ଓଡିଶା ତାଜା ନ୍ୟୁଜ୍ (୧୪ ଜୁନ୍ ରବିବାର ) ବାଲେଶ୍ୱର :- ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ଏକ ଅଭିନ୍ନ ଅଙ୍ଗ ହେଉଛି ଏହାର ପୂରପଲ୍ଲୀରେ ପାଳନ କରାଯାଉଥିବା ପର୍ବପର୍ବାଣୀ । ସେଥିମଧ୍ୟରୁ ରଜପର୍ବ ପାଳନର ପରମ୍ପରା ଅନନ୍ୟ । କୃଷି ଓଡ଼ିଶାବାସୀଙ୍କ ମୁଖ୍ୟ ଜୀବିକା ହୋଇଥିବାରୁ ମାଟି ମା’କୁ ବିଶ୍ରାମ ଦେବା ଏହି ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ସାଧାରଣତଃ କୃଷକମାନେ ରଜସଂକ୍ରାନ୍ତି ପୂର୍ବରୁ କ୍ଷେତରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି । ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ଶୀତଳ ହେବା ସହ ପ୍ରଜନନକ୍ଷମ ହୋଇଥାଏ ।
ପୃଥିବୀମାତାର ଏହି ଅବସ୍ଥାକୁ ରଜସ୍ୱଳା ନାରୀ ସହ ତୁଳନା କରି ପୂର୍ଣ୍ଣବିଶ୍ରାମ ଦିଆଯାଏ । ଏଥିସହିତ କୃଷିକର୍ମରୁ ଅବ୍ୟାହତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଥାନ୍ତି କୃଷକସମାଜ । ବିଭିନ୍ନ ପ୍ରକାରର ପିଠାପଣାରେ ମହକିଯାଏ ଓଡ଼ିଶାର ପୂରପଲ୍ଲୀ । ରଜପାନ ଖିଆ, ଦୋଳିରେ ଝୁଲିବା, ଲୁଡୁ, ତାସ୍ ଖେଳ ଓ ବନ୍ଧୁଶଙ୍ଖୁଳା ମଧ୍ୟରେ ଉତ୍ସବମୁଖର ହୋଇଉଠେ ପରିବେଶ । ପହଲି ବର୍ଷାର ସ୍ପର୍ଶରେ ଝୁମିଯାଏ, ପୁଲକିତ ପଲ୍ଲବିତ ହୁଏ ପୃଥିବୀ । ଏହା ସହ ତାଳ ଦେଇ ବୟସ ନିର୍ବିଶେଷରେ ସମସ୍ତେ ମାତିଯାନ୍ତି ହର୍ଷୋଲ୍ଲାସରେ ।
ଜ୍ୟେଷ୍ଠମାସର ଶେଷ ଦିନ, ଆଷାଢର ପ୍ରଥମ ଦୁଇ ଦିନଧରି ଏହାକୁ ପାଳନ କରାଯାଇଥାଏ । ଏହି ସମୟରେ ପୃଥିବୀମାତାକୁ ଆଘାତ ନ ଦେବା ପାଇଁ କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ। କଦଳୀ ପାଟୁକା ପାଦରେ ବାନ୍ଧି ଚାଲିଥାନ୍ତି । ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳିତ ହୋଇଥାଏ । ସେ ଦିନ ଘରେ ଘରେ ମା’ ଧରିତ୍ରୀଙ୍କର ପୂଜା କରାଯାଇଥାଏ । ଆଧୁନିକତାର ସ୍ପର୍ଶରେ ପୁରୁଣା ସମୟର ରଜ ଆଜି ନାହିଁ ସତ ; କିନ୍ତୁ ଯୁବପିଢିଙ୍କ ପାଇଁ ଆଜି ମଧ୍ୟ ଏହାର ପ୍ରାସଙ୍ଗିକତା ରହିଛି । (ଦୀପ୍ତିମାନ୍ ପତି/ବାଲେଶ୍ୱର)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com