No Result
View All Result
୧୩ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମଗିରି :-> ବ୍ରହ୍ମଗିରିର ଆରାଧ୍ୟ ଦେବତା ପ୍ରଭୁ ଅଲାରନାଥଙ୍କ ପୁଷ୍ୟାଭିସେକ ସହ ରାଜାଧ୍ରାଜ ବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ପୌଷ ପୂର୍ଣ୍ଣମା ଦିନ ଶ୍ରୀ ଜୀଉଙ୍କ ମଧ୍ୟାହ୍ନ ଧୂପ ପରେ ଚୈତନ୍ୟ ଚକଡ଼ା ଉପରେ ମନ୍ଦିର ପୁରୋହିତଙ୍କ ଦ୍ବାରା ହୋମ କରାଯାଇ ଅଭିଷେଳ କାର୍ଯ୍ୟ ଆରମ୍ଭ ହୋଇଥିଲା । ସୁଆର ପାଳିଆମାନେ ଛେକ ନେଲାଭଳି ମୁଖରେ ତୁଣ୍ଡିବାନ୍ଧି ମାଟି ପାତ୍ରରେ ପୂର୍ବଦିନଠାରୁ ପ୍ରସ୍ତୁତ ହୋଇ ରହିଥିବା ଶୁଦ୍ଧ ସୁବାସିତ ପଞ୍ଚୁତୀର୍ଥ ଜଳ ଗୁଡ଼ିକୁ ସିଂହାସନ ନିକଟରେ ରଖାଯାଇଥିଲା । ପାଳିଆ ପୂଜାପଣ୍ଡା ଜଳପାତ୍ର ଗୁଡ଼ିକ ଭୋଗ କରିବା ପରେ ମହାଲକ୍ଷ୍ମୀଙ୍କ ବିଜେ ପ୍ରତିମାଙ୍କୁ ଉପବେଶନ କରଯାଇଥିଲା ।
ଜଳପାତ୍ରଗୁଡ଼ିକୁ ସୁଆର, ପ୍ରତିହାରୀ, ପୂଜାପଣ୍ଡା, ନେକାପ ଏବଂ ପୁଷ୍ପାଳକ ପାଳିଆ ସେବାୟତମାନେ ହାତରେ ଧରି ପ୍ରସ୍ତୁତ ହୋଇ ରହିଥିଲେ । ମନ୍ଦିର ପୁରୋହିତ ମନ୍ତ୍ର ପଠନ କରିବା ପରେ ଜଳଲାଗି ଅଭିଷେକ ଆରମ୍ଭ ହୋଇଥିଲା । ଜଳଲାଗି ପରେ ଶ୍ରୀଜୀଉ ଏବଂ ମହାଲକ୍ଷ୍ମୀଙ୍କୁ ବନକ ଲାଗି କରାଯାଇଥିଲା । ଏହାପରେ ଅଲାରନାଥଙ୍କୁ ରାଜାଧୂରାଜ ବେଶ ସରିବା ପରେ ଜୀଉଙ୍କର ଚତୁଃପାର୍ଶ୍ଵରେ ବସ୍ତ୍ର ଆଚ୍ଛାଦନ କରାଯାଇଥିଲା । ମହାଲକ୍ଷ୍ମୀଙ୍କ ବିଜୟ ବିଗ୍ରହଙ୍କୁ ପାଲିଙ୍କିରେ ଲୁକ୍କାୟିତ ଭାବେ ମନ୍ଦିର ପରିକ୍ରମା କରାଇ ସୁଆର ପାଳିଆ ପାଲିଙ୍କିରୁ ମହାଲକ୍ଷ୍ମୀଙ୍କୁ ବାହୁ ବିଜେକରି ଗରୁଡ଼ ଖମ୍ବ ନିକଟରେ ଦଣ୍ଡାୟ ମାନ କରିଥାନ୍ତି ।
ମହାଲକ୍ଷ୍ମୀଙ୍କ ନିକଟରେ ପୂଜାପଣ୍ଡା ପାଳିଆ ଏବଂ ଅଲାରନାଥ ବିଗ୍ରହଙ୍କ ନିକଟରେରେ ପୁଷ୍ପାଳକ ପାଳିଆ ଏକ ସମୟରେ ଝୁଣା ଧୂପ, ପିଷ୍ଟକ ଆଳତି, କର୍ପୂର ଆଳତି ଏବଂ ସପ୍ତ ଆଳତି କରିବା ସହିତ ଦୂବ, ବରକୋଳିପତ୍ର ଏବଂ ଅରୁଆଚାଉଳରେ ଏକ ସମୟରେ ବନ୍ଦାପନା କରାଯାଇ ଲକ୍ଷ୍ମୀ ନାରାୟଣ ଭେଟ କରଯାଇଥିଲା । ସ୍ବତନ୍ତ୍ର ଧୂପରେ ଶ୍ରୀଜୀଉଙ୍କୁ ଖିରୀ, ଚୁଡ଼ାଘଷା ଏବଂ ମାଣ୍ଡୁଅପିଠା ଅର୍ପଣ ହୋଇଥିଲା । ଅଲାରନାଥଙ୍କ ରାଜାଧୂରାଜ ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳଛି ।

No Result
View All Result