ଓଡିଶା ତାଜା ନ୍ୟୁଜ୍ (୧୦ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ଏବେ ଡ଼ାକବାଜି ଯନ୍ତ୍ରରେ ଥାନା ବାବୁ ମାନଙ୍କ ଦ୍ୱାରା ଏମିତିକା ପ୍ରଚାର ଶୁଣି,ଯୋଗିଆ ଚୌକିଆ କଥା ମନେ ପଡ଼ିଲା । ନିଶା ରାତ୍ରିରେ ସମସ୍ତେ ନିଘୋଡ଼ ନିଦରେ ଶୋଇଥିଲା ବେଳେ ଚିରାଚରିତ ଚୌକିଆ ବେଶରେ ସରକାରୀ ନେଳିଆ ଜାମା ସାଙ୍ଗକୁ ମୁଣ୍ଡରେ ପଗଡ଼ି ଓ ହାତରେ ଲଣ୍ଠନ ଧରି, ଠେଙ୍ଗାକୁ ରାସ୍ତାରେ କଚି କଚି ଚୋରିର ପ୍ରତିକାର ପାଇଁ ଯୋଗିଆ ପାଟିକରି କହୁଥିଲା, ହୁସିଆର… ହୁଅ.. ସାବଧାନ, ହୋ.. ବସ୍ତିବାଲେ !! ଡାକଶୁଣି, ବୁଢ଼ାବୁଢ଼ୀ କିମ୍ବା ଅନିଦ୍ରା ରୋଗରେ ପୀଡିତ ଥିବା ରୋଗୀ ଲୋକମାନେ ଘରଭିତରୁ ଖଣ୍ଡିକାଶ ମାରି ଚେତା ଥିବା ସୁଚେଇ ଦେଉଥିଲେ । ସୂଚନା ପାଇ, ଯୋଗିଆ ଚୌକିଆ ଆଉ ଟିକେ କଡା ଗଳାରେ ହୁସିଆର… ହୁଅ… ବୋଲି କହୁଥିଲା । କେହି କେହି ମରଦ ଲୋକେ ନିଦରୁ ଉଠି ଦାଣ୍ଡକୁ ଏକ ପାସ ଆସି ଅମଳି ଟିକେରେ ଟକ ମାରୁଥିଲେ ।
ଯୋଗିଆ ବି ତା ପସନ୍ଦର ଲୋକଙ୍କୁ ବିଡ଼ି ଖଣ୍ଡେ କି ଧୂଆଁପତ୍ର ଟିକେ ପାଇଁ ଦାନ୍ତ ନିକୁଟି ନେଡା ପତାଏ । ଚୌକିଆର ଡାକ, ପିଲାଙ୍କ ପାହାନ୍ତି ପଢା ପାଇଁ ଘଣ୍ଟାର ଆଲାରାମ ଭଳି ଥିଲା । ବୋହୁ ଭୁଆଶୁଣି ମାନେ ରାତି ପାହିବା ପୂର୍ବରୁ ନିତ୍ୟକର୍ମ ଶେଷ କରିବାକୁ ପ୍ରସ୍ତୁତ ହେଉଥିଲେ, ଗାଈ ଗୋରୁଙ୍କୁ ପାଳକୁଟା ପକେଇ, ଫୁଲ ତୋଳି, ଗୋବର ପାଣି ପକେଇ ବାସି ପାଇଟିରେ ଲାଗୁଥିଲେ । ପୁରୁଷ ଲୋକେ ଫନ୍ଦା ଫସଲରେ ପାଣିମଡା, ବେଙ୍ଗଳାପକା କିମ୍ବା ପାଖ ବସଷ୍ଟାଣ୍ଡ, ରେଳଷ୍ଟେସନ କି ବଜାର ହାଟକୁ ଯିବାର ଥିଲେ ବହାରି ପଡୁଥିଲେ । ବର୍ଷ ବର୍ଷ ଧରି ରାତିରେ ପହରା ଦେଇ ଚୌକିଆର ଡର ଭୟ କିଛି ନ ଥାଏ, ନୁଙ୍ଗୁଡା ଚୋରମାନେ ତା କର୍କଶିଆ ରଡିରେ ବାଟଭାଙ୍ଗି ଚାଲି ଯାଉଥିଲେ । କୁକୁରମାନେ କୁଁ କୁଁ ହୋଇ ନାଙ୍ଗୁଡ଼ ଜାକୁଥିଲେ । କେବେକେମିତି ଭୁଲରେ ଯୋଗିଆକୁ ଲମ୍ବଯନ୍ତୁ କାମୁଡ଼ିଲେ, ଯୋଗିଆର ଅଫିମଖିଆ ବିଷାକ୍ତ ରକ୍ତ ସଂସ୍ପର୍ଶରେ ଆସି, ବିଷ ଜ୍ୱାଳାରେ ଜନ୍ତୁଟିର ନିଶ୍ଚିତ ମୃତ୍ୟୁ ହେଉଥିଲା ।
କଇଁଆ ଗଛ, ଓସ୍ତ ଗଛରେ ଥିବା ଚଣ୍ଡୀ ଚାମଣ୍ଡା, ଭୁତ ପ୍ରେତ ଚିରିଗୁଣୀ ସବୁ ଚୌକିଆକୁ ଦେଖି ବାଟ ଛାଡ଼ି ଦେଉଥିଲେ । ସେଥିପାଇଁ ପ୍ରାୟ ପ୍ରତି ମାସରେ ନୂଆ ନୂଆ ଭୁତପ୍ରେତ, ହେଟାଗଧିଆ, ଚୋର ଡକାୟତ ଗପ ଦି ଚାରିଟା ଯୋଗିଆ ମୁଦ୍ରିତ କାରଖାନାରୁ ବାହାରି ଲୋକଙ୍କ ପାଖରେ ପହଞ୍ଚୁ ଥିଲା । ପିଲାଏ ପଢା ବହିର ପ୍ରତିଷ୍ଠିତ ଗାଳ୍ପିକ ମାନଙ୍କ ଲିଖିତ ଗପ ଅପେକ୍ଷା ଯୋଗିଆ ବର୍ଣ୍ଣିତ ଗଳ୍ପମାଳା କୁ ଅଧିକ ଆହରଣ କରୁଥିଲେ । ପିତେଇ ଘୁଷୁରିଚଣ୍ଡୀକୁ ମାଡି ବସିବା ଠୁ ଗୋଦରୀ ପ୍ରେତିନି ପିଲାକୁ ଧରି କାନ୍ଦିବା, କଅଁଳା ବାଛୁରୀ ଡେଇଁ ପଳେଇବା, ଯୋଖା ଗଡ଼ିବା, ଧଳା ଲୁଗା ପିନ୍ଧା ମାଇପି ଗଛ ଡାଳକୁ କଡ଼ମଡ଼ କରି ଭାଙ୍ଗିଦେବା ଆଦି ଗପକୁ ପିଲାଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ମୂଖସ୍ଥ କରି ଦେଉଥିଲେ । ଭାବ ଅଭାବରେ ଥିବା ସଭିଙ୍କ ପାଇଁ ଏଭଳି କାହାଣୀପେଡି ର ରୋଚକ ଆଲୋଚନା ସାମୟିକ ଭାବେ ଭୋକ ଶୋଷ ମାରିଦିଏ । କିଛି ବାହାପିଆ କୁହାଳିଆଙ୍କ ପୃଷ୍ଠପୋଷକତାରେ ଗପ ସମୂହର ପ୍ରଚାର ଉଦେଶ୍ୟ କିନ୍ତୁ କେହି ଜାଣୁ ନ ଥିଲେ ।
ମୁଷ୍ଟିମେୟଙ୍କ ଶୋଷଣ କଷଣ, ବାଡ଼ି ବସନ୍ତ ସାଙ୍ଗକୁ ବଢି ମରୁଡ଼ିରେ ଉତ୍କଟ ଖାଦ୍ୟଭାବରୁ ଅନେକ ଲୋକେ ଛୋଟିଆ ମୋଟିଆ ଚୋରିହାରି କରୁଥିଲେ । ବିଲବାଡିରୁ କଳେଇ ବିଡା ଠୁ ଆମ୍ବ ପଣଷ, କଦଳୀକାନ୍ଧି, ଚାଳର ଛତୁ ଲାଉ କଖାରୁ, ବାସନ କୁସନ, ଚାଷ ଲୁହା, କୁକୁଡ଼ା, ଛେଳିମେଣ୍ଢା, ଶାଗ ମାଛ ଓ କାଠ ବାଉଁଶ ଚୋରି ହେବାଟା ନିତିଦିନିଆ ଘଟଣା । ଏପରିକି ପୁଅ ବୋହୁଙ୍କ ଦ୍ୱାରା ହତାଦର ହେଉଥିବା ବୁଢା ବୁଢ଼ୀମାନେ, ରନ୍ଧା ହାଣ୍ଡିରୁ ଭାତ ତୋରଣୀ ଚୋରି କରି ଖାଇବାକୁ ନେଇ ଚୌକିଆ ଓ ମୁଖିଆଙ୍କ ପାଖରେ ଅନେକ ଫେରାଦ ହୁଅନ୍ତି । ଦଉଡିଦିଆ, ବିଷଖିଆ, ଛାଡପତ୍ର ଦିଆ, ଦାଦାନରୁ ଲୁଚି ପଳେଇ ଆସିବା, ମାଡ଼ ଫଉଦାରୀ ଓ ସମସ୍ତ ଚୋରିହାରିର ଏତଲାସହ ଥାନା ଖର୍ଚ୍ଚ ଯୋଗିଆ ଚୌକିଆ ବାଟଦେଇ ଥାନାକୁ ଯାଉଥିଲା । ଏ ସମସ୍ତଙ୍କ ଅତାପତା, ଠିକଣାର ହିସାବ ନିକାଶକୁ ଡାକ ଵାଲା ଆଉ ଯୋଗିଆ ଚୌକିଆ ରଖୁଥିଲା । ଏମିତି କି ଲୁଚା ଛପାରେ ପ୍ରେମୀଯୁଗଳ ଓ ଜୁଆଡ଼ିଆଙ୍କ ରାତ୍ରି ଠିକଣା କେବଳ ଚୌକିଆକୁ ଜଣାଥିଲା ।
ଉଦଣ୍ଡି ମାଇପିଙ୍କ ଧରମଭାଇ ହୋଇ, ବର୍ଷିକୀଆ ନବୀକରଣ ବାବଦ ରାକ୍ଷୀ ସହ ଭଲ ଅଣ୍ଟାଗୁଞ୍ଜା ବି ପାଉଥିଲା ସେ । ପରଘରପଶା ରାତିହଗୁରା ସବୁ ଯୋଗିଆର ପ୍ରୀତିବନ୍ଧୁ ଲେଖା ଭିଣୋଇ ଅବା ଭଣଜା ବୋଲାଉଥିଲେ । ହେଲେ ଭୁତ ପ୍ରେତ କଥା ବ୍ୟତୀତ ବାକି ସବୁ ସମ୍ବନ୍ଧ ଓ ବିଷୟକୁ ସେ ଗୁପ୍ତ ରଖୁଥିଲା । ସାହି ବସ୍ତିର କଙ୍ଗାରୁ କୋର୍ଟର ଦଣ୍ଡ ବିଧାନ କି ଜାତିଆଣ ବିଦ୍ୱେଷ ଜନିତ ଝାମେଲାରେ ଚୌକିଆକୁ ସ୍ୱତନ୍ତ୍ର ହାତଗୁଞ୍ଜା ଗଣ୍ଠିରି ଦେଇ ବିଶ୍ୱାସକୁ ନିଆ ଯାଉଥିଲା । ଏହି ଭଳି ଗୁଡ଼ାଏ ଯୋଜନାର ହିତାଧିକାରୀ ହୋଇଥିବାରୁ ପରିବାର ଗୁଜୁରାଣ ମେଣ୍ଟେଇବା ରେ କି ମାଛମାଉଁସ ଭଲମନ୍ଦ ଖାଇବାରେ ତାର ସିନା କିଛି ଅଭାବ ନଥିଲା, କିନ୍ତୁ ପିଲାଙ୍କୁ ପାଠ ଦିଅକ୍ଷର ପଢେଇବା, କି ବୋପା ଅମଳର ଉଜୁଡ଼ା ଝାଟିମାଟି ଝୁମ୍ପୁଡି ଘରକୁ ସେ ସଜାଡି ପାରୁ ନଥିଲା । ସବୁ ସତ୍ତ୍ୱେ ତା ସରଳତା, ନିର୍ଭୀକତା, ଦୁଃସାହସିକ କର୍ମ ନିପୁଣତା ଓ ବିଶ୍ୱାସନୀୟତା ଉପରେ କାହାର ସନ୍ଦେହ ନଥିଲା । ଚୌକିଆ ବୃତି ସହିତ, ଜଣେ ଦକ୍ଷ ପଥର କଟାଳି ହିସାବରେ ତାର ନାଁ ଥିଲା । ସକାଳ ପାଇଲା ବେଳକୁ ତା ଦଶ କେଜିଆ କଲିକତି କାଙ୍କ ଖଣିର ଉପରକାଟ ପଥର ଦିଅଣ୍ଡା କାଟି ପକାଉଥିଲା । ୟାକୁ ଛାଡି ଲୁଣମନ୍ତୁରା ଓ ଝଡ଼ାଫୁଙ୍କା ବି ସେ କରୁଥିଲା । ଚୌକିଆର ସବୁ ପ୍ରକାର ନିଷ୍ଠା ଓ ସତର୍କତା ପରେ ବି ଚୋରିହାରି ବଢିବାରୁ ଲୋକେ ଅତିଷ୍ଠ ହୋଇପଡିଥିଲେ ।
ନାହାକ ପଣ୍ଡିତ,ପାଞ୍ଚ ମହାଦେବଙ୍କ ପାଦୁକ ଧରି ହଲପ କରେଇବା, ନଖଦର୍ପଣି ଦେଖିବା, ଖଟ ବୁଲେଇବା ଠାରୁ ମାନସିକ ନଡ଼ିଆ ବସା, କର୍ଣ୍ଣପିଚାଷୀ, ଗୁଣିଆ ଓ ଥାନା ପର୍ଯ୍ୟନ୍ତ ଚୋରି ଧରିବାରେ ସମସ୍ତେ ବିଫଳ ହେଉଥିଲେ । ବସ୍ତୁତଃ ବସ୍ତିରେ ଅବିଶ୍ୱାସର ବାତାବରଣ ଟିଏ ସୃଷ୍ଟି ହେବାକୁ ଲାଗିଲା । ସମସ୍ତେ ସମସ୍ତଙ୍କୁ ସନ୍ଦେହ କଲେ । ଘରକୁ ବନ୍ଧୁ ବାନ୍ଧବ ଆସିଲେ, ଲୋକେ ତାଙ୍କୁ ଭେଦିଆ ଭାବିଲେ । ଧୀରେ ଧୀରେ ପାଖ ପଡୋଶୀଙ୍କ ଘରକୁ ଯିବା ଆସିବା ବନ୍ଦ ହୋଇଗଲା । ଗୁଣି ଗାରେଡି ଡରରେ କେହି କାହାର ଭାର ଥୁର ବି ଛୁଇଁଲେନି । ସ୍ଥାନୀୟ ଦିଅଁ ଦେବତାଙ୍କ ଠୁ ଲୋକଙ୍କ ଭରଷା ତୁଟିଗଲା । ସବୁଆଡୁ ନିରାଶ ହେବାରୁ, ସାହି ବସ୍ତିର ମୁଖିଆ ମାନେ ଶେଷରେ କୋଡିଏ କୋଷ ଦୂର ମାଳୁଆଣି ବୁଢ଼ୀ ପାଖରେ ମଙ୍ଗଳବାର ଅମାବାସ୍ୟା ତିଥି ରାତିରେ ଘଣ୍ଟ ପିଟି, ମାନସିକ ଦ୍ବୀପ ଜାଳି, ଓଲଟା ଚୁଳ ଗଞ୍ଜା କୁକୁଡ଼ା ବଳି ଚଢାଇ କାଳସୀକୁ ଜୋରି ପିଆଇବାରୁ ଠାକୁରାଣୀ ଉଭା ହୋଇ ହୁକୁମ ଦେଲା । ସେଇ ଆଧାରରେ “ଶ୍ୟାମଳବର୍ଣ୍ଣ ବାଙ୍ଗରା ଲୋକ “, ଆଉ “ଫସଲଖିଆ ବାଡ଼ ” କୁ ଖୋଜା ଚାଲିଲା…. ଯୋଗିଆ ଚୌକିଆକୁ ଫସଲ ଖିଆ ବାଡ଼ ଓ ନଈ ସେପାରି ଗାଁର ତା ଦୂର ସମ୍ପର୍କୀୟ ଭାଇ, ଖଣ୍ଡ ମଣ୍ଡଳର କୁଖ୍ୟାତ ଶ୍ୟାମଳ ବର୍ଣ୍ଣ ବାଙ୍ଗରା ଚୋର ଗୋପିଆ ନାୟକ ଉପରେ ସମସ୍ତଙ୍କ ସନ୍ଦେହ ଘନୀଭୂତ ହେବାକୁ ଲାଗିଲା । କାଳସୀ ବୁଢ଼ୀ ଦେଇଥିବା ମନ୍ତୁରା ଧଳା ଶୋରିଷକୁ ବିଂଛି ଚାରିଆଡୁ କିଳି ଦିଆଗଲା । ଚୋରି ର ଶିକାର ହୋଇଥିବା ସବୁ ଲୋକ ଗୁପ୍ତ ବୈଠକି କଲେ । ବିଲ ବାଡ଼ିରେ ଭାଡ଼ି ମାରିଲେ ।
ଘରେ ବାହାରେ ହନୁମାନ ବାନା ବାନ୍ଧିଲେ । ଫୌଜି ଫେରନ୍ତା ଲୋକେ ପିଲାଙ୍କୁ ମେଳିକରି ଦେଶ ବନ୍ଦନା ଗୀତ ଗାଇବା ସାଙ୍ଗକୁ ଯୋଗ,ଡ୍ରିଲ ଭଳି ପ୍ରଶିକ୍ଷଣ ଦେଇ ବାଳକ ସେନା ଗଢିଲେ, ରାତି ରାତି ଉଜଗ ରହି ଚାରିଆଡ଼ ନାକାବନ୍ଦୀ କରାଇଲେ । ଛୋଟମୋଟ ସାହାସିକତା ପାଇଁ ବସ୍ତି ପିଲାଙ୍କୁ ସ୍ୱାଧୀନତା ଦିବସରେ ଯୋଦ୍ଧା ସମ୍ମାନିତ କରାଗଲା । କିନ୍ତୁ ଚୋରି ନ ଥମିବାରୁ ଟୋକାଏ ଯୋଗିଆ ଚୌକିଆର ଚାଲି ଚଳଣି ଉପରେ ତୀକ୍ଷ୍ଣ ନଜର ରଖି ଜାଣିଲେ ଯେ, ପ୍ରତି ଚାରି ଆଠ ଦିନରେ ରାତି ଅଧରେ କିଏ ଜଣେ ବାହାର ଲୋକ ତା ଘରକୁ ଯା ଆସ କରୁଛି । ଠିକ ଦିନ ଆଠଟା ଯାଇଛି କି ନାଇଁ, ସତକୁ ସତ, ଯୋଗିଆ ପହରା ଦେବାବେଳେ, ଜଣେ ଶ୍ୟାମଳ ବର୍ଣ୍ଣ ବଳିଷ୍ଠ ଚେହେରାର ବାଙ୍ଗରା ଲୋକଟିଏ ଗଣ୍ଠିଲି ଧରି ଯୋଗିଆ ଘରକୁ ପଶିଲା । ଚୌକିଆ ଘରକୁ ମଧ୍ୟରାତ୍ରୀରେ ଘେରାବନ୍ଦୀ କରିବାକୁ ନିରସ୍ତ୍ର ଟୋକାଙ୍କ ସାହସ ନ ହେବାରୁ, ଲୋକଟି ଉପରକୁ ଚୋରିବତୀ ମାରି ହୋ ହାଲାକରି ପାଟିକଲେ.. ହୁସିଆର ହୁଅ… ଚୌକିଆ ଘରେ ଚୋର ପଶିଛି…. ଟୋକାଙ୍କ ପାଟିରେ କୁକୁର ଜୋରରେ ଭୁକିବାରୁ, ଅନ୍ଧାର ରାତିରେ ଚୋରଟି ଗଣ୍ଠିଲି ସହ ଖେପାଟେ ମାରି ଆଖି ପିଛୁଳାକେ କୁଆଡେ ଉଭାନ ହୋଇଗଲା ।
ଯୋଗିଆକୁ ତା ପହରା ଦବା ବନ୍ଦ କରାଇ ବାଳକ ସେନା ଖୋଜି ଆଣି ମୁରବି ଲୋକଙ୍କ ପାଖରେ ହାଜର କରାଇଲେ । ଯୋଗିଆ ବିନା ଦ୍ବିଧାରେ ସ୍ବୀକାର କଲାଯେ, ତା ଘରକୁ ପଶୁଥିବା ଲୋକଟି, ତାର ସେଇ ଦୁରସମ୍ପର୍କୀୟ ଭାଇ ଗୋପି ନାୟକ, କୁଖ୍ୟାତ ସିନ୍ଧିଚୋର । ଧନୀ ଲୋକଙ୍କ ଘରୁ ଚୋରିକରି ଗରିବ ଗୁରୁବା, ନିଆଶ୍ରିକ, କିମ୍ବା ତା ଆଶ୍ରୟ ଦାତା ମାନଙ୍କୁ ଦାନ କରେ । ନେତା ମନ୍ତ୍ରୀ, ଥାନା ପୋଲିସ ବି ତାଠୁ ଉଞ୍ଛା ନିଅନ୍ତି । ଏମିତିକି ଆଖପାଖରେ ମୁରବି ପଣିଆ ଦେଖାଉ ଥିବା କେତେକ ଥିଲାଵାଲା କୁହାଳିଆ ଟାଉଟର, ବାବୁ ସାହେବ, ଚାକିରିଆ, ଗୋପିଆଠୁ ଦାମୀ ଚୋରି ଜିନିଷପତ୍ର କିଣୁଥିବା ଯୋଗିଆ ଚୌକିଆ ଓ ଥାନାକୁ ଜଣାଅଛି । ସେଇ ମାନଙ୍କ ଭିତରୁ ଅନେକଙ୍କ ପରୋକ୍ଷ ପ୍ରରୋଚନାରେ ଭୟ ସୃଷ୍ଟି କରିବାକୁ, ଭୁତପ୍ରେତ ର ନୂଆ ସଂସ୍କରଣ ଗପ ଛାଡିବା ବ୍ୟତୀତ, କୌଣସି ଚୋରି ହାରିରେ ତାର ଆଦୌ ସମ୍ପୃକ୍ତି ନ ଥିବା ଦୃଢୋକ୍ତି ରଖିବାରୁ, ଟୋକାଏ ଯୋଗିଆ ଚୌକିଆକୁ ଛାଡି ଚୋରି ଜିନିଷ ରଖୁଥିବା ଧୋବଧବଳିଆ ଙ୍କ ପଛରେ ପଡିଗଲେ । ଗୋପି ନାୟକ ଭଳି କୁଖ୍ୟାତ ଚୋର ସହ ସମ୍ପର୍କ ରଖି ଆଶ୍ରୟ ଦେଉଥିବାରୁ, ଯୋଗିଆ ତା ଚୌକିଆ ପଦ ହରାଇଲା ଦିନୁ ହୁସିଆର ହୁଅ.. ସାବଧାନ, ଡାକ ବି ଆଉ ଶୁଣା ନ ଥିଲା । (ଶ୍ରୀଦ୍ଧାର୍ଥ ପଣ୍ଡା /ଲେଖକ)