ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା ଓ ସେମାନେ ମାସିକିଆ ପାଉଣା ଆଦାୟ କରିବା ଭଳି ଜନ ସାଧାରଣ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ବରୁଣେଇ ହୋଟେଲ : ଗ୍ରାହକ ଶୋଷଣ ଓ ନିମ୍ନମାନର ଖାଦ୍ୟ ପରିବେଷଣ ଅଭିଯୋଗ, ପ୍ରଶାସନୀୟ ହସ୍ତକ୍ଷେପ ଦାବି
ବରୁଣେଇ ହୋଟେଲ, ଖୋର୍ଦ୍ଧା ଗ୍ରାହାକଙ୍କୁ ଲୁଟୁଛି
ଖୋର୍ଦ୍ଧା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜାତୀୟ ରାଜପଥ-୫୫ରେ ବରୁଣେଇ ପୀଠକୁ ଯିବା ରାସ୍ତା ସଂଲଗ୍ନ ଥିବା ବରୁଣେଇ ହୋଟେଲ ବିରୋଧରେ ଗୁରୁତର ଅଭିଯୋଗ ଉଠିଛି । ସ୍ଥାନୀୟ ଲୋକ ଏବଂ ଯାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ଫ୍ୟାମିଲୀ ହୋଟେଲ ନାମରେ ପରିଚାଳିତ ଏହି ପ୍ରତିଷ୍ଠାନରେ ନିରୀହ ଗ୍ରାହକମାନଙ୍କୁ ଟ୍ୟାପ୍ ପାଣି ଭରା ବୋତଲ ପାଇଁ ୨୦ରୁ ୩୦ ଟଙ୍କା ଆଦାୟ କରାଯାଉଥିବା ବେଳେ ନିମ୍ନମାନର ଖାଦ୍ୟ ପରିବେଷଣ କରି ଅତ୍ୟଧିକ ମୂଲ୍ୟ ନିଆଯାଉଛି ।
ଅଭିଯୋଗ ଅନୁସାରେ, ଖାଦ୍ୟକୁ ଅଧିକ ସ୍ୱାଦିଷ୍ଟ ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟର ପ୍ରୟୋଗ କରାଯାଉଥିବା ନେଇ ମଧ୍ୟ ସ୍ଥାନୀୟ ମହଲରେ ଚର୍ଚ୍ଚା ଓ ଅଭିଯୋଗ ହେଉଛି । ତେବେ ଏହି ଅଭିଯୋଗର ସତ୍ୟତା ସମ୍ପର୍କରେ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ସରକାରୀ ସ୍ପଷ୍ଟୀକରଣ କିମ୍ବା ଯାଞ୍ଚ ରିପୋର୍ଟ ପ୍ରକାଶ ପାଇନାହିଁ । ଗ୍ରାହକମାନେ ଖାଇବାର ବିଲ ମାଗିଲେ ଜିଏସଟି କିମ୍ବା ନିୟମିତ କ୍ୟାସ୍ ମେମୋ ବଦଳରେ ଏକ ସାଧା କାଗଜରେ ହାତଲେଖା ବିଲ ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି ।

ଏହାସହ ହୋଟେଲକୁ ଆସୁଥିବା ଗ୍ରାହକମାନଙ୍କ ଚାରିଚକିଆ ଯାନବାହନ ସର୍ବଦା ରାସ୍ତା ଉପରେ ପାର୍କିଂ ହେଉଥିବାରୁ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି । ଏହା ଫଳରେ ଅମୂଲ୍ୟ ଜୀବନ ଓ ସମ୍ପତ୍ତି ହାନିର ସମ୍ଭାବନା ରହିଥିବା ନେଇ ଉଦ୍ବେଗ ପ୍ରକାଶ ପାଇଛି । ବିଶ୍ୱବିଖ୍ୟାତ ବରୁଣେଇ ପର୍ଯ୍ୟଟନ କ୍ଷେତ୍ରକୁ ଯିବା ମୁଖ୍ୟ ରାସ୍ତାର ପ୍ରାରମ୍ଭରେ ଏହି ହୋଟେଲ ଥିବାରୁ ପ୍ରତିଦିନ ହଜାର ହଜାର ଯାତ୍ରୀଙ୍କ ଯାନବାହନ ଏହି ସ୍ଥାନ ଦେଇ ଯାତାୟାତ କରୁଛି ।
ତେବେ ହୋଟେଲଟି ସରକାରୀ ଜମିକୁ ବେଆଇନ ଭାବେ ଜବରଦଖଲ କରିଥିବାରୁ ବରୁଣେଇ ପାଦଦେଶକୁ ଯିବା ରାସ୍ତା ଦୃଶ୍ୟମାନ ହେଉନଥିବା ଏବଂ ଯାତ୍ରୀମାନେ ଗନ୍ତବ୍ୟସ୍ଥଳ ଚିହ୍ନଟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଭାରତ ସରକାରଙ୍କ ନିୟମ ଅନୁସାରେ ଜାତୀୟ ରାଜପଥରେ ଥିବା ହୋଟେଲ ଏବଂ ଢାବାମାନଙ୍କରେ ଯାତ୍ରୀମାନଙ୍କ ପାଇଁ ଆକ୍ୱାଗାର୍ଡ ପାଣି ନିଶୁଳ୍କ ଭାବେ ଉପଲବ୍ଧ ରଖିବା ବ୍ୟବସ୍ଥା ରହିଛି । ମାତ୍ର ବରୁଣେଇ ହୋଟେଲରେ ଏହି ନିୟମ ପାଳନ ହେଉନଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି ।

ଅଭିଯୋଗ ଅନୁସାରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା ଓ ସେମାନେ ମାସିକିଆ ପାଉଣା ଆଦାୟ କରିବା ଭଳି ଜନ ସାଧାରଣ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତତସହିତ ଏହି ଭଳି ହୋଟେଲ କୁ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଯାଞ୍ଚ ପରତାଳ ନ କରିବା ଦ୍ୱାରା ଲୋକ ଙ୍କ ପାଇଁ ଖାଦ୍ୟ ହିଁ ଯମ ସାଜିଥିବା ବେଳେ ସଂପୃକ୍ତ ବିଭାଗ ର ନିରବତା ସ୍ଥାନୀୟ ବାସିନ୍ଦା ଙ୍କ ମନରେ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି l
ଏହି ହୋଟେଲରେ ଖାଦ୍ୟ ଗ୍ରହଣ କରିଥିବା ଅନେକ ଜନସାଧାରଣ ପୂର୍ବରୁ ଏବଂ ବର୍ତ୍ତମାନ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରୁଥିବା ଜଣାପଡ଼ିଛି । ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ସହ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ପ୍ରଶାସନ ତୁରନ୍ତ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସେମାନେ ଦାବି ଉଠାଇଛନ୍ତି ।













