No Result
View All Result

ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ, ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ।
ପୁରୀ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ଅହିଂସାତ୍ମକ ସଚେତନତା ପଦଯାତ୍ରା ଆଜି ଐତିହାସିକ ୨୦୦ ଦିନରେ ପହଞ୍ଚିଛି। ଦୀର୍ଘ ଦୁଇଶହ ଦିନ ଧରି ଜାରି ରହିଥିବା ଏହି ନୀରବ ସତ୍ୟାଗ୍ରହ ପୁରୀବାସୀଙ୍କ ଆସ୍ଥା, ଅଧିକାର, ଆତ୍ମସମ୍ମାନ ଓ ସମାନତା ପାଇଁ ଅଟଳ ସଙ୍କଳ୍ପର ପ୍ରତୀକ ପାଲଟିଛି । ଗତ ୧ ଏପ୍ରିଲ ଉତ୍କଳ ଦିବସ ଅବସରରେ ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏବଂ ତା’ ପରଦିନ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଏହି ସଚେତନତା ପଦଯାତ୍ରା ଆରମ୍ଭ ହୋଇଥିଲା । ପ୍ରତିଦିନ ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ବ୍ୟବସ୍ଥା ପୁନଃସ୍ଥାପନ ପାଇଁ ଶାନ୍ତିପୂର୍ଣ୍ଣ ଆହ୍ୱାନ ଦିଆଯାଇ ଆସୁଛି ।

ଦୁଇଶହ ଦିନର ଏହି ଯାତ୍ରା କେବଳ ଏକ ସଂଖ୍ୟାତ୍ମକ ମାଇଲଖୁଣ୍ଟ ନୁହେଁ; ଏହା ଭକ୍ତି, ସମାନତା ଓ ଗଣତାନ୍ତ୍ରିକ ଅଧିକାର ପାଇଁ ଜାରି ରହିଥିବା ଏକ ଦୃଢ଼ ଅହିଂସାତ୍ମକ ଜନଜାଗରଣ । ଆଜିର ଏହି ବିଶେଷ ଅବସରରେ ପୁରୀ ସହରର ବହୁ ସାମାଜିକ କର୍ମୀ,ବୁଦ୍ଧିଜୀବୀ,ଯୁବକ,ମହିଳା,ବରିଷ୍ଠ ନାଗରିକ ଓ ଜଗନ୍ନାଥପ୍ରେମୀ ଯୋଗଦେଇଥିଲେ । ସଂକୀର୍ତ୍ତନ ଓ ‘ଜୟ ଜଗନ୍ନାଥ’ ଧ୍ୱନି ମାଧ୍ୟମରେ ପଦଯାତ୍ରୀମାନେ ଭକ୍ତି ସହିତ ସମାନତା ଓ ମାନବିକତାର ବାର୍ତ୍ତା ପ୍ରଚାର କରିଥିଲେ । ଏହି ପଦଯାତ୍ରା କୌଣସି ବ୍ୟକ୍ତି, ଗୋଷ୍ଠୀ କିମ୍ବା ସଂସ୍ଥା ବିରୋଧରେ ନୁହେଁ; ବରଂ ଜଗନ୍ନାଥ ସଂସ୍କୃତିର ସମତା, ସହଅସ୍ତିତ୍ୱ, ମାନବିକତା ଓ ସାର୍ବଜନୀନତାର ଆଦର୍ଶକୁ ସୁଦୃଢ଼ କରିବାର ଏକ ଶାନ୍ତିପୂର୍ଣ୍ଣ ପ୍ରୟାସ ବୋଲି ଆୟୋଜକମାନେ କହିଛନ୍ତି ।
ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “ଏହି ଆନ୍ଦୋଳନ କାହା ବିରୋଧରେ ନୁହେଁ। ଏହା ଜଗନ୍ନାଥ ସଂସ୍କୃତିର ସମତା, ମାନବିକତା ଓ ସାର୍ବଜନୀନ ଆଦର୍ଶର ସୁରକ୍ଷା ପାଇଁ ଏକ ଶାନ୍ତିପୂର୍ଣ୍ଣ ପ୍ରୟାସ। ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ପଦଯାତ୍ରା ଅବ୍ୟାହତ ରହିବ।” ଆଜିର ଏହି ଐତିହାସିକ ୨୦୦ ଦିନର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ରାଜେଶ ମିଶ୍ର, ଅମରେନ୍ଦ୍ର ପାଇକରାୟ, ବିଶ୍ୱନାଥ ମିଶ୍ର, ଶ୍ରୀକାନ୍ତ ମହାନ୍ତି, ସୁକାନ୍ତ ପଣ୍ଡା,

ନୃସିଂହନାଥ ନାୟକ, କାହ୍ନୁଚରଣ ପ୍ରଧାନ, ରମେଶ ଚନ୍ଦ୍ର ମହାନ୍ତି, ବାସୁଦେବ ଲେଙ୍କା, ଯାଦବାନନ୍ଦ ରାୟ, ଅଭିମନ୍ୟୁ ରାୟଗୁରୁ, ଅରୁଣା ପଟ୍ଟନାୟକ, ଲତା ଦାସ, ସନ୍ଧ୍ୟାରାଣୀ ମିଶ୍ର, ପ୍ରଣତି ରାୟ, ଅଞ୍ଜୁବାଳା ମହାନ୍ତି, ମମତା ଦାସ, ମମତା ସ୍ୱାଇଁ, ପ୍ରକାଶ ଚନ୍ଦ୍ର ନାୟକ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ସନ୍ତୋଷ ସେନାପତି, ବରୁଣ ମହାପାତ୍ର, ବାପିନା ସାମନ୍ତରାୟ, ରଶ୍ମୀରଞ୍ଜନ ପାତ୍ର, ସୁବାସ ପଟ୍ଟନାୟକ, କାଶୀନାଥ ସାହୁ ଓ ମାନସ ପଟ୍ଟନାୟକଙ୍କ ସମେତ ଶତାଧିକ ପଦଯାତ୍ରୀ ଓ ସତ୍ୟାଗ୍ରହୀ ଯୋଗଦେଇଥିଲେ ।
No Result
View All Result