୦୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମଗିରି :- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ଗୋମୁଣ୍ଡିଆ ପଞ୍ଚାୟତର ଟୁବୁକା ଗୁରୁକୁଳ ଆଶ୍ରମ ପରିସରରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଏଥି ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମର ଶତାଧିକ ମହିଳା ପୁରୁଷ ସାମିଲ ହୋଇ ଜୟ ଦୁର୍ଗା ପୁଷ୍କରିଣୀରୁ ଜଳ ଆଣି ମନ୍ଦିର ପରିସରରେ ପହଁଚିଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା ଆରମ୍ଭ ହୋଇଥିବା ବେଳେ ବିଦ୍ୱାନ ପଣ୍ଡିତ ଶରତ ଚନ୍ଦ୍ର ଦେବତାଙ୍କ ନେତୃତ୍ୱରେ ଯଜ୍ଞ କାର୍ଯ୍ୟ ପରିଚାଳନା ନିମନ୍ତେ ବିଭିନ୍ନ ସ୍ଥାନରୁ ୧୦ ଜଣ ବ୍ରାହ୍ମଣ ସହଯୋଗ କରୁଛନ୍ତି ।
ଏହି ଅବସରରେ ୨୪ ପ୍ରହର ନାମ ଯଜ୍ଞ ଆୟୋଜନ କରାଯାଇଛି। ଭବାନୀପୁର, ଅଁଳାକୁଦା, କୁରୁପାଳ, ବଡଝାଡ଼, ପଥରକଟା, ସାମନ୍ତରାପୁର, ତିତିପ, ଫୁଲବାରୀ ସଂକୀର୍ତନ ମଣ୍ଡଳୀ ଯୋଗଦେଇ ନାମ ପରିବେଷଣ କରୁଛନ୍ତି। ପ୍ରତ୍ୟହ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଆନନ୍ଦ ବଜାରରେ ସଭିଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ବ୍ଳକର ମୁଖ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିଲିକା ନୂଆପଡା ପକ୍ଷରୁ ଫାର୍ମାସିଷ୍ଟ ଉମାକାନ୍ତ ଜେନାଙ୍କ ନେତୃତ୍ୱରେ ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବିର ଖୋଲାଯାଇଛି। ଟୁବୁକା ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଏହି ଉତ୍ସବ ୪ ଦିନ ଧରି ଚାଲିବ ବୋଲି ଜଣାପଡିଛି।














