No Result
View All Result
୧୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :-> ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ମହାସମରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ୧୫ଟି ବର୍ଗରେ ମନୋନୀତ ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ କେଲୁଆପଲ୍ଲୀକୁ ସୁସ୍ଥ ଗ୍ରାମପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଅଛି ।
ସେହିପରି ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ସାହାପୁର ପଞ୍ଚାୟତ ସାରା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଓଡ଼ିଶା ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ ବ୍ଲକ୍ କେନ୍ଦ୍ରକିଲୋ ପଞ୍ଚାୟତକୁ କାର୍ବନ୍ ନିଉଟ୍ରାଲ ବିଶେଷ ପଞ୍ଚାୟତ ବର୍ଗରେ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଅଛି । ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିବା ଏହି ପଞ୍ଚାତକୁ ପୁରସ୍କାର ରାଶି ରୂପେ ୭୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଅଛି । ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ୍ ଅନ୍ତର୍ଗତ କଶିରା ଗ୍ରାମପଞ୍ଚାୟତ ଜାତୀୟ ସ୍ତରରେ ତୃତୀୟ ସ୍ଥାନ ହାସଲ କରି ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଅଛି । ଏହି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି ।
ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅଧିନସ୍ଥ ସର୍ବୋଚ୍ଚ ପ୍ରଶିକ୍ଷଣ ପ୍ରଦାନକାରୀ ପ୍ରତିଷ୍ଠାନ ରୂପେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ପ୍ରତିଷ୍ଠାନ ଜାତୀୟସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ବର୍ଗରେ ଏହି ପ୍ରତିଷ୍ଠାନକୁ ମଧ୍ୟ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ଓଡ଼ିଶାର ଛତ୍ରପୁର ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିବା ସହିତ ଶେଷ୍ଠ ବ୍ଲକ୍ ପଞ୍ଚାୟତ ରୂପେ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ରୂପେ ୨ କୋଟି ଟଙ୍କାର ପୁରସ୍କାର ହାସଲ କରିଛି । ସେହିପରି ଜାତୀୟ ସ୍ତରରେ କୋରାପୁଟ ଦ୍ୱିତୀୟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ରୂପେ ୩ କୋଟି ଟଙ୍କାର ପୁରସ୍କାର ହାସଲ କରିଅଛି ।
ମାନ୍ୟବର କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂ ‘ପୁରସ୍କାରପ୍ରାପ୍ତ ପଞ୍ଚାୟତଗୁଡ଼ିକର କାର୍ଯ୍ୟ ଉପରେ ଅଭିନବ ଓ ସର୍ବଶ୍ରେଷ୍ଠ ପ୍ରୟାସ ଶ୍ରେଷ୍ଠ ଅଭ୍ୟାସ’ ଶୀର୍ଷକ ଏକ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଜାତୀୟ ପଞ୍ଚାୟତ ପୁରସ୍କାର ମାଧ୍ୟମରେ ପ୍ରଦାନ କରାଯାଉଥିବା ସ୍ୱୀକୃତିର ଉଦ୍ଦେଶ୍ୟ ହେଉଛି ଅନ୍ୟ ପଞ୍ଚାୟତଗୁଡ଼ିକୁ ଶ୍ରେଷ୍ଠ ଅଭ୍ୟାସ ଗ୍ରହଣ କରିବା ସହ ଭାରତର ଗାଁ ଗୁଡ଼ିକରେ ସାମଗ୍ରିକ ବିକାଶ ପ୍ରକ୍ରିୟାକୁ ଅଧିକ ମଜବୁତ କରି ସଭିଁଙ୍କୁ ଅନୁପ୍ରାଣିତ କରିବା । ସୂଚନା ଅନୁଯାୟୀ, ଏହି ପ୍ରତିଯୋଗିତାରେ ଦେଶରେ ୧ ଲକ୍ଷ ୯୪ ହଜାର ଗ୍ରାମ ପଞ୍ଚାୟତ ଅଂଶଗ୍ରହଣ କରିଥିଲେ ।
ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ପରିପ୍ରେକ୍ଷୀରେ ୯ ଗୋଟି ବିଷୟ ଯଥା: ଦାରିଦ୍ର୍ୟମୁକ୍ତ ଓ ଉନ୍ନତ ଜୀବିକାଯୁକ୍ତ ଗ୍ରାମପଞ୍ଚାୟତ, ସୁସ୍ଥ ଗ୍ରାମପଞ୍ଚାୟତ, ଶିଶୁ ଅନୁକୂଳ ଗ୍ରାମପଞ୍ଚାୟତ, ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମପଞ୍ଚାୟତ, ସବୁଜ ଓ ସ୍ୱଚ୍ଛ ଗ୍ରାମପଞ୍ଚାୟତ, ଆତ୍ମନିର୍ଭରଶୀଳ ଭିତ୍ତିଭୂମିଯୁକ୍ତ ଗ୍ରାମପଞ୍ଚାୟତ,ସାମାଜିକ ରୂପେ ସୁରକ୍ଷିତ ଓ ସାମାଜିକ ନ୍ୟାୟ ସଂଗଗ ଗ୍ରାମପଞ୍ଚାୟତ, ସୁଶାସନଯୁକ୍ତ ଗ୍ରାମପଞ୍ଚାୟତ ଓ ମହିଳାଅନୁକୂଳ ଗ୍ରାମପଞ୍ଚାୟତ ବର୍ଗରେ ଏହି ପୁରସ୍କାର ଗୁଡ଼ିକ ପ୍ରତ୍ୟେକ ବର୍ଷ ପ୍ରଦାନ କରଯାଉଅଛି । ଚଳିତ ବର୍ଷ ଓଡ଼ିଶା ମୋଟ୍ ୭ଟି ବର୍ଗରେ ୮ କୋଟି ୫୦ ଲକ୍ଷ ଟଙ୍କା ହାସଲ କରି ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଛି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ଙ୍କ ବରିଷ୍ଠ ଅଧିକାରୀ ଶ୍ରୀ ଗିରିଶ ଏସ.ଏନ. (କମିଶନର ତଥା ଶାସନ ସଚିବ), ସୁରେନ୍ଦ୍ର କୁମାର ମୀନା (ନିର୍ଦେଶକ ରାଜ୍ୟ ଗ୍ରାମ ଉନ୍ନୟନ ଓ ପଂଚାୟତ ରାଜ ପ୍ରତିଷ୍ଠାନ) , କିର୍ତ୍ତୀଭାସନ (ଜିଲ୍ଲାପାଳ କୋରାପୁଟ), ଦିବ୍ୟଜ୍ୟୋତି ପରିଡା (ଜିଲ୍ଲାପାଳ ଗଞ୍ଜାମ), ଅମୀତା ପାତ୍ର (ଉପନିର୍ଦେଶକ), ବ୍ରଜ କିଶୋର ପଣ୍ଡା (ଅର୍ଥ ପରିଚାଳକ), ପ୍ରଦୀପ୍ତ କୁମାର ମହାପାତ୍ର (ପ୍ରଶିକ୍ଷକ), ଅମ୍ବୁଜା କୁମାର ବିଶୋଇ (ସୂଚନା-ଶିକ୍ଷା-ସଂଚାର ପରାମର୍ଶ ଦତ୍ତା),ବିମ୍ବାଧର ସେଠୀ (ଯୁଗ୍ମ ସଚିବ) ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result