୧୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ -> ରାଜ୍ୟ ସରକାରଙ୍କ ଜାରି ମାର୍ଗଦର୍ଶିକା ଅନୁସାରେ ଗଠିତ 11 ଜଣିଆ କମିଟିର ଏକ ଜରୁରୀ ବୈଠକ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଆସନ୍ତା 18 ତାରିଖ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ପୁଣିଥରେ ଖୋଲାଯାଇ ଭିତର ଭଣ୍ଡାରରେ ଥିବା ଅଳଙ୍କାର ଆଦି ସ୍ଥାନାନ୍ତର କରାଯିବ । ଖଟସେଜ ଘରେ ହୋଇଥିବା ଅସ୍ଥାୟୀ ଭିତର ଭଣ୍ଡାରକୁ ଏହା ସ୍ଥାନାନ୍ତରିତ ହେବ । ଏହି ସମସ୍ତ ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ କରାଯିବ ।
ଗତ 14 ତାରିଖ ଦିନ ଭିତର ଭଣ୍ଡାର ମୁଖ୍ୟ ଦ୍ବାରରେ ଲାଗିଥିବା 3ଟି ଯାକ ତାଲା ଟ୍ରେଜେରୀରୁ ଆସିଥିବା ଦୁଇଟି ଚାବିରେ ନ ଖୋଲିବାରୁ ତାଲାଗୁଡିକୁ ଭାଙ୍ଗି କମିଟି ପ୍ରବେଶ କରିଥିଲେ । କିନ୍ତୁ ସମୟ ଅଭାବରୁ ସ୍ଥାନାନ୍ତର ପ୍ରକ୍ରିୟା ସମ୍ଭବପର ହୋଇ ପାରି ନଥିଲା । ସେହିଦିନ ଭିତର ଭଣ୍ଡାର ଦ୍ବାରରେ ଭଙ୍ଗାଯାଇଥିବା 3ଟି ଯାକ ତାଲା ଏବଂ ପୁରୁଣା ଦୁଇଟି ଚାବିକୁ ଜିଲ୍ଲା ଟ୍ରେଜେରିରେ ଜମା କରାଯାଇଛି । ଏଥି ସହିତ 2ଟି ନୂଆ ତାଲା ପକାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରି ତାହାର ଚାବିକୁ ମଧ୍ୟ ଟ୍ରେଜେରିରେ ଜମା କରାଯାଇଛି । ସେହି 2ଟି ଚାବି ଆଣି 18 ତାରିଖରେ, ସେଦିନ ଲାଗିଥିବା ନୂଆ ତାଲା ଖୋଲାଯିବ ।















