୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର ଉଦୟଗିରି :- ଶିଶୁକନ୍ୟା ଉପରେ ରବିବାର ଏକ ପରିବା ବୋଝେଇ ପିକଅପ୍ ମାଡ଼ିଯିବାରୁ ଚାପି ହୋଇ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଅଡ଼ବା ଥାନା ଗଣ୍ଡାଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପରିବା ବୋଝେଇ ପିକ୍ଅପ୍ ଭ୍ୟାନ୍ଟି( ଓଡି୨୦ ବିୟୁ ୦୭୯୩)ଗାଁକୁ ପରିବା ବିକ୍ରି ପାଇଁ ଯାଇଥିଲା ।
ସେହି ଗାଁର ଲୁସିୟାନ ନାୟକ ପରିବା କିଣିବା ସମୟରେ ତାଙ୍କ ୪ ବର୍ଷର ଝିଅ ଦିପ୍ସା ରାଣୀ ନାୟକ ଗାଡ଼ି ତଳେ ଆସି ବସି ଯାଇଥିଲା। ଲୁସିୟାନ ପରିବା କିଣିବା ପରେ ଗାଡ଼ି ଆଗକୁ ଗଡ଼ାଇବା ବେଳେ ଶିଶୁକନ୍ୟାଟି ଚକା ତଳେ ଚାପି ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା।
ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି।
ଖବର ପାଇ ଅଡ଼ବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଗାଡି ଓ ଡ୍ରାଇଭରଙ୍କୁୁ ଥାନାରେ ଅଟକ ରଖି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏ ନେଇ ଅଡ଼ବା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ସୁବ୍ରତ ପଣ୍ଡା ସୂଚନା ଦେଇଛନ୍ତି ।