No Result
View All Result
୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସହ ଆଜି ପଶ୍ଚିମ ଓଡିଶାର ପ୍ରସିଦ୍ଧ ‘ପୁଅ ଜିଉଁତିଆ’ ଓଷା ଭୁବନେଶ୍ୱରର ୟୁନିଟ-୬ ସ୍ଥିତ କାଳୀ ମନ୍ଦିର ପ୍ରାଙ୍ଗଣରେ ପାଳନ କରାଯାଇଛି । ପଶ୍ଚିମ ଓଡିଶା ଅଗ୍ରଣୀ ସଂଗଠନ,ଭୁବନେଶ୍ୱରର ସଂଯୋଜନାରେ ଅନୁଷ୍ଠିତ ଏହି ଓଷାରେ ୫୦ ରୁ ଉର୍ଦ୍ଧ୍ବ ଓଷା କରୁଥିବା ମାଆ ମାନେ ଯୋଗ ଦେଇ ଥିଲେ l ୨୪ ଘଣ୍ଟା ନିର୍ଜଳା ଉପବାସ କରି ମାଆ ମାନେ ଏହି ଓଷା ନିଜ ପୁଅ ଓ ଝିଅମାନଙ୍କର ଦୀର୍ଘ ଜୀବନ ପାଇଁ ପାଳନ କରିଥାନ୍ତି । ଏହାକୁ ‘ଦୂତିବାହନ ଓଷା’ ମଧ୍ୟ କୁହାଯାଏ । ମା ଏବଂ ତାଙ୍କ ପିଲାମାନଙ୍କ ମଧ୍ୟରେ ଥିବା ନିବିଡ ସମ୍ପର୍କକୁ ଏହି ଓଷା ଦର୍ଶାଇଥାଏ l
ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ପର୍ବ ପାଳନ କରାଯାଏ l ମାତାମାନେ ନିଜ ନିଜ ଅଞ୍ଚଳରେ ଖୋଲା ସ୍ଥାନରେ ଏକତ୍ରିତ ହୋଇ ସନ୍ଧ୍ୟାରେ ପୂଜା କରନ୍ତି l ଏହି ପର୍ବ ସମୟରେ ୨୧ ପ୍ରକାରର ଫଳ ଏବଂ ଫୁଲରେ ସଜାଯାଇଥିବା ଖୋଲା ସ୍ଥାନରେ ଭଗବାନ ଦୁତିବାହନଙ୍କୁ ପୂଜା କରାଯାଏ। ମାଆ ମାନେ ପ୍ରଭୁ ଦୁତିବାହନଙ୍କୁ ୧୦୮ ଦୁବ ଏବଂ ୧୦୮ ଅରୁଆ ଚାଉଳ ସହିତ ଜିଉଁତିଆ, ଜୁଗାର ନେଇ ପୂଜା କରନ୍ତି ଏବଂ ବ୍ରତ କଥା ଶୁଣନ୍ତି l ପରଦିନ ଦିନ, ମାଆମାନେ ନିକଟସ୍ଥ ନଦୀ କିମ୍ବା ପୋଖରୀରେ ରେ ଏକ ପବିତ୍ର ବୁଡ଼ ପକାଇ ନଦୀ କୂଳରେ ରୀତିନୀତି କରନ୍ତି l
ତାପରେ, ସେମାନେ ୧୦୮ ଦୁବ ଏବଂ ୧୦୮ ଅରୁଆ ଓ ଜିଉଁତିଆ ମିଶି ଏକତ୍ର ବନ୍ଧା ଯାଇଥିବା ବିଡାକୁ ଧରି ପିଲାମାନଙ୍କର ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ସାତଥର ଉତାରୀ ଥାନ୍ତି ଏହା ପିଲାମାନଙ୍କୁ ଅସୁସ୍ଥତା ଏବଂ କୁଦୃଷ୍ଟିରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ କରାଯାଏ l ଜିଉଁତିଆ ତା’ପରେ ପିଲାମାନଙ୍କ ହାତରେ ବନ୍ଧା ହୁଏ l ପିଲାମାନଂକୁ ସୁସ୍ୱାଦୁ ଖାଦ୍ୟ ଏବଂ ବସ୍ତ୍ର ଦେବା ପରେ ମାତାମାନେ ଉପବାସ ଭାଙ୍ଗନ୍ତି l ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶ୍ରୀଯୁକ୍ତ ସୁରେଶ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ବିବେକାନନ୍ଦ ଭୋଇ,ଶିବ ଶଙ୍କର ମିଶ୍ର ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ , ସରୋଜ ପଣ୍ଡା , ରୁଦ୍ର ପ୍ରସାଦ ବେହେରା ,ରାଘବ ଗଡୁଆ ଓ କୁବେର ପ୍ରମୁଖ ସହଯୋଗ କରିଥିଲେ ।
No Result
View All Result