ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଗସ୍ତକୁ ବିରୋଧ  : ଛଦ୍ମବେଶରେ ଅଣ୍ଡା ମାରିଲେ ବିଜେପି କର୍ମୀ  !

ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନଙ୍କ କାରକେଡକୁ ଅଣ୍ଡାମାଡ଼ ଉଦ୍ୟମ କରାଯାଇଛି ।

୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଗସ୍ତକୁ ବିରୋଧ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନଙ୍କ କାରକେଡକୁ ଅଣ୍ଡାମାଡ଼ ଉଦ୍ୟମ କରାଯାଇଛି । ଆମ୍ ଆଦମୀ ପାର୍ଟି (ଆପ୍) ଟୋପି ପିନ୍ଧିଥିବା କିଛି ଯୁବକ ଏହି କାଣ୍ଡ କରିଥିଲେ । ତେବେ ଏଭଳି ହୀନ କାର୍ଯ୍ୟ ଆପ୍ ର ସଂସ୍କୃତି କି ବିଚାରଧାରା ନୁହେଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯିବା ପରେ ଅଣ୍ଡାମାଡ଼ ପଛର ରହସ୍ୟ ଦାଣ୍ଡରେ ପଡ଼ିଯାଇଛି । ଆପ୍ ବେଶରେ ଏହା ମୁଷ୍ଟିମେୟ ବିଜେପି ସମର୍ଥକଙ୍କ କାମ ବୋଲି ଅଭିଯୋଗ ହୋଇଛି ।

ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଥିବା ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଗାଡ଼ି ଆଜି ସକାଳେ କୋଟ ସମଲେଇ-ଉଲୁଣ୍ଡା ରାସ୍ତା ଅତିକ୍ରମ କରୁଥିଲା ବେଳେ ହାତଗଣତି ଯୁବକ ତାଙ୍କୁ ବିରୋଧ କରି ନାରାବାଜି କରିଥିଲେ । ସେହି ଯୁବକମାନେ ଆମ୍ ପତାକା ଧରିଥିଲା ବେଳେ ମୁଣ୍ଡରେ ଆପ୍ ଟୋପି ପିନ୍ଧିଥିଲେ । ପତାକା ହଲାଇ ସେମାନେ ପାଣ୍ଡିଆନଙ୍କୁ ବିରୋଧ କରିଥିଲେ । ଜଣେ ଯୁବକ ଗାଡ଼ି ପଛରୁ ଦୌଡ଼ି ଗୋଟିଏ ଅଣ୍ଡା ଫିଙ୍ଗିଥିଲା । ଏକ ନିର୍ଦ୍ଦିଷ୍ଟ ଟିଭି ଚାନେଲ୍ କୁ ଏହାର ଆଗୁଆ ସୂଚନା ଥିବାରୁ ତାଙ୍କ ପ୍ରତିନିଧି ସେଠାରେ ଉପସ୍ଥିତ ରହି କ୍ୟାମେରାରେ ସେହି ଦୃଶ୍ୟକୁ କଏଦ କରିଥିଲେ ।

ଏହି ଯୋଜନା ସମ୍ପର୍କରେ ପୁଲିସ କିନ୍ତୁ ସୁରାକ୍ ପାଇପାରି ନ ଥିଲା । ୫-ଟି ସଚିବ ପାଣ୍ଡିଆନଙ୍କୁ ଆପ୍ କର୍ମୀମାନେ ବିରୋଧ କରି ଅଣ୍ଡାମାଡ଼ କରିଥିବା ସଂପୃକ୍ତ ଟିଭି ଚାନେଲ୍ ରେ ବ୍ରେକିଂ ଖବର ହେବା ପରେ ରାଜ୍ୟ ଆପ୍ ନେତୃତ୍ୱ ଏହାକୁ ଗମ୍ଭୀରତାର ସହ ନେଇଥିଲା । ଦଳ ପକ୍ଷରୁ ତୁରନ୍ତ ଟୁଇଟ୍ କରାଯାଇ ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା । ଏଭଳି ହୀନ କାର୍ଯ୍ୟ ଆପ୍ ବିଚାରଧାରାର ପରିପନ୍ଥୀ । ଘଟଣାରେ କୌଣସି କର୍ମୀ ଜଡ଼ିତ ଥିଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଗଲା । ଦଳର ମୁଖପାତ୍ର ରଙ୍ଗାଚରଣ ପ୍ରଧାନ ମଧ୍ୟ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଆପ୍ ସଂସ୍କୃତିରେ ହିଂସାର ସ୍ଥାନ ନାହିଁ ବୋଲି କହିଥିଲେ ।

ଏହି ଘଟଣାକୁ ନେଇ ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ନିଜ ଗାଁରେ ଥିବା ଶ୍ରୀ ମିଶ୍ର ଲେଖିଛନ୍ତି, ଭି.କେ.ପାଣ୍ଡିଆନଙ୍କ ଉପରେ ଟିଭିରୁ ଅଣ୍ଡାମାଡ଼ ଖବର ଜାଣିଲା ପରେ ମୁଁ କୋଟସମଲେଇ ଗାଁରେ ପହଞ୍ଚିଥିଲି । କେଉଁମାନେ ଅଣ୍ଡାମାଡ଼ କରିଥିଲେ ବୋଲି ମୁଁ ଗ୍ରାମବାସୀଙ୍କଠାରୁ ଜାଣିବାକୁ ଚାହିଁଥିଲି । ହେଲେ ସେମାନେ କେବଳ ଟିଭିରୁ ଏହା ଶୁଣିଛନ୍ତି ବୋଲି ମୋତେ କହିଲେ । ଭୁବନେଶ୍ୱରରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ଦିଆଯାଇଛି । ୫-ଟି ସଚିବ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ଛଦ୍ମବେଶରେ ବିଜେପି ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରିଛି ।

ଲୋକଙ୍କ ସମସ୍ୟା ଶୁଣିବାକୁ ପ୍ରଶାସନକୁ ଗାଁକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ । ମାତ୍ର ପ୍ରଶାସନ ଗାଁକୁ ଯାଇ ଲୋକଙ୍କ ସମସ୍ୟା ଶୁଣିବାରେ ବିରୋଧୀଙ୍କ ଅସୁବିଧା କାହିଁକି ବୋଲି ଦଳର ମୁଖପାତ୍ର ଇପସିତା ସାହୁ ପ୍ରଶ୍ନ କରିଛନ୍ତି । ଭୁବନେଶ୍ୱରର ଏସି କୋଠରିରେ ବସିଲେ ଲୋକଙ୍କ ସମସ୍ୟା ସମାଧାନ ହୋଇଯିବନି । ପୃଥିବୀର କୌଣସି ଶକ୍ତି ଏହାକୁ ଅଟକାଇ ପାରିବନି ବୋଲି ସେ ସତର୍କ କରାଇଛନ୍ତି । ତେବେ ଏହି ଘଟଣା ଉପରେ ବିଜେପିର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନାହିଁ ।