୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେତନଟୀ :-> ପରିବେଶ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି। ନୂତନ ଜଙ୍ଗଲ ସୃଷ୍ଟି କରିବା, ଧ୍ୱଂସ ତଥା ଅବହେଳିତ ଜଙ୍ଗଲକୁ ରକ୍ଷାକରିବା, ଖାଲି ପଡିଥିବା ଜଙ୍ଗଲ ଜମିରେ ଚାରା ରୋପଣ କରି ଜଙ୍ଗଲ ସୃଷ୍ଟି କରାଯିବାପାଇଁ ଲୋକ ଦେଖାଣିଆ ଚାଲିଛି ବନ ମହୋତ୍ସବ କାର୍ଯ୍ୟକ୍ରମ। ଅନ୍ୟ ପକ୍ଷରେ କିଛି ମାଫିଆଙ୍କ ଦ୍ୱାରା ଜଙ୍ଗଲ ଜମି ନିଜ ଅକ୍ତିଆରକୁ ନେଇ ସେଥିରେ ଅଟ୍ଟାଳିକା , ପାର୍କ, ବ୍ୟବସାୟ ପେଣ୍ଠ ଆଦି ତିଆରି କରିବା ଦ୍ୱାରା ଏ ବାବଦରେ ସମସ୍ତ ଉଦ୍ୟମ କେବଳ ଚାକିରୀ ବଞ୍ଚାଇବାପାଇଁ ଭଳି ଅଭିଯୋଗ ଆସୁଛି। ଏଭଳି କିଛି ଘଟଣା ବୈଶିଙ୍ଗା ବନାଞ୍ଚଳ ଅଧିନରେ ଥିବା ରଙ୍ଗାମାଟିଆ ସଂରକ୍ଷିତ ଜଙ୍ଗଲରେ ଘଟିଥିବା ନେଇ ସେହି ଗ୍ରାମର ଶତାଧିକ ଗ୍ରାମବାସୀ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମୟୂରଭଞ୍ଜ ଜିଲ୍ଲା ବନଖଣ୍ଡ ଅଧିକାରୀ, ବେତନଟୀ ରେଞ୍ଜ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଏହି ମୌଜାରେ ଜନୈକ ବ୍ୟକ୍ତି ପ୍ରାୟ ଏକ ଏକର ରୁ ଅଧିକ ଜମି ବେଆଇନ ଭାବେ ଦଖଲ କରିବା ସହିତ ଉକ୍ତ ଜମିରେ ସ୍ଥାୟୀ ନିର୍ମାଣ ସାଙ୍ଗକୁ ପାର୍କ ତିଆରି କରି ପାର୍ଶ୍ଵରେ ଥିବା ” ଲାଲ୍ ମିର୍ଚ ” ନାମକ ଏକ ନାମୀଦାମୀ ହୋଟେଲ କୁ ଭଡା ସୂତ୍ରରେ ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛୁନ୍ତି। ତେବେ ଏହି ହୋଟେଲ ପରିବେଶ ବିଭାଗ ଠାରୁ ଅନୁମତି ପତ୍ର ପାଇଛି କି ନାହିଁ ତାହା ମଧ୍ୟ ଅନୁସନ୍ଧାନ ସାପେକ୍ଷ। ଏହାକୁ ନେଇ ସ୍ଥାନୀୟ ପୋଲିସ ପ୍ରଶାସନର ନିରବତା ସନ୍ଦେହ ଘେରରେ।
© 2023 Odisha Taza News.