No Result
View All Result
ଓଡିଶା ତାଜା ନ୍ୟୁଜ୍ ( ୧୨ ଜାନୁଆରୀ ମଙ୍ଗଳବାର ) ନୟାଗଡ଼ :- ରାଜ୍ୟ ଯୋଜନା ବୋର୍ଡର ମାନ୍ୟବର ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ଆଜି ନୟାଗଡ଼ ଗସ୍ତ କରି ଦିବା ୧୨ଘଟିକା ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନ ସଭାଗୃହରେ ଖରିଫ୍ ଧାନ କ୍ରୟ , MGNREGS ଓ ପାନୀୟ ଜଳ ଯୋଗାଣ ସଂପର୍କରେ ବିଷଦ୍ ଭାବରେ ସମୀକ୍ଷା କରିଥିଲେ । ପ୍ରଥମେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସଂସ୍ଥାର ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାର ପାନୀୟ ଜଳ ସଂପର୍କରେ ପଚାରି ବୁଝିଥିଲେ । ଜିଲ୍ଲାର ୮ଟି ବ୍ଲକ ମଧ୍ୟରୁ ଯେଉଁ ବ୍ଲକ ଗୁଡ଼ିକୁ ସଠିକ୍ ଭାବରେ ପାନୀୟ ଜଳ ଯୋଗାଣ ହୋଇପାରିନାହିଁ ସେ ବ୍ଲକ ଗୁଡ଼ିକୁ ତୁରନ୍ତ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ଖାଦ୍ୟ ସୁରକ୍ଷା ଯୋଜନାରେ ମଣ୍ଡି ମାନଙ୍କରେ ଧାନ ଉଠାଣ ପାଇଁ ସୁବ୍ୟବସ୍ଥା କରିବା ପାଇଁ ଏବଂ ଚାଷୀମାନଙ୍କର ନାମ ପଂଜୀକରଣ କରାଇ ସଠିକ୍ ଭାବରେ ଟୋକନ୍ ପ୍ରଦାନ କରିବା ପାଇଁ ରାଜ୍ୟ ଯୋଜନା ବୋର୍ଡର ମାନ୍ୟବର ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ପରାମର୍ଶ ଦେଇଥିଲେ ।

ସେହିପରି ନୟାଗଡ଼ ଜିଲ୍ଲାରେ ଥିବା ମିଲର ମାନଙ୍କର ଟୋକନ୍ ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ । ଏହାପରେ MGNREGS ଉପରେ ଆଲୋଚନା କରି ଜିଲ୍ଲାରେ ଭଲ କାର୍ଯ୍ୟ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ । ହିତାଧିକାରୀ ମାନଙ୍କୁ ଠିକ୍ ଭାବରେ ଜବ୍ କାର୍ଡ ପ୍ରଦାନ କରାଯାଇଛି କି ନାହିଁ ସେ ସଂପର୍କରେ ପଚାରି ବୁଝିଥିଲେ । ପାନୀୟ ଜଳ ସଂପର୍କରେ ପୁଙ୍କାନୁପୁଙ୍ଖ ଭାବେ ଆଲୋଚନା କରିବା ପାଇଁ ଆସନ୍ତା ତା. ୧୫.୦୧.୨୦୨୧ରିଖ ଅପରାହ୍ନ ୫ଘଟିକା ସମୟରେ ଭୁବନେଶ୍ୱର କୃଷି ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଯୋଗଦାନ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଉଚ୍ଚଶିକ୍ଷା,କୃଷି ଓ କୃଷକ ସଶକ୍ତି କରଣ ,ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଡ. ଅରୁଣ କୁମାର ସାହୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସଂସ୍ଥାର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

୨୦୨୨ ସୁଦ୍ଧା ସମସ୍ତଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ ଧାର୍ଯ୍ୟ ଥିବା କଥା ପ୍ରକାଶ କରିଥିଲେ । ଜିଲ୍ଲାପାଳ ଡା. ପୋମା ଟୁଡୁ ବୈଠକରେ ଯୋଗ ଦେଇ କହିଲେ ଯେ, କୋଭିଡ୍ ସମୟରେ ନୟାଗଡ଼ ଜିଲ୍ଲାରେ ୧୫୦୦୦ ଶ୍ରମିକ ଙ୍କୁ MGNREGS ଯୋଜନା ଅନ୍ତର୍ଗତ ମୋ ପୋଖରୀ , ମୋ ବଗିଚା ଏବଂ ବିଭିନ୍ନ ରାସ୍ତା ନିର୍ମାଣ ଆଦି କାର୍ଯ୍ୟରେ ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଇଛି । ଏହି ଯୋଜନାରେ ନୟାଗଡ଼ ଜିଲ୍ଲା ରାଜ୍ୟରେ ୯ମ ସ୍ଥାନ ଅଧିକାର କରିଛି । ଉକ୍ତ ବୈଠକରେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବସ ଚନ୍ଦ୍ର ରାୟ, ସଂପୃକ୍ତ ବିଭାଗୀୟ ଅଧିକାରୀ ସମୀକ୍ଷା ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ – ରାମକୃଷ୍ଣ ରଥ )
No Result
View All Result