No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକ ଥିଲେ ସେବା ଓ ସଂଗ୍ରାମର ଅନିର୍ବାଣ ଶିଖା । ତାଙ୍କର ତ୍ୟାଗପୂତ ଜୀବନାଦର୍ଶ ଯୁବପିଢିଙ୍କୁ ଅନୁପ୍ରାଣିତ କରିବା ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍, ସାହିତ୍ୟିକ ତଥା କୃଷକ ଓ ସାମ୍ୟବାଦୀ ଆନ୍ଦୋଳନର ଅନ୍ୟତମ ଆଦ୍ୟ ପୁରୋଧା ପ୍ରାଣନାଥ ପଟ୍ଟନାୟକଙ୍କ ୫୫ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ରାଜ୍ୟ ପ୍ରାଣନାଥ ସ୍ମୃତି ସମିତି ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ସ୍ମୃତି ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାଜ୍ୟପାଳ ପ୍ରାଣନାଥଙ୍କ ଅମ୍ଲାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରାଣନାଥଙ୍କ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରକୁ ମଧ୍ୟ ବିଶେଷ ଅବଦାନ ରହିଥିବାର ସେ ଉଲ୍ଲେଖ କରିଥିଲେ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ତ୍ତ, ଆଇନ ଓ ଅବକାରୀ ବଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ‘ସମ୍ବାଦ’ ଓ ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ‘କିଟ୍’ ଓ ‘କିସ୍’ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପ୍ରାଣନାଥଙ୍କୁ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଗଣ୍ୟ ଯୋଦ୍ଧା ଓ କୃଷକ ଆନ୍ଦୋଳନର ଅନ୍ୟତମ ଆଦ୍ୟ ପ୍ରବର୍ତ୍ତକ ରୂପେ ବର୍ଣ୍ଣନା କରିଥିଲେ ।
ଗାନ୍ଧିଜୀଙ୍କର ଆହ୍ୱାନରେ ମୁକ୍ତି ସଂଗ୍ରାମରେ ଝାସ ଦେଇ ସେ ଦଶଥର କାରବରଣ କରିଥିବା ଏବଂ ଓଡ଼ିଶାରେ ସମାଜବାଦୀ ଆଦର୍ଶର ପରିପ୍ରଚାର କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ସ୍ମୃତି ସମିତିର କାର୍ଯ୍ୟକାରୀ ସଭାପତି ତଥା ବିଶିଷ୍ଟ ଲେଖିକା ଡକ୍ଟର ଅର୍ଚ୍ଚନା ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ତଥା ସିନେ ସମୀକ୍ଷକ ଦିଲ୍ଲୀପ ହାଲି ମଧ୍ୟ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ୫ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ପ୍ରାଣନାଥ ସମ୍ମାନ-୨୦୨୫’ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ପଦ୍ମଶ୍ରୀ ଅଦ୍ୱୈତ ଗଡ଼ନାୟକ-ସ୍ଥାପତ୍ୟ କଳା, ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି-ଶିକ୍ଷାବିତ୍, ଡଃ ମୃତ୍ୟୁଞ୍ଜୟ ରଥ-ଲେଖକ ଓ ଉପସ୍ଥାପକ, ଝରଣା ପଟ୍ଟନାୟକ- ସାହିତ୍ୟିକା ଓ ସମାଜସେବିକା, କେଦାର ମିଶ୍ର-କବି ଓ ସାମ୍ବାଦିକ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡଃ ମୃତ୍ୟୁଞ୍ଜୟ ରଥ ଓ ଶୁଭେନ୍ଦୁ ମହାନ୍ତି ।

No Result
View All Result