୧୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବାଲୁଗାଁ :- ରବିବାର ସକାଳେ ବାଲୁଗାଁ ରେଳଷ୍ଟେସନର ୧ ନମ୍ବର ପ୍ଲାଟଫର୍ମ ଠାରେ ରାଉରକେଲା -ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ ଟ୍ରେନରୁ ଖସିପଡି ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ପ୍ରଶାନ୍ତ କୁମାର ବେହେରା (୬୩), ଘର ଖୋର୍ଦ୍ଧା ଜିଲ୍ଲା ମନ୍ଦାରବସ୍ତ ନିକଟ ଅରାଙ୍ଗ ଗ୍ରାମ ବୋଲି ଜଣାପଡିଛି l ପ୍ରକାଶ ଯେ, ରବିବାର ସକାଳ ସାଢେ ନଅ ଘଟିକା ସମୟରେ ଟ୍ରେନ ଟି ପ୍ଲାଟଫର୍ମ ରେ ରହଣି କରିଥିଲା l ପ୍ରଶାନ୍ତ ପାଣି ନେବା ପାଇଁ ଟ୍ରେନ ରୁ ଓହ୍ଲେଇ ଥିଲେ ଏତିକିବେଳେ ଟ୍ରେନ ଟି ଛାଡିଦେଇଥିଲା l ସେ ଦୌଡ଼ି ଯାଇ ଟ୍ରେନକୁ ଉଠିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସି ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ l
ଉକ୍ତ ସମୟରେ ସେଠାରେ କର୍ତ୍ତବ୍ୟରତ ଆର ପି ଏଫ କର୍ମଚାରୀ ଶିବ ପ୍ରସାଦ ଦାସ ଆହତ ପ୍ରଶାନ୍ତ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ଏକ ଅଟୋ ଯୋଗେ ବାଲୁଗାଁ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଇଥିଲେ l ସେଠାରୁ ଡାକ୍ତର ଙ୍କ ପରାମର୍ଶ କ୍ରମେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା l କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l ସାର୍ଟ ପକେଟ ରୁ ମିଳିଥିବା ଆଧାର କାର୍ଡ ଏବଂ ଫୋନ ନମ୍ବର ସଂଗ୍ରହ କରି ତାଙ୍କ ପରିବାର ଲୋକଙ୍କୁ ଏ ନେଇ ସୂଚନା ଦିଆଯାଇଥିଲା l














