୨୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୂଆଦିଲ୍ଲୀ :-> ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିରରେ ଅଗ୍ନି ଉତ୍ସବ ମହାସମାରୋହ ରେ ପାଳନ କରାଯାଇଛି । ପବିତ୍ର ମାଘ ପୁର୍ଣିମାର ପୁଣ୍ୟତିଥିରେ ଅଗ୍ନି ଦେବତାଙ୍କ ପୂଜନ ଉଦେଶ୍ୟରେ ଆୟୋଜିତ ଏହି ମହୋତ୍ସବ ରେ ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କ ପରିବାର ଏବଂ ପରିଜନ ଙ୍କ ସହିତ ଉପସ୍ଥିତ ହୋଇଥିବା ଦେଖାଯାଇଥିଲା।ଅଗିରା ପୁନେଇଁ ଦୃଷ୍ଟି ରୁ ସମଗ୍ର ମନ୍ଦିର ପରିସରରକୁ ଭବ୍ୟ ଢଙ୍ଗରେ ସଜ୍ଜାଯାଇଥିଲା। ଏହି ଅବସରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମନାରେ ବୈଦିକ ରୀତି, ନୀତି କ୍ରମେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା।
ଅଗ୍ନିପର୍ବ ଉପଲକ୍ଷେ ଆୟୋଜକ ମାନଙ୍କ ଦ୍ୱାରା ମନ୍ଦିର ସାମ୍ନାରେ କାଠ ସାମଗ୍ରୀ କୁ ଏକତ୍ରୀତ କରି ଆକର୍ଷଣୀୟ ରଙ୍ଗ ବେରଙ୍ଗ ର ଚିତାଙ୍କନ ମଧ୍ୟରେ ଏକ ସୁନ୍ଦର, ଶୁଶୋଭିତ ଅଗି ବନାଯାଇଥିଲା। ସନ୍ଧ୍ୟା ୭ଟା ସମୟରେ ପୂଜାରୀ ମାନଙ୍କ ଦ୍ଵାରା ମନ୍ତ୍ର ପାଠ ସହିତ ଆମନ୍ତ୍ରିତ ଅତିଥି ଓ ଆଗନ୍ତୁକମାନଙ୍କ ଦ୍ୱାରା ସୁସଜ୍ଜିତ ଅଗିରେ ଅଗ୍ନି ସଂଯୋଗ କରାଯାଇଥିଲା। ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଅଗି ଚାରିପଟେ ବୁଲି ଭଜନ, କୀର୍ତ୍ତନ, ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନୀ ଉଚ୍ଚାରଣ ତଥା ଶଙ୍ଖ, ଘଣ୍ଟ,ମର୍ଦଳ, କରତାଳ,ଝାଞ୍ଜ ଓ ମୃଦଙ୍ଗ ବାଦନ ର ଗହ ଗହ ନାଦରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା।ସମଗ୍ର ପରିବେଶ ଭକ୍ତିପୁତ ଏବଂ ଉତ୍ସବ ମୁଖର ହେବାର ବିରଳ ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା।
ବିଶେଷ କରି ଅଗି ଜଳିବା ସମୟରେ ଜାଜଲ୍ଵମାନ ଅଗ୍ନିଶିଖା ଦର୍ଶକମାନଙ୍କ ପାଇଁ ଅପୂର୍ବ ଆଧ୍ୟାତ୍ମିକ ଉତ୍ସ୍ୱାସ ଏବଂ ଅଜସ୍ର ଐଶ୍ୱରୀକ ଆନନ୍ଦର ଆଲୌକିକ ଅନୁଭୂତି କୁ ଉପଲବ୍ଧ କରିବାର ପରମ ସୁଯୋଗ ସୃଷ୍ଟି କରିଥିଲା। ଅଗ୍ନି ଦେବତା ସମ୍ମିଳିତ ଭକ୍ତମାନଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ ପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା। ଦର୍ଶକ ମାନେ ଜଳୁଥିବା ଅଗିକୁ ଆଳୁ, ବାଇଗଣ, ସାରୁ, କନ୍ଦମୂଳ, ଚିନାବାଦାମ, ଖଇ ଓ ଗଜକ ଆଦି ଭୋଗ ଆକାରରେ ଅର୍ପଣ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସକ ଡ଼ଃ ଦେବେନ୍ଦ୍ର ପ୍ରସାଦ ମାଝୀ, ସରୋଜ କୁମାର ନାୟକ ଏବଂ ରାମଚନ୍ଦ୍ର ନାଥ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।