୨୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ଆଶାଢ଼ ଶୁକ୍ଳପକ୍ଷ ଦଶମୀରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଯାତ୍ରା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିଲା ବେଳେ, କଟକସଦର ଥାନାର ବିଭିନ୍ନ ସ୍ଥାନରେ ବୁଧବାର ଦିନ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଟକ ସଦର ଥନା ଅନ୍ତର୍ଗତ ପ୍ରତାପନଗରୀର ଜଗନ୍ନାଥ ମଠ ପକ୍ଷରୁ ପାଇକସାହିରୁ ବାହୁଡା ଯାତ୍ରା ଆରମ୍ଭ ହୋଇଥିଲା । ପାରମ୍ପରିକ ରିତି ନିତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ , ପହଣ୍ଡି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଂକୀର୍ତ୍ତନ କରାଯାଇ ପ୍ରଥମେ ରଥ ଉପରକୁ ସୁଦର୍ଶନଙ୍କୁ ଅଣାଯାଇ ରଥରେ ବସାଯିବା ପରେ , ବଳଭଦ୍ର, ମାତା ସୁଭଦ୍ରାଙ୍କ ମୂର୍ତ୍ତିକୁ ମହିଳା ମାନେ ପହଣ୍ଡି କରି ରଥ ଉପରକୁ ଆଣି ଥିଲେ । ଶେଷରେ ପ୍ରଭୁ ଜଗନ୍ନାଥଙ୍କ ଦାରୁ ମୂର୍ତ୍ତିକୁ ସୁଶାନ୍ତ କୁମାର ରାଉତ, ସନ୍ତୋଷ କୁମାର ସେନାପତି, ସୁବାଷ ନାୟକ ପହଣ୍ଡି କରି ରଥ ଉପରକୁ ନେଇଥିଲେ ।ଠାକୁର ରାଜା ନାରାୟଣ ରାଉତ ରଥରେ ଛେରାପହଁରା କରିସାରିବା ପରେ , ରଥରୁ ଚାରମାଳ ଖୋଲା ଯାଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଜାତୀୟ ରାଜପଥ ପାର୍ଶ୍ଵ ପାଇକସାହି ଠାରୁ ରଥ ଟଣାଯାଇ ପ୍ରତାପନଗରୀ ସ୍ଥିତ ଧାକୁଲେଇଙ୍କ ପୀଠରେ ପହଞ୍ଚି ଥିଲେ । ଶହଶହ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳିରେ ରଥ ସୁରୁଖୁରୁରେ ଆଗକୁ ଗଡିଚାଲିଥିଲା । ଏହି ଦୃଶ୍ୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା ।ଦିଲିପ କୁମାର ସ୍ୱାଇଁ , ନଳୀନ କାନ୍ତ ସେନାପତି, ସୁଶାନ୍ତ କୁମାର ମହାନ୍ତି, ପ୍ରମୋଦ କୁମାର ସ୍ୱାଇଁ, ବାଦଲ କୁମାର ଜେନା, ଚତୁର୍ଭୁଜ ମହାପାତ୍ର ପ୍ରମୁଖ ସମସ୍ତ ସଦସ୍ୟମାନେ ରଥଯାତ୍ରା କାର୍ଯ୍ୟ ପରିଚାଳନା କରିଥିଲେ । ଜାତୀୟ ରାଜପଥ ଉପରେ ରଥ ଟଣା ଯାଉଥିବାରୁ କଟକ ସଦର ଥାନା ପକ୍ଷରୁ ପୋଲିସ ପକ୍ଷରୁ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା । ଏହି ରଥକୁ ମହିଳା ଏବଂ ପିଲା ମାନେ ଅଧିକ ସଂଖ୍ୟାରେ ଟାଣୁଥିବା ଦେଖି ବାକୁ ମିଳିଥିଲା ।