No Result
View All Result
୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ବାଲେଶ୍ୱର ଜିଲା ବାହାନଗାଠାରେ ଚଳିତ ମାସ ୨ ତାରିଖରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି । ଏହାଦ୍ୱାରା ଉଭୟ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଅନେକ ପରିବାର ପାଇଁ ଦାରୁଣ ଧକ୍କା ପହଞ୍ଚିଛି । ଏହି ଦୁଃଖଦ ଘଟଣାରେ ଅନେକ ପିଲା ଅନାଥ ହୋଇଯାଇଥିବାବେଳେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଆଉ ଅନେକ ବ୍ୟକ୍ତିଙ୍କ ପରିବାରବର୍ଗ ଦୀର୍ଘାବଧି ଶାରୀରିକ ଏବଂ ଆର୍ଥିକ ଦୁର୍ଗତିର ଶିକାର ହୋଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ମୃତାହତଙ୍କ ନିମନ୍ତେ କୋଣ ଅନୁକୋଣରୁ ମାନବୀୟ ସହାୟତାର ହାତ ବଢାଇବାକୁ ପ୍ରେରିତ କରିଛି । ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ତତ୍କ୍ଷଣାତ ଉଦ୍ଧାର ଓ ପୁନଃଥଇଥାନ ପ୍ରୟାସକୁ ସର୍ବତ୍ର ପ୍ରଶଂସା କରାଯାଉଛି । ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ ଅଧୀନରେ ଓଡ଼ିଶା ସରକାର ଏହି ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କୌଣସିଟି ଉଦ୍ୟମ ବାଦ୍ ଦେଇନାହାନ୍ତି ।
ସମୁଦାୟ ସରକାରୀ କଳ ପ୍ରଭାବିତ ଯାତ୍ରୀଙ୍କ ଦୁଃଖ ଦୁର୍ଦ୍ଦଶା ଲାଘବ କରିବାକୁ ଦିନ ରାତି କାମ କରିଛନ୍ତି । ସମ୍ବେଦନଶୀଳ ମଣିଷ ଏବଂ ଦାୟିତ୍ୱସମ୍ପନ୍ନ ସରକାରୀ କର୍ମଚାରୀ ଭାବରେ ଓଡ଼ିଶା ପ୍ରାଣୀସମ୍ପଦ ସେବା ସଂଘ (ଓଭିଏସ୍ଏ) ନେତୃତ୍ୱରେ ପ୍ରାଣୀସମ୍ପଦ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ମଧ୍ୟ ଏହି ଦୁର୍ଘଟଣାର ମୃତାହତଙ୍କ ପାଇଁ ସେମାନଙ୍କ ସହାୟତାର ହାତ ବଢାଇଛନ୍ତି । ଡା.ଯଦୁନାଥ ପରିଡା, ସଭାପତି, ଓଭିଏସ୍ଏ ସୂଚନା ଦେଇ କହିଛନ୍ତି ଯେ ସେମାନେ ଚଳିତ ମାସ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଉଦ୍ଦେଶ୍ୟରେ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହି ପରିମାଣ ଅର୍ଥକୁ ଏକ ବ୍ୟାଙ୍କ ଡ୍ରାଫ୍ଟ ଆକାରରେ ଓଭିଏସ୍ଏର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିର କାର୍ଯ୍ୟକର୍ତ୍ତାଗଣ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ପ୍ରଦାନ କରିଛନ୍ତି ।
ଏହି ଅବସରରେ ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଉପସ୍ଥିତ ଥିଲେ । ଓଭିଏସ୍ଏର ସାଧାରଣ ସମ୍ପାଦକ ଡା.ଶଙ୍କର୍ଷଣ ମାହୁନ୍ତ ସୂଚନା ଦେଇ କହିଛନ୍ତି ଯେ, ଚଳିତ ମାସ ୩ ତାରିଖରେ ସଂଘର ଏକ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସମସ୍ତ ସଦସ୍ୟ ଏକସ୍ୱରରେ ଦୁର୍ଗତଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ପାଣ୍ଠି ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଥିଲେ । ସଂଘ ମଧ୍ୟ ନିଜର ଅବଦାନ ପାଣ୍ଠି ସଂଗ୍ରହ କରିବାକୁ ସ୍ଥିର କରିଥିଲା, ଯଦ୍ଦ୍ୱାରା ଏହା ଯଥାସମ୍ଭବ ଏହି ଉଦ୍ଦେଶ୍ୟରେ ସହାୟତାର ହାତ ବଢାଇପାରିବ । ପରିଣତି ସ୍ୱରୂପ ଏହି ପରିମାଣ ଅର୍ଥ ପ୍ରାଣୀ ସମ୍ପଦ ବିଭାଗର ସମସ୍ତ କର୍ମଚାରୀ ଓ ଅଧିକାରୀଗଣ ମାତ୍ର ୧୨ ଘଌକ୍ଷଗ୍ଧ;ା ମଧ୍ୟରେ ସଂଗ୍ରହ କରିଥିଲେ ।
ସଂଘ ମଧ୍ୟ ସମ୍ପ୍ରତି ଚିକିତ୍ସାଧୀନ ଥିବା ଆହତ ଯାତ୍ରୀଙ୍କ ଆବଶ୍ୟକତା ପୂରଣ ନିମନ୍ତେ ଖୁବ୍ଶୀଘ୍ର ଏକ ରକ୍ତଦାନ ଶିବିର ଆୟୋଜନ ଯୋଜନା କରିଛି । ଏଥିସହିତ ସରକାର ଯେତେବେଳେ ଚାହିଁବେ ସଂଘ ଯେକୌଣସି ପ୍ରକାର ସହାୟତା ଯୋଗାଇଦେବ ବୋଲି ଡା.ମାହୁନ୍ତ କହିଛନ୍ତି । ଓଭିଏସ୍ଏ ଦ୍ୱାରା ସହାୟତାର ହାତ ବଢାଇବାକୁ ଯେଉଁଭଳି ମହତ୍ ଏବଂ ଉଦାର ପଦକ୍ଷେପ ଗ୍ରହଣ କରାଯାଇଛି ତାହା ରାଜ୍ୟର ଏକମାତ୍ର ସେବା ସଂଘ ଭାବରେ ହାତକୁ ନିଆଯାଇଛି ଏବଂ ଏହାକୁ ସବୁ ମହଲରୁ ପ୍ରଶଂସା କରାଯାଉଛି । ସ୍ୱଳ୍ପ ସମୟ ମଧ୍ୟରେ ଏଭଳି ବଡଧରଣର ଆର୍ଥିକ ସହାୟତାକୁ ସମାଜର ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଛନ୍ତି ।
No Result
View All Result