ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଭାରତ ସରକାରଙ୍କ ଜାତୀୟ ବ୍ୟବସାୟୀ କଲ୍ୟାଣ ବୋର୍ଡ (ଏନଟିଡବ୍ଲୁବି) ସହଯୋଗରେ ‘ଫେଡେରେସନ ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ’ (ଏଫଟିଆଇଆଇ) ପକ୍ଷରୁ ଆସନ୍ତା ୨୮ ଜୁନ୍ ୨୦୨୬ ରିଖରେ ଭୁବନେଶ୍ୱରସ୍ଥିତ ହୋଟେଲ ଲେମନ୍ ଟ୍ରି ପ୍ରିମିୟରଠାରେ ଅଲ୍ ଓଡ଼ିଶା ବ୍ୟବସାୟିକ ସମ୍ମିଳନୀ “ଉତ୍କର୍ଷ ୨୦୨୬” ଆୟୋଜିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ସକାଳ ୧୦:୩୦ ଘଟିକାରୁ ଆରମ୍ଭ ଏହି ସମ୍ମିଳନୀରେ ଭାରତ ସରକାରଙ୍କ ଜାତୀୟ ବ୍ୟବସାୟୀ କଲ୍ୟାଣ ବୋର୍ଡ (ଏନଟିଡବ୍ଲୁବି)ର ଅଧ୍ୟକ୍ଷ ସୁନିଲ ଯେ ସିଂଘୀ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷତା କରିବେ ।
ଉତ୍କର୍ଷ ୨୦୨୬ର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସହଜ ବ୍ୟବସାୟିକ ପରିବେଶ ସୃଷ୍ଟି ପାଇଁ ସରକାରଙ୍କ ଦ୍ୱାରା ଗ୍ରହୀତ ସମ୍ପ୍ରତିକ ପଦକ୍ଷେପଗୁଡ଼ିକ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା । ଏହାର ଅନ୍ତର୍ଗତ ବାଣିଜ୍ୟ ଓ ଶିଳ୍ପର ବିକାଶରେ ବାଧକ ସାଜୁଥିବା ଶତାଧିକ ପୁରୁଣା ଓ ଅପ୍ରାସଙ୍ଗିକ ଆଇନ ଏବଂ ନିୟମାବଳୀକୁ ରଦ୍ଦ କରାଯାଇଥିବା ବିଷୟରେ ମଧ୍ୟ ଆଲୋଚନା କରାଯିବ ।
ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରର ନେତୃବୃନ୍ଦଙ୍କୁ ସେହି ନିୟାମକ ସଂସ୍କାର ସମ୍ପର୍କରେ ଅବଗତ କରାଇବା ଯାହା ଅନୁପାଳନ ପ୍ରକ୍ରିୟାକୁ ସରଳ କରିବା ସହ କାରବାର ସମ୍ବନ୍ଧୀୟ ଖର୍ଚ୍ଚକୁ ହ୍ରାସ କରୁଛି। ଏହା ସହିତ ବ୍ୟବସାୟୀ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସଏମଇଏସ) ଏବଂ ଶିଳ୍ପ ସଂଘଗୁଡ଼ିକ ଏହି ନୂତନ ପ୍ରୋତ୍ସାହନ ଓ ସୁବିଧାଗୁଡ଼ିକର ସର୍ବାଧିକ ଲାଭ କିପରି ଉଠାଇପାରିବେ ସେଥିପାଇଁ ବ୍ୟବହାରିକ ମାର୍ଗଦର୍ଶନ ମଧ୍ୟ ପ୍ରଦାନ କରାଯିବ ।
ଏହା ବ୍ୟତୀତ ସରକାରୀ ଅଧିକାରୀ ଓ ବ୍ୟବସାୟ ନେତାମାନଙ୍କ ମଧ୍ୟରେ ଖୋଲା ଆଲୋଚନାର ଏକ ମଞ୍ଚ ସୃଷ୍ଟି କରି ସ୍ଥାନୀୟ ସ୍ତରରେ ନୀତି କାର୍ଯ୍ୟକାରିତାରେ ଦେଖାଦେଉଥିବା ସମସ୍ୟା ଓ ପ୍ରତିବନ୍ଧକଗୁଡ଼ିକର ସମାଧାନ କରିବା ଏହି କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ସେହିପରି ଓଡ଼ିଶାର ବିଭିନ୍ନ ଶିଳ୍ପ କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିବିଶେଷ ଓ ସଂଗଠନମାନଙ୍କ ମଧ୍ୟରେ କୌଶଳଗତ ନେଟୱର୍କିଂ ସହଯୋଗ ଏବଂ ଭାଗୀଦାରିକୁ ପ୍ରୋତ୍ସାହିତ କରିବା ମଧ୍ୟ ଏହି ସମ୍ମିଳନୀର ଏକ ପ୍ରମୁଖ ଉଦ୍ଦେଶ୍ୟ । ଏହି ସମ୍ମିଳନୀରେ ବିଭିନ୍ନ ବାଣିଜ୍ୟିକ ସଂଗଠନ ଚାମ୍ବର ଅଫ୍ କମର୍ସ ଏବଂ ଜାତୀୟ ବାଣିଜ୍ୟ ସହଜୀକରଣ ସଂସ୍ଥା (ଏନଟିଏଫବି/ଏନଟିଡବ୍ଲୁବି)ର ପ୍ରତିନିଧିମାନଙ୍କ ସମେତ ବିଭିନ୍ନ କ୍ଷେତ୍ରର ହିତାଧିକାରୀମାନେ ଏକତ୍ରିତ ହେବେ।
ଓଡ଼ିଶାର ବିଭିନ୍ନ ଅଞ୍ଚଳର ଉଦ୍ୟୋଗୀ ବ୍ୟବସାୟୀ ଏବଂ କ୍ଷୁଦ୍ର ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସଏମ୍ଇ) ମାଲିକମାନଙ୍କ ସହିତ ଶିଳ୍ପ ବିଶେଷଜ୍ଞ ଓ ନୀତି ପ୍ରୟୋଗ ବିଶେଷଜ୍ଞମାନେ ମଧ୍ୟ ଏଥିରେ ଯୋଗଦେବେ । ଏହି ସମସ୍ତ ଅଂଶଗ୍ରହଣକାରୀ ନୂତନ ନିୟାମକ ସଂସ୍କାରଗୁଡ଼ିକୁ ବୁଝିବା ସେଗୁଡ଼ିକର ସୁଯୋଗକୁ କାର୍ଯ୍ୟକାରୀ ଭାବେ ଉପଯୋଗ କରିବା ଏବଂ ଓଡ଼ିଶାର ଆଞ୍ଚଳିକ ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ନେବା ପାଇଁ ପରସ୍ପର ସହଯୋଗ ଓ ଚିନ୍ତାଧାରାର ଆଦାନ ପ୍ରଦାନ କରିବେ ।











