No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ହିଞ୍ଜିଳିକାଟୁ :- କରୋନାର ଦ୍ଵିତୀୟ ଲହର ସାରା ଓଡ଼ିଶାରେ ସୃଷ୍ଟି କରିଛି ଭୟ ଓ ଆତଙ୍କର ବାତାବରଣ।ଲୋକଙ୍କ ଜୀବନ ଜୀବିକା ପ୍ରତି ଦୃଷ୍ଟି ଦେଇ ସରକାର କରୋନା ମୁକାବିଲା ଦିଗରେ ଜାରୀ ରଖିଛନ୍ତି ନିରବିଛିନ୍ନ ପ୍ରୟାସ। ରାଜ୍ୟରେ କରୋନାର ଦ୍ଵିତୀୟ ଲହର ଆବିର୍ଭାବ ହେବା ପରେ କେବଳ ସତର୍କତା ଓ ସଚେତନତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। କିନ୍ତୁ କିଛି ଦିନ ପରେ ସଂକ୍ରମଣର ସ୍ଥିତି କ୍ରମଶଃ ବେହାଲ ହେଉଥିବା ଅନୁଧ୍ୟାନ କରି ପ୍ରଥମେ ରାଜ୍ୟରେ ଘୋଷଣା କରିଥିଲେ ନାଇଟକର୍ଫ୍ୟୁ ଓ ପରେ ସପ୍ତାହାନ୍ତ ସଟ ଡାଉନ ପ୍ରକ୍ରିୟା।ପରିସ୍ଥିତି ଜଟିଳତା ଆଡକୁ ମୁଁହାଇ ଏକ ବିପର୍ଯ୍ୟୟ ପରିବେଶ ସୃଷ୍ଟି କରିଥିଲା।ପ୍ରଥମରୁ ହିଁ ଲକ ଡାଉନ ସପକ୍ଷରେ ନ ଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷରେ ସାରା ରାଜ୍ୟରେ ଘୋଷଣା କରିଥିଲେ ଗତ ୫ ତାରିଖ ଠାରୁ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ୧୪ ଦିନିଆ ଲକ ଡାଉନ ପ୍ରକ୍ରିୟା। ଦିନକୁ ଦିନ ଅଧିକ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଉଥିବାରୁ ପରିସ୍ଥିତି ଉପରେ ନଜର ରଖି ରାଜ୍ୟ ବାସୀଙ୍କ ପାଇଁ ପୁଣି ଦ୍ଵିତୀୟ ଥର ସକାଶେ ଲକ ଡାଉନ ପ୍ରକ୍ରିୟା ଆସନ୍ତା ଜୁନ ୧ ତାରିଖ ସକାଳ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି । ଲୋକଙ୍କ ଜୀବନ ଯେପରି ସୁରକ୍ଷିତ ରହି ମହାମାରୀର ଦୃଢ଼ ମୁକାବିଲା ହେବ ସେଥିପ୍ରତି ବିଶେଷ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର।କିଛି ସେବାକୁ କଟକଣା କରିଥିଲା ବେଳେ କିଛି ସେବାରେ କଟକଣା ମୁକ୍ତ କରାଯାଇଛି।ବିବାହ, ବ୍ରତ ଓ ଅନ୍ତେଷ୍ଟି କ୍ରିୟା ଆଦି ସାମାଜିକ ଚଳଣି କ୍ଷେତ୍ରରେ କୋଭିଡ ନିୟମ ମଧ୍ୟରେ ଆୟୋଜନ ପାଇଁ ଅନୁମତି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ୫୦ ଜଣଙ୍କୁ ନେଇ ଵିଵାହ ଭୋଜି ଆୟୋଜନ ନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା

କିନ୍ତୁ ପରିସ୍ଥିତି ଜଟିଳତା ଦିଗକୁ ଗତି କରୁଥିବାରୁ ପରବର୍ତ୍ତୀ ସମୟରେ ମାତ୍ର ୨୫ ଜଣଙ୍କୁ ନେଇ ବିବାହ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି । କୋଭିଡ ନିୟମକୁ ଖୋଲା ଖୋଲି ଉଲ୍ଲଙ୍ଘନ କରି ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ ଆୟୋଜିତ ହେଉଛି ଶହ ଶହ ଭୋଜିଭାତର ଆସର । ପ୍ରଶାସନ ପକ୍ଷରୁ ବାରମ୍ବାର ନିବେଦନ ଓ ସଚେତନ କରାଯାଉଥିଲେ ସୁଦ୍ଧା କରୋନା ସଂକ୍ରମଣ ପ୍ରତି ପୁରାପୁରି ବେଫିକର ହେଉଥିବା ପରିଲକ୍ଷିତ ହୋଇଛି । ମହାମାରୀ କାଳରେ ଭୋଜି ଆୟୋଜନର ନିଶା ଓ ଭୋଜିଭାତ ଖାଇବାର ସଉକ କିନ୍ତୁ ପ୍ରଶାସନର ଚିନ୍ତା ବଢ଼ାଉଛି । ଏହି ବେଆଇନ କାର୍ଯ୍ୟକ୍ରମ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପ୍ରଶାସନ ।ସ୍ଥାନୀୟ ଥାନା ଦୁର୍ବନ୍ଧ ପଞ୍ଚାୟତ ଗୋଦରାପଲ୍ଲୀ ଗାଁରେ କେ. ରାମମୂର୍ତ୍ତିଙ୍କ ୨ ପୁଅ କେ. ବସନ୍ତ ଓ କେ. ସୁଶାନ୍ତଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗ୍ରାମରେ ଡିଜେ ରୋଷଣୀ ସହ ଏକ ସୁସଜ୍ଜିତ ଘୋଡା ଗାଡ଼ିରେ ବସି ଉଭୟେ ଧୁମ ଧାମ ରେ ପଟୁଆରରେ ଗ୍ରାମ ପରିକ୍ରମା କରୁଥିବା ବେଳର ଦୃଶ୍ୟ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ପରେ ଶନିବାର ଭୋରରେ ଗୋଦରାପଲ୍ଲୀ ଗ୍ରାମରେ ତହସିଲଦାର ପ୍ରଭାତ କୁମାର ପରିଡା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଓ ଥାନା ଅଧିକାରୀ ଅଭିମନ୍ୟୁ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବାପା ଓ ୨ ପୁଅଙ୍କୁ ଆଣି ଥାନାରେ ଅଟକ ରଖା ଯାଇଛି ତହସିଲଦାର ଶ୍ରୀ ପରିଡାଙ୍କ ଅଭିଯୋଗ ଅନୁଯାୟୀ ହିଞ୍ଜିଳି ଥାନାରେ ନଂ – ୨୫୪/୨୧ରେ ଏକ ମାମଲା ରୁଜୁ କରାଯାଇଛି । ପରେ ବଡ଼ଖଣ୍ଡି ଗ୍ରାମ ବାଲିସାହିରେ ପ୍ରାୟ ସହସ୍ରାଧିକ ଲୋକଙ୍କ ନିମନ୍ତେ ଆୟୋଜିତ ହେଉଥିବା ଭୋଜି ପ୍ରସ୍ତୁତି ସ୍ଥଳରେ ଚଢ଼ାଉ କରି ଖାଦ୍ୟ ସାମଗ୍ରୀକୁ ଜବତ କରିଥିଲେ ।

ଜବତ ଖାଦ୍ୟ ସାମଗ୍ରୀ ସବୁକୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ପୋୖରାଞ୍ଚଳର ଗରିବ,ଅସହାୟ ବ୍ୟକ୍ତିଙ୍କ ମଧ୍ୟରେ ବଣ୍ଟନ କରା ଯାଇଥିଲା।ଆୟୋଜକ ବାଇରୀ ଗଣପତି ଓ ତାଙ୍କ ପୁଅଙ୍କୁ ଅଟକ ରଖାଯାଇ ତହସିଲଦାର ଶ୍ରୀ ପରିଡ଼ାଙ୍କ ଅଭିଯୋଗ ପ୍ରକାରେ ପୁଲିସ କୋଭିଡ ଉଲ୍ଲଙ୍ଘନ ଆଇନ ଅନୁସାରେ ୨୫୫/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟ ପକ୍ଷରେ ଥାନାରେ ଅଟକ ବ୍ୟକ୍ତିଙ୍କ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ଖବର ଲେଖା ହେବା ସୁଦ୍ଧା ରିପୋର୍ଟ ହସ୍ତଗତ ସୋଇନଥିବା ଜଣାପଡ଼ିଛି । ସ୍ଥାନୀୟ ଥାନା ଅଞ୍ଚଳରେ ଆୟୋଜିତ ସଂପୃକ୍ତ ୨ ବାହାଘର ଭୋଜି ଚଢ଼ାଉ ସମୟରେ ଏସ ଆଇ ବାସୁଦେବ ଭୋଇ, ପ୍ରୋବେସନାରୀ ଏସଆଇ ହେମନ୍ତ କୁମାର ପାତ୍ର, ହାବିଲଦାର ପ୍ରମୋଦ ଗନ୍ତାୟତ,ପିଇଓ ପ୍ରତାପ ସାହୁ, ରାଜସ୍ୱ ନିରୀକ୍ଷକ ଓ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।ଉଭୟ ଆୟୋଜକ ଏବଂ ପରିବାର ସଦସ୍ୟଙ୍କ ଆଣ୍ଟିଜେନ ପରୀକ୍ଷା କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡ଼ିଓ ଶ୍ରୀ ଜେନା ସୂଚନା ଦେଇଛନ୍ତି। ହିଞ୍ଜିଳିକାଟୁ ଅଞ୍ଚଳରେ ଗତ କିଛି ଦିନ ଧରି କୋଭିଡ କଟକଣାକୁ ଅବମାନନା କରି ବହୁ ଲୋକଙ୍କୁ ନେଇ ବାହାଘର ଓ ଶୁଦ୍ଧି କ୍ରିୟା ଭୋଜି ଆୟୋଜନ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି । ପରିତାପର ବିଷୟ ଏଥିପ୍ରତି ଅମାନିଆ ମାନେ ସଚେତନ ହେଉନଥିବାରୁ ଏଭଳି ଘଟଣା ଦେଖିବାକୁ ମିଳିଛି । ଏ ଦିଗରେ ଲୋକଙ୍କ ମନରେ ଜନସଚେତନତା ସୃଷ୍ଟି ହେଲେ ପରିସ୍ଥିତିରେ ସୁଧାର ଆସିବ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । (ରିପୋର୍ଟ – ଶୁସାନ୍ତ ପ୍ରଧାନ)
No Result
View All Result