No Result
View All Result
୧୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଯାହା ପ୍ରାୟ ଦେଖିବାକୁ ମିଳି ନ ଥାଏ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନାରେ ସୋମବାର ପୂର୍ବାହ୍ଣରେ ଶୂନ୍ୟଗଣ୍ଠି ପଡ଼ିଥିବା ଦେଖିବାକୁ ମିଳିଛି। ନୀଳଚକ୍ରରେ ଲାଗିଥିବା ବାନାଗୁଡ଼ିକ ଉଡ଼ିବା ସମୟରେ ଆପେ ଆପେ ପରସ୍ପର ମଧ୍ୟରେ ଗଣ୍ଠି ପଡ଼ିଲେ ତାହାକୁ ଶୂନ୍ୟଗଣ୍ଠି କୁହାଯାଇଥାଏ । ଯାହା ପ୍ରାୟ ଦେଖିବାକୁ ମିଳି ନ ଥାଏ । ପ୍ରତ୍ୟେକ ଦିନ ପରି ରବିବାର ଅପରାହ୍ଣରେ ଚୂନରା ସେବାୟତ ଶ୍ରୀମନ୍ଦିର ଉପରକୁ ଚଢ଼ି ପତିତପାବନ ବାନା ବାନ୍ଧିଥିଲେ ।
ନୀଳଚକ୍ରରେ ଲାଗିଥିବା ଅକ୍ଷୟଦଣ୍ଡ ବା ବାଉଁଶରେ ଗୋଟିଏ ବାନା ଲାଗିଥିବା ବେଳେ ଅନ୍ୟ ବାନାଗୁଡ଼ିକ ନୀଳଚକ୍ରରେ ବନ୍ଧା ଯାଇଥିଲା । ସୋମବାର ସକାଳେ ନୀଳଚକ୍ରରେ ଲାଗିଥିବା ପତିତପାବନ ବାନାରେ ଶୂନ୍ୟଗଣ୍ଠି ପଡ଼ିଥିବା ନଜରକୁ ଆସିଥିଲା । ରାତିରେ ପବନ କାରଣରୁ ନୀଳଚକ୍ରରେ ଲାଗିଥିବା ବାନାରେ ଶୂନ୍ୟଗଣ୍ଠି ପଡ଼ିଥିବା ଅନୁମାନ କରାଯାଉଛି । ସୋମବାର ଅପରାହ୍ଣରେ ଚୂନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଯିବା ସମୟରେ ଶୂନ୍ୟଗଣ୍ଠି ପଡ଼ିଥିବା ବାନାଗୁଡ଼ିକୁ ଓଲାଗି କରି ଆଣିଥିଲେ। ପୂର୍ବରୁ ଶ୍ରୀମନ୍ଦିର ନୀଳଚକ୍ରରେ ୧୫୧ ହାତ ବାନା ସହ ଏକାଧିକ ବାନା ଲାଗୁଥିଲା ।
ଫଳରେ ବାନାଗୁଡ଼ିକ ମଧ୍ୟରେ ଶୂନ୍ୟଗଣ୍ଠି ଦେଖିବାକୁ ମିଳୁଥିଲା । ଏବେ ନୀଳଚକ୍ରରେ ୧୪ ହାତିଆ ବାନା ଲାଗିଥିବାରୁ ପୂର୍ବଭଳି ଶୂନ୍ୟଗଣ୍ଠି ଦେଖିବାକୁ ମିଳୁନି । କାଁ ଭାଁ କେତେବେଳେ ଶୂନ୍ୟଗଣ୍ଠି ପଡୁଛି । ତେବେ ଶୂନ୍ୟଗଣ୍ଠି ପଡ଼ିଲେ ଏହା ରାଜ୍ୟ ତଥା ରାଷ୍ଟ୍ର ପାଇଁ ମଙ୍ଗଳକର ହୋଇଥାଏ ବୋଲି ବିଶ୍ବାସ ରହିଛି । କାରଣ ଶୂନ୍ୟଗଣ୍ଠି ପକାଇ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ଦୈବୀ ଦୁର୍ବିପାକକୁ ଟଳାଇଦେଇ ମହାପ୍ରଭୁ ପ୍ରଜାଜନଙ୍କୁ ସୁରକ୍ଷା ଦେଇଥାନ୍ତି ବୋଲି ସାଧାରଣରେ ବିଶ୍ବାସ ରହିଛି ।
No Result
View All Result