ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନେତାଜୀ ବସ ଟର୍ମିନାଲକୁ ଉଦଘାଟନ କରିଛନ୍ତି ।
୧୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :-> ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନେତାଜୀ ବସ ଟର୍ମିନାଲକୁ ଉଦଘାଟନ କରିଛନ୍ତି । ଏହି ବସ ଟର୍ମିନାଲରେ ଆନ୍ତର୍ଜାତୀୟ ସ୍ତରର ସୁବିଧା ପାଇବେ ଯାତ୍ରୀ । ଏଠାରେ ରହିପାରିବ ୧୯୨ଟି ବସ ।

ଓଡିଶାର ସର୍ବବୃହତ ଆହାର କେନ୍ଦ୍ର, ମିଶନ ଶକ୍ତି କାଫେ କଟକରେ ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ- ୩୪୧ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ଓ ୨୦୦ କୋଟି ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପିତ । ମୁଖ୍ୟମନ୍ତ୍ରୀ କହିଲେ ଯେ, କଟକ ମୋର ପ୍ରିୟ ସହର , ମୋର ଜନ୍ମଭୂମୀ, କଟକ ସବୁବେଳେ ମୋ ପାଇଁ ସ୍ୱତନ୍ତ୍ର ହୋଇ ରହିଛି ଏବଂ ରହିବ ।

ମୂଖ୍ୟ ମନ୍ତ୍ରୀ ଏହି ଟର୍ମିନାଲରୁ କଟକରୁ ପୁରୀକୁ ଯିବା ପାଇଁ ପ୍ରସ୍ତୁତି ହୋଇ ରହିଥିବା ବସକୁ ପତାକା ହଲେଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟ କଟକ ସହରର ୯ଟି ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ସମୁଦାୟ ୫୪୧ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଆଜି ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। କଟକ ନେତାଜୀ ବସ ଟର୍ମିନାଲରେ ଏକା ସାଙ୍ଗରେ ୧୯୨ଟି ବସ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଯାତ୍ରୀମାନଙ୍କ ପାଇଁ ପ୍ରତିକ୍ଷାଳୟ, ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଟିକେଟ କାଉଣ୍ଟର ସହିତ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇ ଟର୍ମିନାଲ ଭିତରେ ଯାତ୍ରୀମାନଙ୍କ ପାଇଁ ବିମାନ ବନ୍ଦର ଭଳି ସୁବିଧା କରାଯାଇଛି ।

କଟକ ନେତାଜୀ ବସ୍ ଟର୍ମିନାଲ ସହିତ ଆଜି ମୁଖ୍ୟମନ୍ତ୍ରୀ କଟକ ସହରରେ ୬୬.୬୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ମହାନଦୀ କ୍ୟାମ୍ପସ୍, ୩୦ କୋଟି ବ୍ୟୟରେ ନିର୍ମିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ, ୨୩.୮୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଡି.ଏ.ଭି. ଏସ.ସି.ବି. ମେଡିକାଲ ପବ୍ଲିକ ସ୍କୁଲ, ୮୮.୩୧ କୋଟି ଟଙ୍କା ବ୍ୟୟରେ ନରଣପୁରଠାରେ ନିର୍ମିତ ୫୫୦ଟି E.W.S. ଏବଂ ୩୨୦ଟି L.I.G. ବାସଗୃହ,

୯.୭୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ସିଲ୍ଭର ସିଟି ବୋଟ କ୍ଲବ, ୫.୨୩ କୋଟି ଟଙ୍କା ବ୍ୟୟରେ ତାଳଦଣ୍ଡା କେନାଲର ସମ୍ମୁଖ ବିକାଶ, ଫୁଡ କୋର୍ଟ ଓ ଜଳକ୍ରୀଡା କେନ୍ଦ୍ର, ୩.୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ତାଳଦଣ୍ଡା କେନାଲ ନିକଟରେ ଅର୍ବାନ ହାଟ, ୫୪ ଲକ୍ଷ ଟଙ୍କା ବ୍ୟୟରେ ରାଣିହାଟଠାରେ ନିର୍ମିତ କ୍ଲକ ଟାୱାର। ୨୩.୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ତାଳଦଣ୍ଡା କେନାଲ ବ୍ରିଜର ଉଦ୍ଘାଟନ କରିଥିଲେ।

ଏହି ଉତ୍ସବରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ସାସଂଦ ଭର୍ତ୍ତୃହରି ମହତାବ, ମେୟର ସୁବାସ ସିଂ, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ , ସିଏମସି କମିଶନର , କଟକ ଡିସିପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।















