ଏହି ଅବସରରେ ଆୟୋଜିତ ସଭାରେ ପୈାର ପରିଷଦ ଉପାଧ୍ୟକ୍ଷ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥିଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଅନନ୍ୟ ବୋଲି ମତ ରଖିଥିଲେ । ଏହା ନୟାଗଡ଼ରେ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଥିଲେ । ସମାଜ ପ୍ରତି ଗୁରୁଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ଅନ୍ୟତମ ଅତିଥି ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଗୁରୁଦିବସ ଉପରେ ମାର୍ମିକ ବକ୍ତବ୍ୟ ରଖିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ବେଦ ବାଚସ୍ପତି ବିରେନ୍ଦ୍ର କିଶୋର ତ୍ରିପାଠୀ ମେଘୁଆ ପାଗରେ ଅରୁଣଦୋୟ ହୋଇଥିବା କହିଥିଲେ ।
ନୟାଗଡ଼ରେ ଏଭଳି ଗୁରୁଦିବସ ପାଳନ ସାରା ରାଜ୍ୟରେ ବିରଳ ବୋଲି କହିଥିଲେ । ନୟାଗଡ଼ ବିଧାୟକ ତାଙ୍କ ବକ୍ତବ୍ୟରେ ଯିଏ ଆମକୁ କିଛି ଦେଇଛନ୍ତି ସମାଜକୁ କିଛି ଦେଇଛନ୍ତି, ସେମାନେ ଚିର ନମସ୍ୟ ବୋଲି କହିଥିଲେ । କୈାଣସି ଶିକ୍ଷକ ତାର ଛାତ୍ରକୁ ଦୁର୍ନିତୀ ଓ ଭ୍ରଷ୍ଟାଚାରୀ ହେବାକୁ ଶିକ୍ଷା ଦେଇନାହାନ୍ତି କିନ୍ତୁ ଶିକ୍ଷିତମାନେ ଏସବୁ କହିବାର ସମ୍ଭାବନା ରଖିଥାନ୍ତି । ଛାତ୍ର ଭିତରେ କିଭଳି ଅହଂକାର ରହିବ ନାହିଁ, ତାହାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ । ଶିକ୍ଷକମାନେ ସେବାରୁ ନିବୃତ ହୋଇଥାନ୍ତି, କିନ୍ତୁ ସେମାନଙ୍କର ଅବସର ନଥାଏ ।
ଉଗ୍ର ଆଧୁନିକତାକୁ ଗ୍ରହଣ କରିବାକୁ ଯାଇ ନିଜସ୍ୱ ସଂସ୍କୃତିକୁ ନଷ୍ଟ କରି ଦେଉଛେ ବୋଲି ବିଧାୟକ କହିଥିଲେ । ଏହା ସହିତ ଗୁରୁମାନେ ସମାଜକୁ ସଚେତନ କରିବାର ଆବଶ୍ୟକତା ସମ୍ପର୍କରେ ଆଲାଚନା ରଖିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁଙ୍କ ସମେତ ବହୁ ନାରୀନେତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ କବି ଗୋପୀନାଥ ସେଠୀ ସଂଯୋଜନା କରିଥିଲେ । ନୟାଗଡ଼ ନଗର ବିଜେଡି ସଭାପତି ତଥା ଅବସରପ୍ରାପ୍ତ ପୁଲିସ ଅଧିକାରୀ ଅମୁଲ୍ୟ ମହାନ୍ତିଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା ।

© 2023 Odisha Taza News.