ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ମହିଳାଙ୍କ ସ୍ୱାସ୍ଥ୍ୟକୁ ଉନ୍ନତ କରିବା ଓ ମାସିକ ଋତୁସ୍ରାବକୁ ନେଇ ରହିଥିବା ଅପବାଦକୁ ଦୂର କରିବା ପାଇଁ ଆୟୁ ଫାଉଣ୍ଡେଶନ ପକ୍ଷରୁ, ଅଙ୍କୁରା ହସ୍ପିଟାଲ ଭୁବନେଶ୍ୱର, ୯ଏମ ଫର୍ଟିଲିଟି, ରୋଟାରି କ୍ଲବ ଅଫ ଭୁବନେଶ୍ୱର ମିଡୋଜ୍ (ଆଇଡି ବି୬୦୩୬) ଓ ୟୁନିଚାର୍ମ ସହ ସହଭାଗିତାରେ ଏକ ସମୁଦାୟ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ଋତୁସ୍ରାବ ସ୍ୱାସ୍ଥ୍ୟ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିବା’ । ଏହି କାର୍ଯ୍ୟକ୍ରମକୁ ନାରୀତ୍ୱ, ପ୍ରଜନନ ଓ ଋତୁସ୍ରାବ ସମ୍ମାନରେ ଓଡିଶାରେ ସାଂସ୍କୃତିକ ଭାବେ ପାଳନ କରାଯାଉଥିବା ରଜ ମହୋତ୍ସବ ସହ ମିଳିତ ଭାବେ ଆୟୋଜନ କରାଯାଇଥିଲା ।

ରଜ ମହୋତ୍ସବ ସହ ଏହି କାର୍ଯ୍ୟକ୍ରମକୁ ସଂଯୋଜିତ କରି ଆୟୋଜକମାନେ ଏକ ପ୍ରାକୃତିକ ଓ ସମ୍ମାନିତ ଜୈବିକ ପ୍ରକ୍ରିୟା ଭାବେ ଋତୁସ୍ରାବର ମହତ୍ୱକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଋତୁସ୍ରାବ ସ୍ୱଚ୍ଛତା ଅଭ୍ୟାସ ଉପରେ ଏକ ଅଧିବେଶନ ଅନ୍ତର୍ଭୁକ୍ତ ଥିଲା । ଏହାପରେ ୟୁନିଚାର୍ଜ ସହଯୋଗରେ ସୋଫି ସାନିଟାରୀ ନାପ୍କିନ୍ସର ବିତରଣ କରାଯାଇଥିଲା । ଅଙ୍କୁରା ହସ୍ପିଟାଲ, ଭୁବନେଶ୍ୱରର ପ୍ରତିଷ୍ଠିତ ଅବ୍ଷ୍ଟେଟ୍ରିସିଆନ ଓ ଗାୟନାକୋଲୋଜିଷ୍ଟ ଡକ୍ଟର ମୋନାଲିସା ନାୟକ ଉପସ୍ଥିତ ଅତିଥିମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ସଂକ୍ରମଣକୁ ରୋକିବା ଓ ମହିଳାଙ୍କୁ ସୁସ୍ଥତା ବୃଦ୍ଧି କ୍ଷେତ୍ରରେ ଋତୁସ୍ରାବ ସ୍ୱଚ୍ଛତାର ଭୂମିକା ଉପରେ ମହତ୍ୱ ଦେଇଥିଲେ ।















