No Result
View All Result
୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବ୍ରହ୍ମଗିରି :- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ପାଇଁ ବୁଧବାର ଶୁଭଖୁଣ୍ଟ ପଡ଼ିଆରେ ପହଁଚିଥିବା ଜଣାପଡିଛି । ଶତାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ରେ ସୁସଜ୍ଜିତ ୭୦ ଫୁଟ ଉଚ୍ଚତା ବିଶିଷ୍ଟ ଶୁଭଖୁଣ୍ଟ କୁ ନେଇ ଯାତ୍ରା ପଡ଼ିଆରେ ପୋତା(ସ୍ଥାପନା)ଯାଇଥିଲା । ଉକ୍ତ ପଡ଼ିଆକୁ ମାଲୁଦ ଦଧିବାମନ ଦେବ ଏବଂ ବଜ୍ରକୋଟ ଗାଁ କୁଞ୍ଜେଶ୍ୱରଙ୍କ ପୀଠ ରୁ ଏହି ଭଳି ୨ଟି ଶୁଭଖୁଣ୍ଟ ଯାଇଥାଏ । ୨୪ ମୌଜା ପରିଚାଳନା କମିଟି ଦ୍ୱାରା ଯାତ୍ରା ପରିଚାଳନା କରାଯାଏ ।
ମାଲୁଦ ଦଧିବାମନ ଦେବ ସମସ୍ତ ଠାକୁରଙ୍କୁ ନିମନ୍ତ୍ରଣ କରିଥାନ୍ତି । ଦଧିବାମନ ଦେବଙ୍କ ମାର୍ଫତଦାର ୨୪ ମୌଜାର ମୁଖ୍ୟ ପରିଚାଳକ ଦାୟିତ୍ୱ ନିର୍ବାହ କରିଥାନ୍ତି । ଗୁରୁବାର ପ୍ରତ୍ୟୁଷରୁ ପଟୁଆର ସହ ବିଭିନ୍ନ ଗ୍ରାମରୁ ସୁସଜ୍ଜିତ ମେଢ଼ରେ ୨୩ ଠାକୁରଙ୍କୁ ପଡ଼ିଆକୁ ବିଜେ କରିବେ । ସେଠାରେ ଠାକୁରଙ୍କୁ ୩ ଦିନ ଧରି ଭୋଗ ଅର୍ପଣ କରାଯାଏ । ଏହି ଉତ୍ସବ ବେଳେ ୨ ଟି ଗଣନାଟ୍ୟ ମନୋରଞ୍ଜନ ପରିବେଷଣ କରିଥାନ୍ତି ।
ଠାକୁରଙ୍କ ମେଳଣ ଦେଖିବା ପାଇଁ ପୁରୀ,ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଜିଲ୍ଲାରୁ ବହୁ ଶ୍ରଦ୍ଧାଳୁ ଯୋଗଦେଇଥାନ୍ତି । ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ କୁ ଦୃଷ୍ଟିରେ ରଖି ଅସ୍ଥାୟୀ ନଳକୂପ ଖନନ କରାଯିବା ସହ କମିଟି ତରଫରୁ ମଦ୍ୟପାନ କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହି ଅବସରରେ ଦୋକାନ ବଜାରରେ ଭିଡ଼ ଜାମିଥାଏ । ଶାନ୍ତି ଶୃଙ୍ଖଳା ତଥା ସୁରକ୍ଷା ପାଇଁ କୃଷ୍ଣପ୍ରସାଦ ଥାନା ଆଇଆଇସି ଭାବଗ୍ରାହୀ ରାଉତଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
କମିଟି ତରଫରୁ ମଧ୍ୟ ସ୍ବେଚ୍ଛାସେବୀ ନିୟୋଜିତ କରାଯାଇଥିବା ଅନୁଷ୍ଠାନର ମୁଖ୍ୟ ପରିଚାଳକ ସଂଗ୍ରାମ କେଶରୀ ପଟ୍ଟନାୟକ କହିଛନ୍ତି । ଉତ୍ସବକୁ ସରସ ସୁନ୍ଦର କରିବା ନିମନ୍ତେ ୨୪ ମୌଜା ପରିଚାଳନା କମିଟି ସଭାପତି, ସମ୍ପାଦକ ସମେତ କମିଟିର ସମସ୍ତ ସଭ୍ୟ ଏବଂ କମିଟି ଅଧିନସ୍ଥ ଗ୍ରାମ ଗୁଡ଼ିକର ଯୁବକ ସଙ୍ଘ ସହଯୋଗ କରୁଥିବା ଜଣାପଡିଛି ।
No Result
View All Result