No Result
View All Result
ଚାନ୍ଦପୁର ଜେନେରାଲ୍ ହସ୍ପିଟାଲ୍ : ସ୍ୱାସ୍ଥ୍ୟ ବିଭାଗ କାହା ସ୍ୱାର୍ଥରେ !!
ନାହିଁ ନାହିଁରେ ଚାଲିଛି ଚାନ୍ଦପୁର ଜେନେରାଲ୍ ହସ୍ପିଟାଲ୍ ନାହାନ୍ତି ଆବଶ୍ୟକୀୟ ଡାକ୍ତର
ଖୋଲୁନି ସ୍ତ୍ରୀ ଓ ପ୍ରସୂତି ବିଭାଗ ଅତ୍ୟାଧୁନିକ ଅପରେସନ୍ ଥିଏଟର୍ ନାହିଁ
ବ୍ଳଡ୍ ବ୍ୟାଙ୍କ୍ କିମ୍ବା ବ୍ଳଡ୍ ଷ୍ଟୋରେଜ୍ ୟୁନିଟ୍ ନାହିଁ ମେଡ଼ିକାଲ୍ କଲେଜ୍ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଅଛି .
୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ରଣପୁର ରାଜମାତା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବସନ୍ତମଞ୍ଜରୀ ଦେବୀଙ୍କ ପ୍ରଚେଷ୍ଟାରେ ୧୯୫୮ ମସିହାରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ୧୧୭ ଏକର ପରିମିତ ଜମିରେ ଚାନ୍ଦପୁର ଠାରେ ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ସ୍ଥାପିତ ହୋଇଥିଲା । ଯାହାକି ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ଟିବି (ଯକ୍ଷ୍ମା ) ହସପିଟାଲ୍ ନାମରେ ଅବିଭକ୍ତ ପୁରୀ ଜିଲ୍ଲା,ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଅର୍ଜନ କରିଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ହସପିଟାଲକୁ ଜେନେରାଲ୍ ହସପିଟାଲରେ ପରିଣତ କରାଯାଇଥିଲେ ମଧ୍ୟ ଏହା ଅଦ୍ୟାବଧି ସ୍ୱୟଂସମ୍ପୂର୍ଣ୍ଣ ହୋଇ ପାରିନଥିବା ଘଟଣା ଜନସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସେଥିପାଇଁ ଚାନ୍ଦପୁର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ବିଭିନ୍ନ ସମୟରେ ଅକ୍ଳାନ୍ତ ଉଦ୍ୟମ ସତ୍ତ୍ୱେ ଏହାର ତ୍ୱରିତ ପଦକ୍ଷେପ ଫେଲ୍ ମାରିଲା ଭଳି ଜଣାପଡୁଛି ।
ସମ୍ଭବତଃ ଏପର୍ଯ୍ୟନ୍ତ ଆଶାନୁରୂପ ଫଳ ନମିଳିବା ସାଧାରଣରେ ପ୍ରଶ୍ନ ଉଠିଛି । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ୍ ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବିଭାଗର ମିଳିତ ଉଦ୍ୟମରେ ମାରାତ୍ମକ ଯକ୍ଷ୍ମାରୋଗର ଚିକିତ୍ସା ଗ୍ରାମାଞ୍ଚଳର ପ୍ରତ୍ୟେକ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରମାନଙ୍କରେ ଉପଲବ୍ଧ କରାଯିବା ପରେ ଏହି ବୃହତମ ହସପିଟାଲର ଗୁରତ୍ୱ ହ୍ରାସ ପାଇବା ଯୋଗୁଁ ଆବଶ୍ୟକ ଜମି, କୋଠାବାଡି ଇତ୍ୟାଦି ଏଠାରେ ଥିବାରୁ ଅଞ୍ଚଳବାସୀ ଏହାକୁ ଏକ ଜେନେରାଲ୍ ହସପିଟାଲ୍ ପରିଣତ କରିବାପାଇଁ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରିଆସୁଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଗୁରୁତର ସହ ବିଚାର ପୂର୍ବକ ୨୦୧୪, ଫେବୃଆରୀ ୧୪ ତାରିଖରେ ସାଧାରଣ ଚିକିତ୍ସାଳୟର ମାନ୍ୟତା ପ୍ରଦାନ କରିଥିଲେ । ଘୋଷଣା ହେବାର ପାଞ୍ଚବର୍ଷ ପରେ ବିଧିବଦ୍ଧ ଚିଠି ଆସିଥିଲା ।
ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର ହେଲାପରେ ଅତ୍ୟାଧୁନିକ କୋଠାବାଡି, ଷ୍ଟାଫ୍ କ୍ୱାର୍ଟର ଓ ଅନ୍ୟାନ୍ୟ ଆବଶ୍ୟକୀୟ ଗୃହ ନିର୍ମାଣ କରାଯାଇଛି । କିନ୍ତୁ ଉଦବେଗଜନକ ଘଟଣା ହେଉଛି ଏହି ହସପିଟାଲରେ ଆବଶ୍ୟକ ହେଉଥିବା ଡାକ୍ତର, ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ୍, ଆଟେଣ୍ଡାଟ୍ ଏବଂ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ନିଯୁକ୍ତି ଦିଆନଯିବାରୁ ଏହା ସ୍ୱୟଂ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଉକ୍ତ ଜେନେରାଲ୍ ହସପିଟାଲକୁ ଆବଶ୍ୟକ ସଂଖ୍ୟକ ଷ୍ଟାଫ୍ ଯୋଗାଇ ଦେବାପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ୨୦୧୫,ଏପ୍ରିଲ୍ ୧୮ ତାରିଖ ଓ ଏହାର ଦୁଇମାସ ପରେ ଜୁନମାସ ୧୮ ଓ ୨୪ ତାରିଖରେ ରାଜ୍ୟ ସରକାରଙ୍କ ନିକଟକୁ ବାରମ୍ବାର ଚିଠି ଲେଖିଥିଲେ ମଧ୍ୟ ଏଯାବତ୍ କୌଣସି ସୁବିଧା ଉପଲବ୍ଧ ନହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।
ରଣପୁରରେ ଦୁଇ ଦୁଇଥରର ବିଧାୟକ ଥାଉଥାଉ ଯଦି ଏହା ନହେବ ତେବେ ଇତିହାସ ଆମକୁ କ୍ଷମା ଦେବନାହିଁ ।
ହସ୍ପିଟାଲ୍ ଗାଇଡଲାଇନ୍ ଅନୁସାରେ ଏହି ହସ୍ପିଟାଲରେ ୧୭ ଜଣ ବିଭିନ୍ନ ବିଶେଷଜ୍ଞ ଡାକ୍ତର,ଏଲ୍ ଟିଆଇଏମଓ ୧୨ଜଣ, ଆୟୁଷ୍ ଡାକ୍ତର ୨ଜଣ, ଇ ଏନ୍ ଟି ଡାକ୍ତର ଜଣେ, ଡେଣ୍ଟିଷ୍ଟ୍ ଜଣେ, ଷ୍ଟାଫ୍ ନର୍ସ ୭୯ଜଣ, ସହକାରୀ ମାଟ୍ରନ୍ ୬ଜଣ ଆବଶ୍ୟକ ହେଉଥିବା ସ୍ଥଳେ ସ୍ୱଳ୍ପ ସଂଖ୍ୟକ ଷ୍ଟାଫଙ୍କୁ ନେଇ ଦୁର୍ଦ୍ଦିନରେଚାଲିଛି ହସପିଟାଲ୍ । ଏପରିକି ଏଠାରେ ବ୍ଳଡ୍ ବ୍ୟାଙ୍କ୍ ଓ ଅତ୍ୟାଧୁନିକ ଅପରେସନ୍ ଗୃହ ପାଇଁ ଆବଶ୍ୟକ ଉପକରଣ ମଧ୍ୟ ଉପଲବ୍ଧ ହେବା ଦରକାର ପଡୁଛି । କିନ୍ତୁ ଏଠାରେ ଏସବୁର ମେଡ଼ିକାଲ୍ ଫାସିଲିଟିଜରୁ ବଞ୍ଚିତ ରହିଛନ୍ତି ଆଖପାଖ ଅଞ୍ଚଳର ୪୦ଖଣ୍ଡ ଗାଁ’ର ଉପଭୋକ୍ତାଙ୍କ ସହିତ ଜିଲ୍ଲା ଓ ଜିଲ୍ଲା ବାହାରର ଲକ୍ଷଲକ୍ଷ ଉପଭୋକ୍ତା । ନାହିଁ ନାହିଁରେ ଚାଲିଛି ହସପିଟାଲ୍ । ମାତ୍ର ଚାରି ଛଅ ଡାକ୍ତର ଅଛନ୍ତି ।
ପୁଣି କିଏ କେତେ କେଉଁଠିକୁ ଡେପୁଟେସନ୍ ଯାଉଛନ୍ତି ତା’ର କିଛି ହିସାବ ନାହିଁ । ୭୯ ଜଣ ଷ୍ଟାଫ୍ ନର୍ସ ଦରକାର ହେଉଥିବାବେଳେ ୨୮ ଜଣ ମଞ୍ଜୁର ହୋଇଛି, କିନ୍ତୁ ୨୮ରୁ ମାତ୍ର ୧୨ ଜଣ କାର୍ଯ୍ୟରତ ଅଛନ୍ତି, ସହକାରୀ ସେବିକା ମାଟ୍ରନ୍ ପଦବୀ ୬ଟି ଥିବାବେଳେ କେବଳ ଜଣେ ମାଟ୍ରନ୍ ଅଛନ୍ତି । ଏଇମିତି ତମାମ୍ ସମସ୍ୟା ଦେଇଗତି କରୁଛି ଏହି ହସପିଟାଲ୍ । ପ୍ରଶାସନିକ ଅବହେଳା, ସ୍ଥାନୀୟ ରାଜନେତା ଓ ଜିଲ୍ଲାର ଟାଣୁଆ ନେତାଙ୍କ ରାଜନୈତିକ ଇଛାଶକ୍ତି ଅଭାବ ଯୋଗୁଁ ଜିଲ୍ଲାର ଏକମାତ୍ର ଜେନେରାଲ୍ ହସପିଟାଲ୍ ଏସବୁ ସମସ୍ୟା ଦେଇ ଗତି କରୁଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।
ଏନେଇ ସ୍ଥାନୀୟ ନେତ୍ରୀ ତଥା ରଣପୁର ବ୍ଳକ୍ ଅଧ୍ୟକ୍ଷା ନିରୁପମା ବେହେରା କୁହନ୍ତି କେବଳ ନିଜ ଜିଲ୍ଲା ନୁହେଁ, ରାଜ୍ୟର ଯେତେ ମୁଖ୍ୟ ଚିକିତ୍ସାଳୟ ବା ସାଧାରଣ ଚିକିତ୍ସାଳୟ ଅଛି ସେଗୁଡିକ ମଧ୍ୟରୁ ୧୧୭ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଏହି ହସପିଟାଲ୍ ସ୍ୱତନ୍ତ୍ର ହସପିଟାଲ୍ । ବୋଧହୁଏ କୌଣସି ହସ୍ପିଟାଲର ଏତେ ଜାଗା, ଇନଫାଷ୍ଟ୍ରକଚର୍ ନଥାଇପାରେ । ସବୁକିଛି ସୁବିଧା ଉପଲବ୍ଧ ଥାଇ ଜିଲ୍ଲା ତଥା ରାଜ୍ୟର ସ୍ୱାସ୍ଥ୍ୟ ସ୍ୱାର୍ଥ ଦୃଷ୍ଟିକୋଣରୁ ଏଠାରେ ମେଡ଼ିକାଲ୍ କଲେଜ୍ ହେବା କଥା । ରଣପୁରରେ ଦୁଇ ଦୁଇଥରର ବିଧାୟକ ଥାଉଥାଉ ଯଦି ଏହା ନହେବ ତେବେ ଇତିହାସ ଆମକୁ କ୍ଷମା ଦେବନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

No Result
View All Result