No Result
View All Result
୨୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :-> “ ସମୃଦ୍ଧି ପଥରେ ଦୁର୍ନିତୀ ପ୍ରଧାନ ଅନ୍ତରାୟ” ଏବଂ ଏହି ଦୁର୍ନିତୀକୁ ସମୂଳେ ବିନାଶ ଓ ପ୍ରତିରୋଧ ପାଇଁ ଓଡିଶା ଲୋକାୟୁକ୍ତ ଆଇନ – ୨୦୧୪ ରାଜ୍ୟରେ ପ୍ରଣୟନ ହୋଇଯାଇଛି । ସାଧାରଣ ଲୋକଙ୍କୁ ଏକ ଦୁର୍ନିତୀମୁକ୍ତ ଶାସନ ଓ ସ୍ବଚ୍ଛ ପ୍ରଶାସନକୁ ସମସ୍ତଙ୍କ ପାଖରେ ନିଶ୍ଚିତ କରିବା ତଥା ଜନସାଧାରଣଙ୍କୁ ଦୁର୍ନୀତି ସମ୍ବନ୍ଧୀୟ ଅଭିଯୋଗ ଉପରେ ତଦନ୍ତ କରିବା , ଦୋଷୀଙ୍କୁ ଦଣ୍ଡବିଧାନ ଦିଗରେ ଓଡିଶା ଲୋକାୟୁକ୍ତ କାର୍ଯ୍ୟାଳୟ ଗଠନ କରାଯାଇଛି . ଏହି ଉପରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲାରେ ଆଜି ସ୍ଥାନୀୟ ଟାଉନହଲଠାରେ ଓଡ଼ିଶା ଲୋକାୟୁକ୍ତ କାର୍ଯ୍ୟାଳୟ ଆୟୋଜନରେ କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଲୋକାଯୁକ୍ତ ଓଡିଶାର ସମ୍ମାନସ୍ପଦ ବିଚାରପତି ଶ୍ରୀ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ରୂପେ ଲୋକାୟୁକ୍ତ ମାନ୍ୟବର ସଭ୍ୟ ଡ ଦେବବ୍ରତ ସ୍ଵାଇଁ , ଲୋକାୟୁକ୍ତ ସଂପାଦକ ଶ୍ରୀ ମାନସ ରଞ୍ଜନ ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଦୌରାଜଜ୍ କଳାହାଣ୍ଡି ଶ୍ରୀ ଶୁଭଞ୍ଜନ ମହାନ୍ତି , ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ଶ୍ରୀ ତନ୍ମୟ କୁମାର ଦରୱାନ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଂପାଦକ ଶ୍ରୀ ଶୁଭ ଗୌତମ ମିଶ୍ର ମଞ୍ଚାସିନ ଥିଲେ। ସଭା ଆରମ୍ଭରେ ଅତିଥି ଗଣ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ “ବନ୍ଦେ ଉତ୍କଳ ଜନନୀ “ଗାନକୁ ସମ୍ମାନ କରିଥିଲେ। ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଶୁଭଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ ସହ ଲୋକାୟୁକ୍ତ ଆଇନ ୨୦୧୪ ର ସଚେତନତା କର୍ମଶାଳାର ଉଦ୍ଦେଶ୍ୟ ଉପରେ ମତ ରଖିଥିଲେ।
ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି ସାଧାରଣ ଜୀବନରେ ଦୁର୍ନୀତିକୁ ପ୍ରଶ୍ରୟ ନ ଦେଇ କିଭଳି ସରକାରୀ କାର୍ଯ୍ୟଳୟରେ ହେଉଥିବା ଦୁର୍ନୀତିକୁ ପ୍ରତିହତ କରିବା ଏବଂ ଏ ସମ୍ବନ୍ଧୀୟ ଅଭିଯୋଗ ନିର୍ଦ୍ଧିଷ୍ଟ କର୍ତ୍ତୃପକ୍ଷଙ୍କୁ ଜଣାଇବା ଏବଂ ସରକାରଙ୍କ ଦ୍ଵାରା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ଦୁର୍ନୀତି ପ୍ରତି ସଚେତନ ହୋଇ ଲୋକାଯୁକ୍ତଙ୍କୁ ଅଭିଯୋଗ କରିବା ଉପରେ ଆହ୍ବାନ ଦେଲେ। ଲୋକାଯୁକ୍ତ ସଂପାଦକ ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ ଦୁର୍ନୀତି ଅଭିଯୋଗ ସଂକ୍ରାନ୍ତୀୟ ଫାର୍ମ -ଏ ଓ ଶପଥ ପତ୍ର ପୁରଣ ଉପରେ ବିଶେଷ ସୂଚନା ଦେଇଥିଲେ।
ଓଡ଼ିଶା ଲୋକାୟୁକ୍ତ ସଭ୍ୟ ଡ ଦେବବ୍ରତ ସ୍ଵାଇଁ କଳାହାଣ୍ଡି ଜିଲ୍ଲାରେ ଦୁର୍ନୀତି ସଂକ୍ରାନ୍ତୀୟ ଅଭିଯୋଗ ବିଶେଷତ ଜଙ୍ଗଲ ବିଭାଗ ଏବଂ ମନରେଗା ଉପରେ ଲୋକାୟୁକ୍ତ ଙ୍କୁ ପ୍ରେରଣ ହୋଇଛି ଏବଂ ଏପରି ଅନ୍ୟ ଅଭିଯୋଗ ଆସିଲେ ତା’ଉପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।ଓଡ଼ିଶାରେ ପ୍ରଥମ କରି କଳାହାଣ୍ଡି ଜିଲ୍ଲାରେ ଲୋକାଯୁକ୍ତ କାର୍ଯ୍ୟଳୟର ସର୍କିଟ ବେଞ୍ଚ ସ୍ଥାପନ କରାଯାଉଛି ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ନିଜ ବକ୍ତବ୍ୟରେ ପ୍ରଶାସନକୁ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ କରିବାରେ ଯେପରି ଜନସାଧାରଣଙ୍କ ଅଭିଯୋଗ ମୂଳକ ପଦକ୍ଷେପ ନିଆଯାଉଛି ,ସେଭଳି ସରକାରୀ କର୍ମଚାରୀଙ୍କୁ ନିଜ ଦାୟିତ୍ଵ,ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ଗୁରୁତ୍ବ ଦେବାକୁ କହିଥିଲେ।
ମୁଖ୍ୟ ଅତିଥି ଜଷ୍ଟିସ ଶ୍ରୀ ବିଜୟ କୁମାର ନାୟକ ନିଜ ବକ୍ତବ୍ୟରେ ଦୁର୍ନୀତି ହିଁ ସମୃଦ୍ଧ ଓଡ଼ିଶା ଏବଂ ଦେଶର ଏକ ପ୍ରଧାନ ଅନ୍ତରାୟ ହୋଇ ଠିଆ ହୋଇଛି ଏବଂ ଯେ ପର୍ଯ୍ୟନ୍ତ ଏହି ମାରାତ୍ମକ ବ୍ୟାଧିକୁ ଜନସାଧାରଣ ଜୀବନରୁ ହଟା ନ ଯାଇଛି ସେ ପର୍ଯ୍ୟନ୍ତ ଏକ ସମୃଦ୍ଧ ଭାରତ ବର୍ଷ ରୂପେ ଦେଖିବା ଅସମ୍ଭବ ମନେ ହୁଏ। ଦୁର୍ନୀତି ସଂକ୍ରାନ୍ତୀୟ ଉଦ୍ଦେଶ୍ୟ ମୂଳକ ମିଥ୍ୟା ଅଭିଯୋଗ ଉପରେ ମଧ୍ୟ ଲୋକାଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇ ପାରିବ ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ପ୍ରକୃତ ହିତାଧିକାରୀ ଦୁର୍ନୀତି ଯୋଗୁଁ ଯେଭଳି ବଞ୍ଚିତ ନ ହୁଅନ୍ତି ସେ ଉପରେ ଧ୍ୟାନ ଦେବା ପାଇଁ କହିଥିଲେ।
ଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଂପାଦକ ଶ୍ରୀ ଶୁଭ ଗୌତମ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭାଟିକୁ ପରିଚାଳନା କରିଥିଲେ ବିଶିଷ୍ଟ ଶିକ୍ଷାବିତ୍ ଡ ଉମେଶ ଚନ୍ଦ୍ର ଶତପଥୀ, ସଭାରେ କଳାହାଣ୍ଡି ଓକିଲ ସଂଘ ସଭ୍ୟ, ପ୍ରଗତି ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଭ୍ୟା, ମିଶନ ଶକ୍ତି ମାଁ, ଅଙ୍ଗନୱାଡ଼ି କର୍ମୀ, ତହସିଲଦାର କଳାହାଣ୍ଡି ଶୁଭସ୍ମିତା ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ପୌର ପରିଷଦ ନିର୍ବାହୀ ଅଧିକାରୀ ସତ୍ୟା ସମ୍ପୂର୍ଣ୍ଣା ରାଉତ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result