ଓଡିଶା ତାଜା ନ୍ୟୁଜ୍ ( ୧୪ ଅଗଷ୍ଟ ଶୁକ୍ରବାର ) ହିଞ୍ଜିଳିକାଟୁ :- କରୋନା ସଂକ୍ରମଣରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ରାଜ୍ୟରେ କରୋନା ହଟସ୍ପଟ ଭାବେ ପରିଗଣିତ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରୁ ଖସି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ଜିଲ୍ଲାର ସାଙ୍ଘାତିକ ପରିସ୍ଥିତିକୁ ଲକ୍ଷ୍ୟ କରି ଏହା ରାଜ୍ୟ ସରକାରଙ୍କ ଫୋକସରେ ରହିଛି । ଅନ୍ୟାନ ଜିଲ୍ଲା ଅପେକ୍ଷା ଗଞ୍ଜାମ ଜିଲ୍ଲାର ସଂକ୍ରମଣ ରୂପ ବଦଳିଛି । ଏଭଳି ସଂକ୍ରମଣ ପରିସ୍ଥିତିରେ ଦୃଢ ମୁକାବିଲା ସକାଶେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ତ୍ୱରାନିତ କରିଛନ୍ତି । ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ରେପିଡ଼ ରେସପନ୍ସ ଟିମ୍ ସହାୟତାରେ ସମସ୍ତ ବର୍ଗର ଜନସାଧାରଣଙ୍କ ଚିକିତ୍ସା ସକାଶେ ଏକ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏଭଳି ସ୍ଥିତିରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱାବ ନମୁନା ସଂଗ୍ରହ ପ୍ରକ୍ରିୟାକୁ ପ୍ରାଥମିକତା ଦିଆଯାଇଛି ।
ଏଥି ସକାଶେ କରୋନା ଲକ୍ଷଣ ଥିବା ବ୍ୟକ୍ତି ବିଶେଷ ରୋଗକୁ ନଲୁଚାଇ ସ୍ୱାବ ନମୁନା ପରୀକ୍ଷା ଜରିଆରେ ରୋଗମୁକ୍ତ ହେବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ସଂପ୍ରତି ହିଞ୍ଜିଳି ବ୍ଳକର ପ୍ରତି ପଞ୍ଚାୟତରେ ସ୍ୱାବ ନମୁନା ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନିତ କରାଯାଇଛି । ସ୍ଥାନୀୟ ବ୍ଳକ ଖରିଡ଼ା ପଞ୍ଚାୟତ ଗିରିଆ ନାରାୟଣପୁର ଗ୍ରାମରେ ୧୧୦ ଓ ରାଳବ ପଞ୍ଚାୟତ ର ଆଲପୁର ଗ୍ରାମରେ ୬୧ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିବା ବେଳେ କେହି ବି ପଜିଟିଭ ନଥିବା ସୂଚନା ମିଳିଛି । ସମସ୍ତ ସ୍ୱାବ ନମୁନା ନେଗେଟିଭ ଜଣାପଡ଼ିବା ପରେ ପ୍ରଶାସନ ଆଶସ୍ତ ଲାଭ କରିଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଅଶୋକ କୁମାର ମିଶ୍ର, ପିଇଓ ସୁଶାନ୍ତ କୁମାର ପାତ୍ର, ସରପଞ୍ଚ ରଘୁନାଥ ବେହେରା, ସିମିତି ସଭ୍ୟା ସନ୍ଧ୍ୟାରଣୀ ପ୍ରଧାନ, ଏଏନଏମ ଓ ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।