୨୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟରେ ପରିବେଶ ପ୍ରଦୂଷଣ ଦୂର କରି ଏକ ସୁସ୍ଥ, ସୁନ୍ଦର ଓ ସବୁଜ ପରିବେଶ ସୃଷ୍ଟି କରିବା ପାଇଁ ଦୀର୍ଘଦିନ ଧରି କାର୍ଯ୍ୟକରି ଆସୁଥିବା ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସାମାଜିକ ଅନୁଷ୍ଠାନ ‘ସବୁଜ ଭାରତ’ର ୧୧ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ ଯେ, ବର୍ତ୍ତମାନ ସମୟରେ ଯେଉଁଭଳି କ୍ରମାଗତ ଭାବେ ଗଛ କଟାଚାଲିଛି, ତାହା କେବଳ ପରିବେଶ ପ୍ରଦୂଷଣ କରୁନାହିଁ, ବରଂ ଅତ୍ୟାବଶ୍ୟକୀୟ ଔଷଧୀୟ ଗଛ ଲୋପ ପାଇବାରେ ଲାଗିଛି ।
ଏଥିସହିତ ଦିନକୁ ଦିନ ଗାଡ଼ି ମଟର, କଳ କାରଖାନା ଓ ଜନସଂଖ୍ୟା ଯେଉଁ ପରିମାଣରେ ବଢିଚାଲିଛି, ସେହି ଅନୁପାତରେ ବୃକ୍ଷ ରୋପଣ କରାଯାଉ ନାହିଁ । ଜଙ୍ଗଲ ସୁରକ୍ଷା ପରିବର୍ତ୍ତେ ବ୍ୟାପକ ବୃକ୍ଷ ଛେଦନ କରାଯାଉଥିବାରୁ ଅମ୍ଲଜାନର ଘୋର ଅଭାବ ଦେଖାଦେଇଛି । ଯଥେଷ୍ଟ ଗଛ ନଥିବାରୁ ଭାରତର ବିଭିନ୍ନ ସହରରେ ଅକ୍ସିଜେନ ପାର୍ଲରମାନ ଖୋଲି ଅମ୍ଲଜାନ ବିକ୍ରି ହେଲାଣି । ତେଣୁ ଏସବୁକୁ ଦୂର କରିବା ପାଇଁ ସବୁଜ ଭାରତ ଯେଉଁଭଳି ଭାବରେ କାର୍ଯ୍ୟ କରିଚାଲିଛି ତାହା ବାସ୍ତବରେ ସ୍ୱାଗତଯୋଗ୍ୟ ।
ଆଜିର ଯୁବପିଢି ସାମାଜିକ ଗଣମାଧ୍ୟମରୁ ଦୂରେଇ ରହି ମାତ୍ରାଧିକ ବୃକ୍ଷରୋପଣ କଲେ ଏସବୁ ସମସ୍ୟା ଦୂର ହୋଇପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ମିର୍ରର ସମ୍ପାଦକ ଦିଲ୍ଲୀପ ବିଶ୍ୱାଳ, ସମାଜସେବୀ ନିରୋଜାଲକ୍ଷ୍ମୀ ମହାପାତ୍ର, ଓଡ଼ିଶା ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ ଏବଂ ପାଲା ଗାୟକ ସୁରେନ୍ଦ୍ର ଛୋଟରାୟ ପ୍ରମୁଖ ଯୋଗଦେଇ ପରିବେଶ ପ୍ରଦୂଷଣ ଦୂର କରିବା ପାଇଁ ନିଜ ନିଜ ବକ୍ତବ୍ୟରେ କହିଥିଲେ ।
କବି ରକ୍ଷକ ନାୟକ ଯୋଗଦେଇ ପରିବେଶ ଉପରେ ନିଜର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପରେ ପରିବେଶ ଉପରେ ବିିଭିନ୍ନ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ପ୍ରତିଭାମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । କଳ୍ପତରୁ ସେନାପତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ବସନ୍ତ ବେହେରା, ମନୋଜ କୁମାର ଦାସ, ମନୋରଞ୍ଜନ ନାୟକ, ସୂର୍ଯ୍ୟକାନ୍ତ ସେଠୀ, ପ୍ରଭାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।














