୨୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ଯେଉଁ ସ୍ଥାନରେ ଏକ ସପ୍ତାହ ବ୍ୟାପୀ ଅବସ୍ଥାନ କରନ୍ତି, ତାହାକୁ ଆଡ଼ପ ମଣ୍ଡପ କୁହାଯାଏ । କିନ୍ତୁ ପୁରାଣମାନଙ୍କରେ ଏହି ମଣ୍ଡପକୁ ଆଡ଼ପ ମଣ୍ଡପ ବୋଲିଉ ବର୍ଣ୍ଣନା କରାନଯାଇ ଯଜ୍ଞବେଦୀ ଓ ମହାବେଦୀ ବୋଲି ଉଲ୍ଲେଖ କରାଯାଇଛି ।
ଯଥା :- ଯଜ୍ଞ ବେଦୀରିୟଁ ବୋଷ୍ଣୋ ଜନ୍ମଭୂମିସ୍ତବ ପ୍ରଭୋ ପୂର୍ବ ତ୍ୱୟା ଭଗବତା ସପ୍ତାହ ମଣ୍ଡପୋତ୍ତମେ ତିଷ୍ଠେୟୁ ରିତ୍ୟାଜ୍ଞା ଦତ୍ତ ତତୋ ଯାହି ଜଗତ୍ପତେ.
ତ୍ରୈଲୋକ୍ୟାଡ଼ମ୍ବର ଯିତ୍ର୍ ମାହାବିଦ୍ୟାଂ ମହାତ୍ରତୋଃ ପ୍ରାଦୁର୍ଭାବୋ ମହେଶସ୍ୟ ଯତ୍ରାର୍ଭୁଦ୍ଦାରୁ ବର୍ଷ୍ମତାଃ । ପରବର୍ତ୍ତୀ କାଳରେ ଏହି ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ସାଟୋପସ୍ଥିତି ଦେଖି ଏହି ମଣ୍ଡପକୁ ଆଡ଼ପ ମଣ୍ଡପ କୁହାଯାଇଛି ବୋଲି ପଣ୍ଡିତ ହରିହର ମହାପାତ୍ର ମତ ପ୍ରକାଶ କରିଛନ୍ତି। ଶ୍ରୀବିଗ୍ରହମାନଙ୍କର ଆଡ଼ପ ମଣ୍ଡପରେ ଅବସ୍ଥାନ ସମୟରେ ଦର୍ଶନାର୍ଥୀ ତଥା ହକ୍ତ ସମାଜ ସେଠାରେ ସ୍ମବେତ ହେବା ପୂର୍ବକ ବ୍ରତ ପାଳନ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ ଓ ତ୍ରିକାଳ ଦର୍ଶନର ପ୍ରଶସ୍ତି ଥିଲେ ମଧ୍ୟ ସନ୍ଧ୍ୟା ବା ରାତ୍ରିକାଳୀନ ଦର୍ଶନରେ ମହାପୂଣ୍ୟ ହୋଇଥାଏ ବୋଲି ପୁରାଣ ଓ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା ରହିଛି ।
ଯଥା :- ଦିବତଦ୍ ଦର୍ଶନଂ ପୁଣ୍ୟଂ ରାତ୍ରୌ ଦଶଗୁଣଂ ଭବେତ୍ ସପ୍ତାହଂ ଯୋ ନରୋନାରୀ ନ ସା ପ୍ରାକୃତ ମାନୁଷୀ । ଅତ୍ର ସ୍ଥଳେ ନକ୍ତକାଳେ ଯେ ପଶ୍ୟନ୍ତି ସୁପ୍ପୂଜିତାନ୍ ବୈକୁଣ୍ଠ ଭ୍ୱନେ ନିତ୍ୟ୍ଂ ତେ ବସନ୍ତି ନ ସଂଶୟଃ ।
ବିଭିନ୍ନ ଶାସ୍ତ୍ରାନୁଯାୟୀ ନବମୀ ଦିନ ମହାବେଦୀ ବା ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ଅଟେ। ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଦଶ ବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ସାବଧାନ ଭାବେ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଏ , ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ । ବିଶେଷତଃ ଏକ ଦିନର ରାତ୍ରିକାଳୀନ ଦର୍ଶନରେ ଉକ୍ତ ଫଳ ଦଶଗୁଣ ପରିବର୍ଦ୍ଧିତ ହୋଇଥାଏ ।
ସେହି ପରି ଜନସାଧାରଣରେ ବହୁ ପ୍ରଚାରିତ ନୀଳାଦ୍ରୌ ଶତବର୍ଷାଣି ଆଡ଼ପେ ମଣ୍ଡପେ ଦିନେ ଉକ୍ତିକୁ ସ୍ମରଣ କରି ସନ୍ଧ୍ୟା ଦର୍ଶନ ଦିନ ଭକ୍ତମାନଙ୍କର ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ , ଦୀପ ପ୍ରଜ୍ଜ୍ୱଳନ , ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ସେବନରେ ଅପ୍ୟାୟିତ କରିଥିବା ଜଣାଯାଏ । ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହୁଡା଼ ପୂର୍ବ ଦିନର ସନ୍ଧ୍ୟା ଦର୍ଶନ ବହୁ ପୁରାତନ ସମୟରୁ ପ୍ରଚଳିତ ହୋଇ ଆସୁଅଛି । ଉକ୍ତ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନ୍ତିମ ଦର୍ଶନ ସନ୍ଧ୍ୟା ଦର୍ଶନ ରୂପେ ପାଳିତ ହେଉଅଛି ।
ମୋଟ ଉପରେ ଏଠାରେ ସନ୍ଧ୍ୟା ଶବ୍ଦର ଅର୍ଥ ଅନ୍ତିମ ବୋଲି ବୁଝିବାକୁ ହେବ । ଉକ୍ତଦିନ ଠାକୁରମାନଙ୍କ ବଡ଼ ସିଂହାର ନୀତି ସରିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇ ପୁଷ୍ପାଳକମାନେ ବାହାରକୁ ଆସିଥାନ୍ତି। ଏହା ପରେ କୋଠ ସୁଆଁସିଆ ସିଂହାସନଠାରେ ଚାରମାଳ ବନ୍ଧା କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଦଇତାପତି ମାନେ ଗୁପ୍ତ ନୀତି ପାଇଁ ପ୍ରସ୍ତୁତ ହୋଇଥାନ୍ତି ।














