ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ

୨୮ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) କଳାହାଣ୍ଡି :-> କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ପ୍ରଶାସନ ପ୍ରସ୍ତୁତିକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆଜି ଭବାନୀପାଟଣାରେ ସମୀକ୍ଷା କରିଛନ୍ତି । ସ୍ଥାନୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଆର ଡି ସି ସମ୍ବଲପୁର ଶ୍ରୀ ଶ୍ରୀକାନ୍ତ ପୃଷ୍ଟି , ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି ଚରଣ ସିଂ ମୀନା, କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ,ନୂଆପଡା ଜିଲ୍ଲାପାଳ ହେମନ୍ତ କୁମାର ସା, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମିହିର ପ୍ରସାଦ ମହାନ୍ତି ,

ସହକାରୀ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସାହୁ , ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ତ୍ରିଲୋଚନ ପାତ୍ର , ଉପ ଜିଲ୍ଲାପାଳ ଧର୍ମଗଡ ଧୀମନ ଚକମା , ଉପଜିଲ୍ଲାପାଳ ଭବାନୀପାଟଣା ବିଶ୍ଵଜିତ ଦାସ , ସି ଡି ଓ ଜିଲ୍ଲାପରିଷଦ ଦୟାମୟ ପାଢୀଙ୍କ ସମେତ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ନିର୍ବାଚନ ସମ୍ବନ୍ଧୀୟ କମିଟି ଓ ସଂଯୁକ୍ତ ଅଧିକାରୀ ଉପସ୍ଥିତ ଥିଲେ । ପି ପି ଟି ମାଧ୍ୟମରେ ପ୍ରଦତ୍ତ ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ୫/୧/୨୦୨୪ ସୁଦ୍ଧା ୧୧,୯୪,୭୫୭ ଜଣ ଭୋଟର ଥିବା ବେଳେ ପୁରୁଷ ଭୋଟର ୫,୯୯,୨୯୩ ଜଣ ଏବଂ ମହିଳା ଭୋଟର ୫,୯୫,୩୯୩ ଜଣ , ତୃତୀୟ ଲିଙ୍ଗ ୭୧ ଜଣ ଏବଂ ଦିବ୍ୟାଙ୍ଗ ୧୫,୯୨୭ ଜଣ ଅଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାରେ ମତଦାନ କେନ୍ଦ୍ର ମାନଙ୍କରେ ପାନୀୟ ଜଳ , ଆସବାବପତ୍ର , ବିଦ୍ୟୁତ , ଦିବ୍ୟଙ୍ଗମାନଙ୍କ ପାଇଁ ରାମ୍ପ , ଶୌଚ।ଳୟ , ପିଂକ ବୁଥ, ହୋମ ଭୋଟିଂ , ବାଲାଟ ପେପର , ଭୋଟହାର ବୃଦ୍ଧି ଓ ନୂତନ ଭୋଟର ସଚେତନତା , ଇଭିଏମ ଓ ଭିଭିପାଟ ଉପରେ ଜନ ସଚେତନତା ଓ ନିର୍ବାଚନ ସଂଯୁକ୍ତ ଅଧିକାରୀଙ୍କୁ ତାଲିମ , ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଏବଂ ଧର୍ମଗଡ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟରେ ଭୋଟ ଗଣତି କେନ୍ଦ୍ର,ବିତରଣ ଓ ଗ୍ରହଣ କେନ୍ଦ୍ରର ପ୍ଲାନିଂ , ପୋଲିସ ପ୍ଲାଟୁନର ଆବଶ୍ୟକତା , ସି ଭିଜିଲ ଆପର ବ୍ୟବହାର, ଆଦର୍ଶ ଆଚରଣ ବିଧି,ଖର୍ଚ୍ଚ ବିବରଣୀ ଟିମ ଓ ଅନ୍ୟାନ୍ୟ ଟିମର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡୀ ଜିଲ୍ଲାରେ ୫ ଟି ନିର୍ବାଚନ ମଣ୍ଡଳୀର ପ୍ରସ୍ତୁତି ଉପରେ ପିପିଟି ମାଧ୍ୟମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଥିଲେ । ସେଭଳି ନୂଆପଡା ଜିଲ୍ଲାପାଳ ହେମନ୍ତ କୁମାର ସା ପିପିଟି ମାଧ୍ୟମରେ ନୂଆପଡା ଓ ଖରିଆର ନିର୍ବାଚନ ମଣ୍ଡଳୀର ପ୍ରସ୍ତୁତି ଉପରେ ଅବଗତ କରିଥିଲେ ।

ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ ଦୁଇ ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ସୁରକ୍ଷା ଓ ପୋଲିସ ଅଧିକାରୀଙ୍କୁ ନେଇ ବୈଠକ କରିଥିଲେ । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ୧୪୦ ଟି ସମ୍ବେଦନଶୀଳ ବୁଥ ରହିଛି ଓ ୧୯୪ ଜଣ ପୋଲିସ ସେକ୍ଟର ଅଧିକାରୀ ନିୟୋଜିତ ଅଛନ୍ତି।ଛତିଶଗଡ ଜିଲାର ଧର୍ମଗଡ ସୀମାରେ ସିମଳା, କଦଳୀମୁଣ୍ଡା , ଗୋଲାମୁଣ୍ଡା ସୀମାରେ ଡୁମେର ପଦର , କୋକସରା ସୀମାରେ ବେହେରାଗୁଡା, ପାଇକପଡା ରେ ଅବୈଧ କାରବାରକୁ ରୋକିବା ଲାଗି ଚେକପୋଷ୍ଟ କରାଯାଇଛି । ସେଭଳି କନ୍ଧମାଳ , ବଲାଙ୍ଗିର, ରାୟଗଡା , ନୂଆପଡା ଓ ନବରଙ୍ଗପୁର ସୀମାରେ ୧୩ ଟି ଅନ୍ତଜିଲ୍ଲା ଚେକ ପୋଷ୍ଟ କରାଯାଇଛି । ମଦ , ଗଞ୍ଜା ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ , ଅବୈଧ ଟଙ୍କା କାରବାରକୁ ରୋକିବା ପାଇଁ ବ୍ୟବସ୍ଥା କରାଯାଇଛି।

ସି ଇ ଓ ଶ୍ରୀ ଧଳ ଲାଇସେନ୍ସ ବନ୍ଧୁକ ଜମା କରିବା, ସୋସିଆଲ ମିଡିଆ ମନିଟରିଂ , ମାଓ ନିୟନ୍ତ୍ରଣ ଉପରେ ବିଭିନ୍ନ ପ୍ରଶ୍ନ ପୋଲିସ ଅଧିକାରୀଙ୍କୁ ପଚାରିଥିଲେ। ନିର୍ବାଚନକୁ ଅବାଧ, ମୁକ୍ତ ଓ ଶାନ୍ତିପୂର୍ଣ୍ଣ ଭାବରେ କରିବାକୁ ଜିଲ୍ଲାପାଳ, ଏସ ପି, ରିଟର୍ଣିଂ ଅଧିକାରୀ,ନୋଡାଲ ଅଧିକାରୀ ନିଜ ଦାୟିତ୍ଵକୁ ସଠିକ୍ ଭାବେ ପାଳନ କରିବାକୁ କହିଥିଲେ । ଭୋଟର ମାନେ ଯେଭଳି ସୁବିଧାରେ , ଶାନ୍ତିପୂର୍ଣ୍ଣ ଭାବରେ ମତଦାନ କରିବେ , ତା ଉପରେ ସମସ୍ତ ପ୍ରକାର ସୁବ୍ୟବସ୍ଥା କରିବା ପାଇଁ ନିଶ୍ଚିତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।