କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଣ୍ଟାବାଞ୍ଜି ସ୍ଥିତ ଶ୍ରୀ ଶ୍ୟାମଜୀ ମନ୍ଦିର ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତି ଓ ଶ୍ରଦ୍ଧାର ସହ ୨୩ତମ ଅନ୍ନକୂଟ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଅନୁଷ୍ଠିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ବାବା ଶ୍ୟାମଙ୍କ ଆଶୀର୍ବାଦ ଲାଭ କରିଥିଲେ । ଏହି ଅବସରରେ ବାବା ଶ୍ୟାମଙ୍କର ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯାଇ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନରେ ପ୍ରସ୍ତୁତ ଅନ୍ନକୂଟ ଭୋଗ ଅର୍ପଣ କରାଯାଇଥିଲା । ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ମହାପ୍ରସାଦ ବଣ୍ଟନ କରାଯାଇଥିଲା ।

ମଧ୍ୟାହ୍ନ ୧ଟା ୧୫ ମିନିଟରୁ ଆରମ୍ଭ ହୋଇଥିବା ଏହି ଆୟୋଜନରେ ଭକ୍ତଙ୍କ ଆଗମନ ଲାଗି ରହିଥିଲା। ବାବା ଶ୍ୟାମଙ୍କ ଜୟକାରରେ ମନ୍ଦିର ପରିସର ଭକ୍ତିମୟ ହୋଇଉଠିଥିଲା । ଅନ୍ନକୂଟ ମହାପ୍ରସାଦରେ ମୁଗ, କଢ଼ି, ଭାତ, ମିଶ୍ରିତ ତରକାରୀ, ପୁରୀ, କାଞ୍ଜିବରା ଓ ହାଲୱା ଆଦି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପରିବେଷଣ କରାଯାଇଥିଲା । ଶ୍ରଦ୍ଧାଳୁମାନେ ଧାଡ଼ିରେ ରହି ମହାପ୍ରସାଦ ଗ୍ରହଣ କରିଥିଲେ । ଚଳିତ ବର୍ଷ ଅନ୍ନକୂଟ ମହାପ୍ରସାଦର ବ୍ୟବସ୍ଥା କଣ୍ଟାବାଞ୍ଜିର ଶ୍ୟାମଲାଲ ମନୋଜ ଡାଲମିଆ ପରିବାର ପକ୍ଷରୁ କରାଯାଇଥିଲା । ଏହି ଧାର୍ମିକ ଆୟୋଜନକୁ ନେଇ ମନ୍ଦିର ପରିସରରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଥିଲା ।














