No Result
View All Result
୧୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବହୁ ପ୍ରତିକ୍ଷିତ ଭିତର ରତ୍ନଭଣ୍ଡାର ଖୋଲାଯାଇଛି । ଏ ସମ୍ପର୍କରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଅବସରପ୍ରାପ୍ତ ଜଷ୍ଟିସ ବିଶ୍ବନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡଃ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାରକୁ ପ୍ରବେଶ କରିବା ପୂର୍ବରୁ ୧୧ ଜଣିଆ ଟିମ ଗୁଣ୍ଡିଚା ମନ୍ଦିରରେ ପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ । ପରେ ଶ୍ରୀମନ୍ଦିର କାର୍ଯ୍ଯାଳୟରେ ରତ୍ନଭଣ୍ଡାର ଖୋଲିବା ମାର୍ଗଦର୍ଶିକା ଉପରେ ଆଲୋଚନା କରାଯାଇଥିଲା । ପରେ ଶ୍ରୀମନ୍ଦିରରେ ମା ବିମଳା ଓ ମା ଲକ୍ଷ୍ମୀଙ୍କ ମୁଣ୍ଡିଆ ମାରି ରତ୍ନଭଣ୍ଡାରକୁ ପ୍ରବେଶ କରିଥିଲେ । ପ୍ରଥମେ ବାହାର ରତ୍ନଭଣ୍ଡାର ଚାବି ଖୋଲି ସମସ୍ତ ଅଳଙ୍କାରକୁ ଭିଡିଓ ଗ୍ରାଫି କରିବା ପରେ ସ୍ବତନ୍ତ୍ର ଭାବେ ନିର୍ମିତ ସିନ୍ଦୁକରେ ଚାବି ପକାଇବା ସହ ସିଲ କଲେ ।
ପରେ ଭିତର ରତ୍ନଭଣ୍ଡାର ଚାବି ଖୋଲିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ତାହା ଖୋଲି ନଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୩ଟି ଚାବିକୁ ଭଙ୍ଗା ଯାଇଥିଲା । ଭିତର ରତ୍ନଭଣ୍ଡାରରେ କିଛି ଆଲମିରା ଓ ସିନ୍ଦୁକ ରହିଥିବା ଦେଖିବାକୁ ମିଳିଥିଲା । ଆସନ୍ତା କାଲି ବାହୁଡାଯାତ୍ରା ଓ ସୁନାବେଶ ଥିବାରୁ ୩ଟି ତାଲା ପକାଇ ସିଲ କରିବା ସହ ୩ଟି ଚାବିକୁ ଜିଲ୍ଲାପାଳଙ୍କୁ ଟ୍ରେଜେରୀରେ ରଖିବା ପାଇଁ ପ୍ରଦାନ କରାଯାଇଥିଲା । ପ୍ରଭୁଙ୍କ ଇଛାରେ ୧୧ଜଣିଆ କମିଟି ସୁସ୍ଥ ଭାବେ ଫେରିଥିଲେ । ପରେ ବୈଠକ ବସି ତାରିଖ ନିର୍ଦ୍ଧାରଣ ହେବା ପରେ ପୁଣି ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି ସହ ଖଟ ଶେଯ ଘରେ ଅସ୍ଥାୟୀ ରତ୍ନଭଣ୍ଡାର କରାଯାଇ ସେଠାରେ ରଖାଯିବ ।
ଏହି ୧୧ ଜଣିଆ କମିଟିରେ ଅଧ୍ୟକ୍ଷଙ୍କ ସମେତ ଜିଲ୍ଲାପାଳ, ଏସପି, ରାଜାଙ୍କ ପ୍ରତିନିଧି, ଡାକ୍ତର ଓ ଅନ୍ଯମାନେ ରହିଥିଲେ । ସୁରକ୍ଷା ପାଇଁ ମନ୍ଦିର ଚାରିପଟେ ୮୫ ଜଣ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଥିଲେ । ରତ୍ନଭଣ୍ଡାର ଖୋଲିବା ଶବ୍ଦ ଶୁଣି ଶହ ଶହ ଚେମେଡି ଚଟିଆ ଉଡୁଥିବା ଦୃଶ୍ଯମାନ ହୋଇଥିଲା । ସକାଳୁ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଶ୍ରୀଲୋକନାଥ, ମା ବିମଳା, ମା ଲକ୍ଷ୍ମୀ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲିବାକୁ ନେଇ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଟୁଇଟ କରି ପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ । ବିଜେପି ସରକାର ଆସିବା ପରେ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ଓ ରତ୍ନଭଣ୍ଡାର ଖୋଲିବାକୁ ନେଇ ସାଢେ ୪ କୋଟି ଓଡିଆଙ୍କ ମନରେ ଆନନ୍ଦ ସଞ୍ଚାର ହୋଇଛି ।
No Result
View All Result