No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ୱ ଜଳଦିବସ ସାରା ପୃଥିବୀରେ ପାଳିତ ହେଉଛି । ଖ୍ରୀ.୧୯୯୩ ମସିହା ଠାରୁ ଏହି ଦିବସ ଜାତିସଂଘ ନିର୍ଦ୍ଦେଶରେ ପାଳନ କରାଯାଉଛି । ବିଶେଷ କରି ଜଳ ସଂପଦର ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ପଦକ୍ଷେପ ନେବା ଓ ସଚେତନତା କରିବା ଏହି ଦିବସର ଅନୁଚିନ୍ତା । ଖ୍ରୀ.୨୦୩୦ସୁଦ୍ଧା ସମସ୍ତଙ୍କୁ ସ୍ୱଚ୍ଛ ଜଳ ଦେବା ପାଇଁ ପ୍ରସ୍ତାବ ରହିଛି । କିନ୍ତୁ ଏବେ ପ୍ରାକୃତିକ ଜଳଧାରାଗୁଡିକ ପୋତି ହୋଇଯିବା ଫଳରେ ଜଳ ସଂରକ୍ଷଣ କ୍ଷମତା ହ୍ରାସ ପାଇବାରେ ଲାଗିଛି । ବାଙ୍କୀ ପରିବେଶ ସୁରକ୍ଷା ସମିତି ଆନୁକୁଲ୍ୟରେ ଏକ ଆଲୋଚନା ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାକୃତିକ ଜଳର ଉତ୍ସ ଯଥା ପାଟ, ଝରଣା ଓ ନାଳଗୁଡିକ ପୋତି ହେବା ଫଳରେ ଜଳ ଧାରଣାର କ୍ଷମତା ହ୍ର୍ରାସ ପାଉଛି ବୋଲି ପ୍ରକୃତିବନ୍ଧୁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଉଲ୍ଲେଖ କରିଥିଲେ ।
ପରିବେଶ ସମିତିର ଆବାହକ ଦୀପକ କୁମାର ସାମନ୍ତରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କବି କୌଶିକ ନାୟକ ଯୋଗଦାନ କରି ବାଙ୍କୀରେ ବୋହି ଯାଉଥିବା ମହାନଦୀ ଓ ଏହାର ଶାଖା ନଦୀ ଚନ୍ଦ୍ରପା, ରଣ ଓ ହୁଳୁହୁଳା ଆଦି ନଦୀ ଏବେ ପୋତି ହୋଇ ବାଲିପାହାଡ ଭଳି ଦୃଶ୍ୟମାନ ହେଉଛି ଏବଂ ଜଳବଦଳରେ ଏବେ ବାଲିପଠା ଦେଖାଯାଉଛି ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ସରକାର ପ୍ରାକୃତିକ ଜଳ ଉତ୍ସ ଗୁଡିକୁ ସୁରକ୍ଷା ଦେବା ସହ ଆଡିବନ୍ଧ ନିର୍ମାଣ କରାଗଲେ ଜଳଧାରଣର କ୍ଷମତା ବୃଦ୍ଧି ପାଇବ ବୋଲି ପରିବେଶବିତ୍ମାନେ ମତପ୍ରକାଶ କରିଥିଲେ । ଯଦି ଏହିଭଳି ଭାବେ ପ୍ରାକୃତିକ ସଂପଦ ନଷ୍ଟ ହୋଇଯିବ ତେବେ ଆଗାମୀ ଦିନରେ ଜଳ ସଂକଟ ଉଗ୍ର ରୂପେ ଦେଖାଯିବ । ତେଣୁ ଜଳକୁ ସଂରକ୍ଷଣ ଓ ସ୍ୱଚ୍ଛ କରିବା ଦିଗରେ ସରକାର ଓ ଜନସାଧାରଣ ଆଗେଇ ଆସିବା ପାଇଁ ବାଙ୍କୀ ପରିବେଶ ସୁରକ୍ଷା ସମିତି ତରଫରୁ ନିବେଦନ କରାଯାଇଛି ।
No Result
View All Result