ଓଡିଶା ତାଜା ନ୍ୟୁଜ୍ (୭ ଅଗଷ୍ଟ ଶୁକ୍ରବାର) ଭୁବନେଶ୍ୱର :- ସମଗ୍ର ଦେଶରେ ପାଳିତ ହେଉଛି ‘ଷଷ୍ଠ ଜାତୀୟ ହସ୍ତତନ୍ତ ଦିବସ’ । ପ୍ରତ୍ୟେକ ଭାରତୀୟ ଭିତରେ ଆମର ଐତିହ୍ୟ ସମ୍ପନ୍ନ ଓ ବହୁପୁରାତନ ପାରମ୍ପରିକ ହସ୍ତତନ୍ତ କଳାପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଏହି ସଂସ୍କୃତି ଓ କଳାସହିତ ବଂଶାନୁକ୍ରମେ ଜଡିତ ବୁଣାକାର ମାନଙ୍କ ସମ୍ମାନର୍ଥେ ଏହି ଦିବସକୁ ଆଜି ସମଗ୍ର ଦେଶରେ ପାଳନ କରାଯାଉଛି । ଭାରତ ବର୍ଷରେ ଓଡିଶାର ଋଦ୍ଧିମନ୍ତ ହସ୍ତତନ୍ତ ବସ୍ତ୍ର ବିଶେଷତଃ ବାନ୍ଧବସ୍ତ୍ରର ଏକ ସ୍ୱତବ ସ୍ଥାନ ରହିଅଛି । ସର୍ବୋପରି ଏହି ହସ୍ତତନ୍ତ କ୍ଷେତ୍ର ଲକ୍ଷ ଲକ୍ଷ ଗ୍ରାମୀଣ ବୁଣାକାରଙ୍କୁ ଜୀବିକା ଯୋଗାଇବାରେ ସମର୍ଥ ହୋଇପାରିଛି । ଅଗଷ୍ଟ ୭ ତାରିଖକୁ ହସ୍ତତନ୍ତ ଦିବସ ରୂପେ ପାଳନ କରିବାର ତାତ୍ପର୍ଯ୍ୟ ହେଉଛି ୧୯୦୫ ମସିହାରେ ଏହି ତାରିଖରେ କଲିକତାର ଟାଉନ୍ ହଲରେ ଆୟୋଜିତ ସ୍ୱଦେଶୀ ଆନ୍ଦୋଳନରେ ବିଦେଶୀ ବସ୍ତ୍ର ବର୍ଜନ କରି ସ୍ୱଦେଶୀବସ୍ତ୍ର ପରିଧାନ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଏଣୁ ଭାରତର କଳା ଓ ସଂସ୍କୃତିକୁ ରଦ୍ଧିମନ୍ତ କରିଥିବା ହସ୍ତତନ୍ତ କଳାକୁ ସର୍ବଜନ ବିଦିତ କରିବା ତଥା ସଂରକ୍ଷିତ କରି ପ୍ରୋତ୍ସାହିତ କରିବାପାଇଁ ଏହି ଦିନଟିକୁ ସର୍ବଭାରତ ସ୍ତରରେ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରାଯାଉଅଛି ।
ଏହାର ମୂଳଲକ୍ଷ୍ୟ ଏହି କ୍ଷେତ୍ରସହ ଜଡିତ ଅଗଣିତ ବୁଣାକାରଙ୍କ ମନରେ ସ୍ୱାଭିମାନ ଜାଗ୍ରତ କରିବା ସଙ୍ଗେସଙ୍ଗେ ସେମାନଙ୍କ ବୃତିକୁ ଓ ସେମାନଙ୍କ ଦ୍ୱାରା ଉତ୍ପାଦିତ ବସ୍ତ୍ରକୁ ସୁଦୂର ପ୍ରସାର କରାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା । ଷଷ୍ଠ ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ଆଜି ପୂର୍ବାହ୍ନରେ ଜାତୀୟସ୍ତରରେ ଉଦ୍ୟୋଗଭବନ, ନୂଆଦିଲ୍ଲୀ ଠାରେ ବୟନଶିଳ୍ପ ମବଣାଳୟ ପକ୍ଷରୁ ହ୍ୟାଣ୍ଡଲୁମ୍ ମାର୍କ ସ୍କିମ୍ ର ଶୁଭାରମ୍ଭ, ହ୍ୟାଣ୍ଡଲୁମ୍ ପୋର୍ଟାଲ୍ ର ଶୁଭ ଉଦ୍ଘାଟନ, ଭର୍ର୍ଚୁଆଲ୍ ପ୍ରଦର୍ଶନୀ, କ୍ରାଫ୍ଟ ହ୍ୟାଣ୍ଡଲୁମ୍ ଗ୍ରାମର ଉପସ୍ଥାପନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମ ଗୁଡିକ ସହିତ ସାରା ଦେଶର ହ୍ୟାଣ୍ଡଲୁମ୍ କ୍ଲଷ୍ଟର୍, ସମସ୍ତ ୨୮ଟି ବୁଣାକାର ସେବା କେନ୍ଦ୍ର , ୬ଟି ଆଇ.ଆଇ.ଏଚ୍.ଟି, ଏନ୍.ଏଚ୍,ଡି.ସି, ଏଚ୍.ଇ.ପି.ସି ଓ ଏନ୍.ଆଇ.ଏଫ୍.ଟି କ୍ୟାମ୍ପସ୍, କୁଲୁସ୍ଥିତ କ୍ରାଫ୍ଟ ହ୍ୟାଣ୍ଡଲୁମ୍ ଗ୍ରାମ, ମୁମ୍ବାଇର ଟେକ୍ସଟାଇଲ୍ କମିଟି, ଚେନ୍ନାଇର ଭରର୍ଚୁଆଲ ପ୍ରଦର୍ଶନୀ ସହିତ ସଂମ୍ପୃକ୍ତ କରାଯାଇଥିଲା ।
ଅପରାହ୍ନରେ ବୁଣାକାର ସେବା କେନ୍ଦ୍ର, ଭୁବନେଶ୍ୱର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବୁଣାକାର ସେବା କେନ୍ଦ୍ରର ନିର୍ଦ୍ଦେଶକ, ଶ୍ରୀଯୁକ୍ତ ମନୋଜ ଜୈନ ସ୍ୱାଗତ ଭାଷଣ ଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୟନଶିଳ୍ପ ନିର୍ଦ୍ଦେଶକ, ଓଡ଼ିଶା, ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ଦାସ, (ଓ.ପ୍ର.ସେ), ସରକାରଙ୍କ ପକ୍ଷରୁ ବୁଣାକାରମାନଙ୍କ ନିମନ୍ତେ ନିଆଯାଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।ଭବିଷ୍ୟତରେ ହସ୍ତତନ୍ତ କ୍ଷେତ୍ରରେ ‘ଇ ମାର୍କେଟିଙ୍ଗ୍’ ର ଉପାଦେୟତା, ସରକାରଙ୍କର ଇ ମାର୍କେଟିଙ୍ଗ୍ ବ୍ୟବସ୍ଥା ଦ୍ୱାରା ବଜାରକରଣର ଉନ୍ନତି, ହସ୍ତତନ୍ତ ବୁଣାକାରମାନଙ୍କର ଉତ୍ପାଦର ଏକ କମ୍ପାନୀ ପ୍ରତିଷ୍ଠା, ହ୍ୟାଣ୍ଡଲୁମ୍ ମାର୍କ, ଭାରତୀୟ ହ୍ୟାଣ୍ଡଲୁମ୍ ବ୍ରାଣ୍ଡ, ବୁଣାକାରମାନଙ୍କୁ ଯୋଗାଇଦିଆଯାଉଥିବା କଂଚାମାଲ, ଆଦି ପ୍ରସଙ୍ଗ ଉପରେ ବକ୍ତାମାନେ ଅଭିଭାଷଣ ପ୍ରଦାନ କରିଥିଲେ ।
ଏହି ଉତ୍ସବରେ ମେସର୍ସ ଆମାଜନ୍ ର ଶ୍ରୀ ଦୁର୍ଗାମାଧବ ନାହାକ, ମେସର୍ସ ଜିଇଏମ୍ (ଏ.ର.ଗ) ର ସୁଧାଂଶୁ ପ୍ରଧାନ, ବୁଣାକାର ସେବା କେନ୍ଦ୍ର, ଭୁବନେଶ୍ୱରର ଶ୍ରୀ କେ.ବେହେରା, ବୟନଶିଳ୍ପ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶ୍ରୀ ଦେବଜିତ୍ ନନ୍ଦୀ, ଟେକ୍ସଟାଇଲ୍ କମିଟି ର ଶ୍ରୀ ପ୍ରଦୀପ କୁମାର ଦାଶ, ବୁଣାକାର ସେବା କେନ୍ଦ୍ର ର ଉପନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର, ଏନ୍.ଏଚ୍.ଡି.ସିର ଆଂଚଳିକ ମ୍ୟାନେଜର ଶ୍ରୀ ଏ.କେ.ଶାହା, ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ୪ଟି ତାଲିକାଭୁକ୍ତ ଉତ୍ପାଦ କମ୍ପାନୀକୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେଗୁଡିକ ହେଲା ମେସର୍ସ ତରାବୋଇ ହ୍ୟାଣ୍ଡଲୁମ୍ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍, ମେସର୍ସ ଶୁଭଶ୍ରୀ ହ୍ୟାଣ୍ଡଲୁମ୍ ପ୍ରଡ୍ୟୁସର୍ କମ୍ପାନୀ ଲିମିଟେଡ୍, ମେସର୍ସ ନୂଆପାଟଣା ‘ଇକତ୍’ ହ୍ୟାଣ୍ଡଲୁମ୍ କମ୍ପାନୀ ଲିମିଟେଡ୍, ମେସର୍ସ ଝିଲିମିଣ୍ଡା ଟ୍ରାଡିସନାଲ୍ ହ୍ୟାଣ୍ଡଲୁମ୍ ପ୍ରର୍ଡୁସର କମ୍ପାନୀ ଲିମିଟେଡ୍ । ଉତ୍ସବର ଶେଷରେ ବୁଣାକାର ସେବା କେନ୍ଦ୍ର, ଭୁବନେଶ୍ୱରର ଟେକ୍ସଟାଇଲ୍ ଡିଜାଇନର୍ ଶ୍ରୀମତୀ ବିଉଟି ମିଲି ଧନ୍ୟବାଦ ଅର୍ପଣ କରିଥିଲେ ।