନ ଧରି ପାନୀୟ ଜଳ ଯୋଗାଣରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୀର୍ଘ ଦିନ ଧରି ଏଭଳି ସମସ୍ୟାର ସମ୍ମୁଖୀନ ହେବା ପରେ କାଳୀ ମନ୍ଦିର ସାହିର ମହିଳା ମାନେ ଏକତ୍ରିତ ହୋଇଶନିବାର ଦିନ ଦୃଢ଼ ପ୍ରତିବାଦ କରିଥିଲେ। ପ୍ରତିବାଦ ସ୍ବରୂପ ଶତାଧିକ ମହିଳା ଓ ପୁରୁଷ ହାଣ୍ଡି ମାଠିଆ ରଖି ଶେରଗଡ଼ – ହିଞ୍ଜିଳିକାଟୁ ମୁଖ୍ୟ ରାସ୍ତା ଅବରୋଧ କରି ରାସ୍ତାରୋକ କରିଥିଲେ ।

ଘଟଣା ସ୍ଥଳରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ୍ ଓ ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଢ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ ଘଟଣା ସ୍ଥଳରେ ପହଞ୍ଚି ଅଗ୍ରାଧିକାର ଭିତ୍ତିରେ ପାନୀୟ ଜଳ ଯୋଗାଣର ସ୍ଥାୟୀ ସମାଧାନ ପାଇଁ ଉତ୍ତ୍ୟକ୍ତ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ। ଫଳରେ ରାସ୍ତା ଅବରୋଧରୁ ଲୋକେ ହଟିଥିଲେ। ରବିବାର ଦିନ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ ଟ୍ୟାଙ୍କର ଯୋଗେ ସାହି ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ବନ୍ଦୋବସ୍ତ କରିଥିଲେ।

ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ସାହି ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଣର ସ୍ଥାୟୀ ସମାଧାନ କରିଥିଲେ । ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ ପୁର୍ବରୁ କାଳୀ ମନ୍ଦିର ସାହି ବାସିନ୍ଦାଙ୍କୁ ଅଳ୍ପ ପରିମାଣର ପାନୀୟ ଜଳ ଯୋଗାଣ ହେଉଥିଲା । ପରେ ସାହି ବାସିନ୍ଦାଙ୍କ ପରାମର୍ଶ କ୍ରମେ ମଧୁର ଜଳ ଯୋଗାଣ ପାଇଁ ଅନ୍ୟ ଏକ ସ୍ଥାନରେ ୬ ଲକ୍ଷ ଟଙ୍କା ବ୍ୟୟରେ ଗଭୀର ନଳ କୂପ ଖୋଳା ଯାଇ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲା । କିନ୍ତୁ କିଛି ଦିନ ପରେ ଜଳ ପାନୀୟ ଉପଯୋଗୀ ହୋଇ ପାରିଲା ନାହିଁ ।















