କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାସ,ଜଳ ବହୁଳେ ସୃଷ୍ଟି ନାସ । ଜଳ ହିଁ ଜୀବନ । ଟିକେ ଭଲକରି ଦେଖନ୍ତୁ ଏହି ଦୃଶ୍ୟକୁ । ୟେ ହେଉଛି ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ୍ ମହେନ୍ଦ୍ରଗଡ ପଞ୍ଚାୟତର । ବସୁଧା ଯୋଜନାରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ପାଣି ଟାଙ୍କି । ୫୦ ହଜାର ଲିଟର ବିଶିଷ୍ଟ ଏହି ଟାଙ୍କିର ନିର୍ମାଣ କାର୍ଯ୍ୟ ୨୦୨୦ ମସିହାରେ ହୋଇଥିବା ବେଳେ,ଅନେକ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ୍ ନିର୍ମାଣ ସହ ପ୍ରତ୍ୟେକ ଘରକୁ ପାଇପ୍ ସଂଯୋଗ ମଧ୍ୟ କରାଯାଇଛି ।
ହେଲେ, ଦୀର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ୍ ପାଣିର ଦେଖାନାହିଁ । ନିମ୍ନମାନର କାମ ଯୋଗୁଁ ଟାଙ୍କିର ଚତୁର୍ପାର୍ଶ୍ୱରେ ଫାଟ ସୃଷ୍ଟି ହୋଇଥିବା ବେଳେ,ସେଥିରୁ ପାଣି ଲିକ୍ କରୁଛି । ଅନେକ ସ୍ଥାନରେ ଘରକୁ ସଂଯୋଗ ହୋଇଥିବା ପାଇପ୍ ମଧ୍ୟ ଫାଟି ଆଁ କଲାଣି । ନିର୍ମାଣ ହୋଇଥିବା ଷ୍ଟାଣ୍ଡପୋଷ୍ଟ ଗୁଡିକ ମଧ୍ୟରୁ ଅନେକ ଏବେ ଭଗ୍ନ ଅବସ୍ଥାରେ ରହିଥିବା ବେଳେ, ସେଥିରେ ଲଟାବୁଦା ମାଡିଗଲାଣି । ଟାଙ୍କିରେ ଲଗାଯାଇଥିବା ଲୁହା ପାଇପରେ ମଧ୍ୟ ଜାଙ୍ଗୁ ଲାଗିବା ସହ ଘାସ ଚଢିଗଲାଣି । ରାସ୍ତା ପାର୍ କରି ଘରକୁ ସଂଯୋଗ ହୋଇଥିବା ପାଇପ୍ ରାସ୍ତାରେ ପଡିଥିବାବେଳେ, ଯାତାୟାତରେ ବାଧା ସୃଷ୍ଟି ହେଉଛି ।
ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପ୍ରଶାସନ ସେଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ଜନ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଦୀର୍ଘ ବର୍ଷ ଧରି ସ୍ଥାନୀୟ ଲୋକମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବାବେଳେ,ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗକୁ ଖରାଦିନ ଆସୁଥିବାରୁ ପାଣି ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ, ଗ୍ରୀଷ୍ମ ଋତୁ ପୂର୍ବରୁ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଭାକର ମୁନି l ତେବେ ଦେଖିବାକୁ ବାକି ରହିଲା କେବେ ସୁଧୁରିବ ଏହି ସମସ୍ୟା, ଆଉ କେବେ ମିଳୁଛି ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଏବେ ତାକୁହିଁ ଅପେକ୍ଷା ।

© 2023 Odisha Taza News.