ଆଜି ଭୁବନେଶ୍ୱରଠାରେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ଏବଂ ରାଜ୍ୟ ପ୍ରାଣିକଲ୍ୟାଣ ବୋର୍ଡର ମିଳିତ ସହଯୋଗରେ ଆୟୋଜିତ ଶ୍ୱାନ ଜନ୍ମ ନିୟନ୍ତ୍ରଣ ଓ ପ୍ରାଣିକଲ୍ୟାଣ କର୍ମଶାଳାକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଶ୍ୱାନ ଜନ୍ମ ନିୟନ୍ତ୍ରଣ ନିୟମ ୨୦୨୩କୁ ରାଜ୍ୟରେ ଯେପରି ଠିକ୍ ରୂପରେ କାର୍ଯ୍ୟକାରୀ କରାଯିବ ସେ ଦିଗରେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମ ହେବା ଆବଶ୍ୟକ । ଓଡ଼ିଶା ଜୈବ ବିବିଧତା ଏବଂ ବିବିଧ କୃଷି ପ୍ରଣାଳୀର ରାଜ୍ୟ । ଏଠାରେ ସର୍ବଦା ମନୁଷ୍ୟ ଓ ପଶୁପକ୍ଷୀଙ୍କ ଘନିଷ୍ଠ ସମ୍ବନ୍ଧ ରହିଆସିଛି । ଆମ କ୍ଷେତରେ କାର୍ଯ୍ୟରତ ବଳଦଠାରୁ ଆରମ୍ଭ କରି କୁକୁର, ବିଲେଇ, ଶୁଆ ଆଦି ପଶୁପକ୍ଷୀ ଆମର ଅତ୍ୟନ୍ତ ବିଶ୍ୱସ୍ତ ଓ ସେମାନେ ଆମ ସମାଜରେ ଏକ ଅବିଚ୍ଛେଦ୍ୟ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ନିଶ୍ଚିତ କରିବା ଆମର କର୍ତ୍ତବ୍ୟ ଏବଂ ଦାୟିତ୍ୱ ।
ଅସହାୟ ଗୋରୁଙ୍କୁ ଆଶ୍ରୟ ଏବଂ ଯନି ଯୋଗାଇଦେଉଥିବା ରାଜ୍ୟର ପଞ୍ଜିକୃତ ୫୨ ଗୋଟି ଗୋଶାଳାକୁ ଗୋରୁଙ୍କ ଯନି ଓ ରକ୍ଷଣାବେକ୍ଷଣ ପାଇଁ ସହାୟତା ବାବଦକୁ ପ୍ରତି ବୟସ୍କ ଗୋରୁ ପାଇଁ ବାର୍ଷିକ ୧୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ଏଥିପାଇଁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ୫୦ ରୁ ୧୫୦ ଅସହାୟ ଗୋରୁଙ୍କ ଥଇଥାନ ଓ ଆଶ୍ରୟ ଉଦ୍ଦେଶ୍ୟରେ ନୂତନ ଗୋଶାଳା ପ୍ରତିଷ୍ଠା କରିବା ପାଇଁ ୨୦ ଲକ୍ଷରୁ ୫୨ ଲକ୍ଷ ଟଙ୍କା ପର୍ଯନ୍ତ ସହାୟତା ପ୍ରଦାନ କରାଯାଉଛି । ଏପର୍ଯନ୍ତ ଏବାବଦରେ ୨୬ ଗୋଟି ଗୋ- ଆହେଡ୍ ପ୍ରଦାନ କରାଗଲାଣି । ପ୍ରାଣୀଙ୍କ ଅଧିକାର ରକ୍ଷା ଏବଂ ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା କାର୍ଯ୍ୟକ୍ରମ, ମନୁଷ୍ୟ ଏବଂ ପ୍ରାକୃତିକ ଦୁନିଆ ମଧ୍ୟରେ ଏକ ସୁସଙ୍ଗତ ସହଭାଗିତା ରକ୍ଷା କରିପାରୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଏହି ସବୁ ଭିତ୍ତିଭୂମିଗତ ସୁବିଧା ଅସହାୟ ପଶୁପକ୍ଷୀଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ଯୋଗାଇଦେବା ସାଙ୍ଗକୁ ସେମାନଙ୍କ ପ୍ରତି ଆମର ସହାନୁଭୂତିକୁ ପ୍ରଦର୍ଶନ କରୁଛି । ଏହି କର୍ମଶାଳାରେ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଡକଫର ୟେଦୁଲା ବିଜୟ, ବିଭିନ୍ନ ପ୍ରାଣିକଲ୍ୟାଣ ସଂସ୍ଥାର ପ୍ରତିନିଧି, ପ୍ରାଣିକଲ୍ୟାଣ ପାଇଁ କାର୍ଯରତ ବ୍ୟକ୍ତିବିଶେଷ ଏବଂ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଚାରି ଗୋଟି ବୈଷୟିକ ଅଧିବେଶନ ଆୟୋଜନ କରାଯାଇ ପ୍ରାଣିକଲ୍ୟାଣର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଉପନିର୍ଦ୍ଦେଶକ, ପ୍ରାଣିକଲ୍ୟାଣ ଡାକ୍ତର କୈଳାଶ ଚନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

© 2023 Odisha Taza News.