-ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଲେ ଛାତ୍ରଛାତ୍ରୀ
-ଛାୟା ମିଳିତ ଜାତିସଂଘ ପ୍ରଦର୍ଶିତ
-‘ମିଟ୍ ଦ ପର୍ସନାଲିଟି’ରେ ସଫଳତାର କାହାଣୀ କହିଲେ ବିଶିଷ୍ଟ ବ୍ୟକ୍ତିବିଶେଷ

୧୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଛାତ୍ରଛାତ୍ରୀମାନେ ଅତି ଆନନ୍ଦ ଓ ଉତ୍ସାହର ସହ ଶିଶୁ ମହୋତ୍ସବ ‘ସୁରଭି’ରେ ସାମିଲ ହୋଇ ନିଜ ପ୍ରତିଭାର ପ୍ରଦର୍ଶନ କରୁଛନ୍ତି । ଠିକ୍ ସେହିଭଳି ଭାବରେ ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରି ନିଜ ପ୍ରତିଭାର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରନ୍ତୁ । ପିଲାମାନେ ଦେଶ ଓ ଜାତିର ନାମକୁ ଗୌରବାନ୍ୱିତ କରନ୍ତୁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଛନ୍ତି । ୟୁନିଟ୍-୯ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବର ‘ସୁରଭି’ର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ ଗଠନ ଦିଗରେ ପ୍ରେରଣା ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ଯୋଗଦେଇଥିଲେ ।

ଯେଉଁ ଦେଶର ନାଗରିକ ଯେତେ ଶିକ୍ଷିତ ସେହି ଦେଶ ସେତେ ଉନ୍ନତ ବୋଲି ସେ ମତବ୍ୟକ୍ତ କରିଥିଲେ । ଆମ ରାଜ୍ୟର ଛାତ୍ରଛାତ୍ରୀମାନେ ରାଜ୍ୟର ବିକାଶ ପଥର ପଥିକ । ଆମ ଦେଶ ଚନ୍ଦ୍ରଯାନ ସହ ଆଦିତ୍ୟ ମିଶନ ସଫଳତାର ସହ ପ୍ରେରଣ କରିଛି । ଏହି ସଫଳତାରୁ ଅନୁପ୍ରାଣିତ ହୋଇ ପିଲାମାନେ ଭବିଷ୍ୟତ ଗଠନ କରିବା ନେଇ ସେ ପରାମର୍ଶ ଦେଇଥିଲେ । ଏଥିରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଯୋଗଦେଇ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରି ପିଲାମାନଙ୍କ ସହ ଭାବ ବିନିମୟ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍. ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିଥିଲେ । କାର୍ଯ୍ୟକ୍ରମରେ ଓଡି଼ଶା ଆଦର୍ଶ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀମତୀ ଜାମିନୀ ଷଡଙ୍ଗୀ, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଟିଇ ଏବଂ ଏସ୍ସିଇଆର୍ଟିର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢ଼ୀଙ୍କ ସହ ବିଭାଗର ବରିଷ୍ଠ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

ଏହି ଅବସରରେ ଆଜି ପୂର୍ବାହ୍ଣରେ ଛାତ୍ରଛାତ୍ରୀମାନେ ଖଣ୍ଡିଗିରି, ଉଦୟଗିରି, ଧଉଳିଗିରି, ନନ୍ଦନକାନନ, କଳାଭୂମି, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରାହାଳୟ, ପଠାଣୀସାମନ୍ତ ପ୍ଲାନେଟୋରିୟମ୍ ଓ ନ୍ୟଚୁରାଲ ହିଷ୍ଟ୍ରି ଅଫ୍ ମ୍ୟୁଜିୟମ୍ ପରିଦର୍ଶନ କରିଥିଲେ । ଅପରାହ୍ଣରେ ମୁଖ୍ୟ ଆକର୍ଷଣ ସାଜିଥିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ‘ଛାୟା ମିଳିତ ଜାତିସଂଘ’ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ୟୁନିସେଫ୍ର କ୍ଷେତ୍ର ଅଧିକାରୀ ଉଇଲିୟମ୍ ହ୍ୟାଣ୍ଡଲନ୍ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ଅପରାହ୍ଣରେ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ପାଇଁ ଆୟୋଜିତ ହୋଇଥିଲା ‘ମିଟ୍ ଦ ପର୍ସନାଲିଟି’ । ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ଓଡି଼ଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଲପତି ଡା. ଦତ୍ତେଶ୍ୱର ହୋତା, ଇସ୍ରୋର ପୂର୍ବତନ ମହାକାଶ ବିଜ୍ଞାନୀ ଶ୍ରୀ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଓଡି଼ଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ତ୍ରିପାଠୀ, ବିଶିଷ୍ଟ ଓଡି଼ଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ଅଭିନେତା ଶ୍ରୀ ସବ୍ୟସାଚୀ ମିଶ୍ର, ଚଳିତ ଓଡି଼ଶା ପ୍ରଶାସନିକ ସେବା ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାରୀ କରିଥିବା ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ ଓ ଚଳିତ ମାଟ୍ରିକ୍ ପରୀକ୍ଷାରେ ଟପର୍ ଥିବା ସୁଶ୍ରୀ ଶ୍ରେୟାଶ୍ରୀ ଜେନା ପ୍ରମୁଖ ଯୋଗ ଦେଇ ନିଜ ସଫଳତାର କାହାଣୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀ ଭୈରବ ସିଂ ପଟେଲ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍ ଆୟର ଉପସ୍ଥିତ ଥିଲେ ।ଏହାପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଛି । ସମ୍ମାନିତ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି ।














